ଭୁବନେଶ୍ୱର : ଟ୍ରାଫିକ ନିୟମକୁ ପୂର୍ଣ୍ଣ ମାତ୍ରାରେ ପାଳନ କରୁଥିବା ଗାଡି ଚାଳକମାନଙ୍କୁ ମିଳିଛି ଚକୋଲେଟ । ଆଉ ଯେଉଁମାନେ ଟ୍ରାଫିକ ନିୟମ ନମାନି ଯାତାୟତ କରୁଛନ୍ତି ସେମାନଙ୍କୁ ପରାମର୍ଶ ସହିତ ମିଳିଛି ଗୋଲାପ ଫୁଲ । ୩୨ତମ ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ଆଜି ଏଭଳି ଢଙ୍ଗରେ ରାଜଧାନୀରେ ସଡକ ସୁରକ୍ଷା ପାଳନ କରିଛନ୍ତି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୱମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫାର (ୱସ୍ୱ)ର ସଦସ୍ୟମାନେ ।
ସ୍ଥାନୀୟ ରାଜମହଲ ଛକଠାରେ ୱସ୍ୱ ସମ୍ପାଦିକା ଜ୍ୟୋସ୍ନା ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ସମାଜସେବୀ ଇତିଶ୍ରୀ ଦିକ୍ଷୀତ, ସଚ୍ଚିକାନ୍ତ ପ୍ରଧାନ, ଚିର ରଞ୍ଜନ ପଟ୍ଟନାୟକ ଓ ସଞ୍ଜୀବ ସାବତ, ଶ୍ରୀକାନ୍ତ ସାମନ୍ତରା, ସାଇ ଗୌରବ ଦାସ, ମମତା ମହାନ୍ତି, ଉଷାରାଣୀ ବେହେରା, ମେଘନା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ପୁଲିସ୍ କର୍ମଚାରୀ ବିଦ୍ୟାଧର ସାହୁ, କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ, ରାମଚନ୍ଦ୍ର ଦଳାଇ, ନବ କିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଟ୍ରାଫିକ ନିୟମ ସଂକ୍ରାନ୍ତରେ ସଚେତନ କରିଥିଲେ । ରାଜ୍ୟରେ ଗାଡି ମୋଟର ବୃଦ୍ଧି ପାଉଥିବାବେଳେ ଲୋକେ ଟ୍ରାଫିକ ନିୟମ ମାନିବା ନିହାତି ଆବଶ୍ୟକ ବୋଲି ସ୍ୱେଚ୍ଛାସେବୀମାନେ ଲୋକଙ୍କୁ ବୁଝାଇଥିଲେ ।
ବିଶେଷକରି ରାଜଧାନୀରେ ସମସ୍ତ ଲୋକ ଟ୍ରାଫିକ ନିୟମ ମାନିଲେ ଏହାର ସୁଦୂର ପ୍ରସାରୀ ପ୍ରଭାବ ରାଜ୍ୟର ଅନ୍ୟ ସ୍ଥାନେରେ ପଡିବ ବୋଲି ମତପ୍ରକାଶ ପାଇଥିଲା । ୱସ୍ୱର ସମ୍ପାଦିକା ଶ୍ରୀମତୀ ଦାସ କହିଥିଲେ ସରାକର ଜାରି କରିଥିବା ନିୟମ ମାନିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।
ସାଧାରଣ ଲୋକେ ଏଥିରେ ସହଯୋଗ କଲେ ସେମାନଙ୍କ ଧନଜୀବନ ସହିତ ପଥଚାରୀଙ୍କ ଜୀବନ ମଧ୍ୟ ସୁରକ୍ଷିତ ହୋଇପାରିବ । ସଚେତନତତା କାର୍ଯ୍ୟକ୍ରମରେ ଶତାଧିକ ଗାଡିଚାଳକଙ୍କୁ ଚକୋଲେଟ ଓ ଗୋଲାପ ଫୁଲ ବଣ୍ଟନ କରାଯାଇଥିଲା ।