ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ ୬/୭ଟି ଲେଖାଏଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଥିବାବେଳେ ଓଡ଼ିଶାରେ ମାତ୍ର ଗୋଟିଏ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି ଯାହାର ୧୫୪ଟି ଶିକ୍ଷକ ପବଦୀ ମଧ୍ୟରୁ ୧୩୭ଟି ଖାଲି ପଡିଛି । ଏ ପରିପ୍ରେକ୍ଷୀରେ ଓଡ଼ିଶା ପାଇଁ ଅଧିକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଞ୍ଜୁର କରିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି ।
ଦିଲ୍ଲୀ ପ୍ରଦେଶରେ ୭ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଥିବାବେଳେ ଉତ୍ତରପ୍ରଦେଶରେ ୬ଟି ରହିଛି । ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କାମ କରୁଥିବାବେଳେ ବିହାରରେ ୪ଟି ଏବଂ ମଣିପୁର ଭଳି ଛୋଟ ରାଜ୍ୟରେ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି । ଆସାମ, ଗୁଜରାଟ, ଜାମ୍ମୁ-କାଶ୍ମୀର, ମଧ୍ୟପ୍ରଦେଶ, ତାମିଲନାଡୁ ଆଦି ରାଜ୍ୟରେ ମଧ୍ୟ ଏକାଧିକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି ।
ଜେଏନ୍ୟୁ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟ, ଜାମିଆ-ମିଲିଆ-ଇସ୍ଲାମିଆ ଆଦିକୁ ମଧ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଛି । ଏହାଛଡା କେତେକ ରାଜ୍ୟରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଥିବାବେଳେ ଆଉ କେତେକ ରାଜ୍ୟରେ କୃଷି ବିଶ୍ୱବିଦ୍ୟାଳୟକୁ ମଧ୍ୟ କେନ୍ଦ୍ରୀୟ ମାନ୍ୟତା ମିଳିଛି । ଗୁଜୁରାଟର ଭଦୋଦରାଠାରେ ଥିବା ଗତିଶକ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେଳବିଭାଗ ନିୟନ୍ତ୍ରଣରେ ରହିଛି ।
ଓଡ଼ିଶାର ଦୀର୍ଘଦିନର ଦାବି ପରେ କଂଗ୍ରେସ ସରକାର ଅମଳରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଗଲା ଯାହାର କ୍ୟାମ୍ପସ୍ ଏବେ କୋରାପୁଟ ଜିଲ୍ଲାର ସୁନାବେଡ଼ାରେ ରହିଛି । ଜନ୍ମରୁ ଏହି ବିଶ୍ୱବିଦ୍ୟାଳୟଟି ଏକପ୍ରକାର ରୁଗ୍ଣ ଅବସ୍ଥାରେ ଅଛି । ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଲାଗି ୧୫୪ଟି ମଞ୍ଜୁରପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଗତ ଜୁଲାଇ ମାସର ହିସାବ ଅନୁଯାୟୀ ଏଥିରୁ ୧୩୭ଟି ଖାଲିଥିଲା । ଏଠାରେ ବହୁ ବିଭାଗରେ ପ୍ରଫେସର ନାହାନ୍ତି ।
ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହୁଛନ୍ତି ଯେ କିଛି ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୁରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ତୁରନ୍ତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଖାଲି ପଡିଥିବା ସମସ୍ତ ଶିକ୍ଷକ ପଦବୀ ପୁରଣ ସହିତ ଏଠାରେ ବାୟୋଟେକ୍ନାଲୋଜି, କମ୍ପ୍ୟୁଟର ସାଇନ୍ସ ସମେତ ବିଜ୍ଞାନର ଅନ୍ୟାନ୍ୟ ବିଷୟ ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
ଅଶି ଦଶକରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ଜୋର୍ଦାର ଦାବି ହୋଇଥିଲା । ତେବେ ସେ ସମୟରେ ଓଡ଼ିଶାର ଦାବିକୁ ଏଡାଇ ଯାଇ ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା । ଓଡ଼ିଶାରେ ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୧କୋଟି । ରାଜ୍ୟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ହେଉଛନ୍ତି ଆଦିବାସୀ । ଏବେ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ଦୁଇଟି ଆଦିବାସୀ ବିଶ୍ୱବିଦ୍ୟାଳୟ ଥିବାବେଳେ ଓଡ଼ିଶାରେ କିନ୍ତୁ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇନାହିଁ ।
ଏବେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଜଣେ ଓଡ଼ିଆ ଥିବାବେଳେ ଆଦିବାସୀ ବ୍ୟାପାର ଓ ରେଳ ବିଭାଗ ବି ଓଡ଼ିଶାର ବିଜେପି ସାଂସଦଙ୍କ ହାତରେ ରହିଛି । ତେଣୁ ଉତ୍କଳ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହିତ ଓଡ଼ିଶାରେ ଗୋଟିଏ ଆଦିବାସୀ ବିଶ୍ୱବିଦ୍ୟାଳୟ ଓ ଆଉ ଗୋଟିଏ ରେଳବିଭାଗର ଗତିଶକ୍ତି ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି । କେତେକ ରାଜ୍ୟରେ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ କୃଷି ବିଶ୍ୱବିଦ୍ୟାଳୟ ମଧ୍ୟ କେନ୍ଦ୍ରୀୟ ମାନ୍ୟତା ପାଇଥିବାବେଳେ ଓଡ଼ିଶା ବି ଏଥିରୁ ବଞ୍ôଚତ ହୋଇଆସୁଛି ।
ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅନ୍ୟତମ ଗାନ୍ଧୀ ବିଚାର ଚିନ୍ତକ ପ୍ରହଲ୍ଲାଦ କୁମାର ସିଂହ । ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଏବେ ବି ଢେର୍ ପଛରେ ରହିଛି, ଯଦିଓ ୭୫ବର୍ଷ ମଧ୍ୟରେ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲ କଲେଜ ସଂଖ୍ୟା ଢେର୍ ବଢିଛି ତଥାପି ମଧ୍ୟ ଶିକ୍ଷାର ମାନ ଆନ୍ତର୍ଜାତିକ ସ୍ତରର ହୋଇପାରିନାହିଁ ।
କରୋନା ସମୟରେ ବିଦେଶୀ ବିଶ୍ୱବିଦ୍ୟାଳୟମାନେ ଗବେଷଣା କରି ଟିକା କାଢିଥିବାବେଳେ ଭାରତର ଗବେଷକମାନେ ବି ଏ କ୍ଷେତ୍ରରେ ପଛରେ ନଥିଲେ । କିନ୍ତୁ କରୋନା ଟିକା କାଢିବା କ୍ଷେତ୍ରରେ ଭାରତର କୌଣସି ବିଶ୍ୱବିଦ୍ୟାଳୟର ନାଁ ନଥିଲା । ଆମ ଦେଶର ବିଶେଷ କରି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲାଗି ବାରମ୍ବାର ରାଜନୈତିକ ନେତାମାନେ କହୁଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ଗୁଡିକ ଶିକ୍ଷକ ମରୁଡ଼ି ବ୍ୟାଧିରେ ଘାଣ୍ଟିହେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । (ତଥ୍ୟ)