Home General ସ୍ମାର୍ଟସିଟି ମିଶନ ସୁଫଳ ଲୋକେ ପାଉନାହାନ୍ତି

ସ୍ମାର୍ଟସିଟି ମିଶନ ସୁଫଳ ଲୋକେ ପାଉନାହାନ୍ତି

ଭୁବନେଶ୍ୱର : ସ୍ମାର୍ଟ ସିଟି ମିଶନ ଯୋଜନାରେ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ୧୫୫୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ସରିଲାଣି । ହେଲେ ଏଥିରୁ ରାଜଧାନୀବାସୀ ଯେଭଳି ସୁଫଳ ପାଇବାକଥା ତାହା ପାଇପାରୁ ନାହାନ୍ତି । ସେହିଭଳି ଆହୁରି ୯ଟି ପ୍ରକଳ୍ପ ଏବେ କାର୍ଯ୍ୟକାରୀ ସ୍ଥିତିରେ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ସ୍ମାର୍ଟସିଟିରେ ବର୍ତ୍ତମାନ ସୁଦ୍ଧା ୨୬ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବାବେଳେ ଏଥିରେ ୧୫୫୨.୦୬ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ଏହିସବୁ ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ସାଧାରଣ ଲୋକଙ୍କୁ ଯେଭଳି ସହାୟତା କରିବାକଥା ଦେଖିବାକୁ ମିଳୁନାହିଁ ।

ସ୍ମାର୍ଟସିଟର ଗୋଟିଏ ପ୍ରକଳ୍ପ ଭାବରେ ମୋ ସାଇକେଲ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ବିଦେଶରୁ ଏଥିପାଇଁ ବିଭିନ୍ନ କମ୍ପାନୀର ୨ହଜାର ସାଇକେଲ ଆସିଥିଲା । ସାଇକେଲ ରଖିବାପାଇଁ ସହରର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ନିର୍ମାଣ ସହିତ ଲୋକେ କିଭଳି ସହଜରେ ସାଇକେଲ ଚଳାଇ ପାରିବେ ସେଥିପାଇଁ ଆପ୍‍ ପ୍ରସ୍ତୁତ ହୋଇଥିଲା । ହେଲେ ଏହି ଯୋଜନା ଫେଲ ମାରିଛି । ମୋ ସାଇକେଲ ଏବେ ରାସ୍ତାକଡରେ ପଡି ପଡି ଖତ ହେଉଛି । ଏହାକୁ ନେଇ ମାମଲା ଥାନାରେ ବି ପହଞ୍ଚିଛି । 

ସେହିଭଳି ଆଉଗୋଟିଏ ଯୋଜନା ହେଲା ସ୍ମାର୍ଟ ଜନପଥ । ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ରାସ୍ତାପାଶ୍ୱର୍ରେ ଏହି ନିର୍ମାଣ ହୋଇଛି । ଏହି ସ୍ମାର୍ଟ ଜନପଥ ନିର୍ମାଣପରେ ସହରର ବ୍ୟବସାୟ କେନ୍ଦ୍ର କୁହାଯାଉଥିବା ଏହି ଅଞ୍ଚଳରେ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜିଛି । ଯେତିକି ରାସ୍ତା ଥିଲା ସେଥିରୁ ଅଧିକାଂଶ ଉପରେ ଟାଇଲ ବିଛାଯାଇଛି । ଏଠାରେ ଗାଡିମୋଟର ରଖିବା ମନା । ଲୋକେ ବି ଏହି ସ୍ମାର୍ଟ ଜନପଥରେ ସେଭଳି ଯା ଆସ କରୁଥିବା ଦେଖିବାକୁ ମିଳୁନାହିଁ । ଏଠାରେ ପଡିଥିବା ସିମେଣ୍ଟ ଚେୟାରରେ ଲୋକେ କାଁ ଭାଁ ବସୁଛନ୍ତି । ସ୍ମାର୍ଟ ଜନପଥ ଉପରେ ଫ୍ଲାଇଓଭରଟିଏ ନଥିବାରୁ ଲୋକେ ସହଜରେ ଗୋଟିଏ ପଟରେ ଗାଡି ରଖି ଅନ୍ୟ ପଟକୁ ଯାଇପାରୁ ନାହାନ୍ତି । ସ୍ମାର୍ଟ ଜନପଥରେ ନିର୍ମାଣାଧିନ ସ୍ମାର୍ଟ କିଓସ୍କ ବି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ସେହିଭଳି ସ୍ମାର୍ଟସିଟି ଯୋଜନାରେ ରାଜଧାନୀରେ ନିର୍ମାଣ ହୋଇଛି ଦୁଇଟି ବହୁତଳ ପାର୍କିଂ ସୌଧ । ହେଲେ ଏଠାରେ ଲୋକେ ଗାଡି ରଖିବାକୁ ଅମଙ୍ଗ । ଶହୀଦନଗରରେ ତିଆରି ହୋଇଥିବା ବହୁତଳୀୟ ପାର୍କିଂ ସୌଧଟି ବ୍ୟବସାୟ କେନ୍ଦ୍ରଠାରୁ ଦୂରରେ ହୋଇଥିବାରୁ ଲୋକେ ସେଠାରେ ଗାଡି ରଖି ଚାଲି ଚାଲି ଆସିବାକୁ ରାଜି ନୁହନ୍ତି । ସେହିଭଳି ଦୁଇ ନମ୍ବର ମାର୍କେଟରେ ତିଆରି ପାର୍କିଂ ସୌଧରେ ବି ଅଧିକ ଅର୍ଥ ଯୋଗୁଁ ଲୋକେ ଗଳି କନ୍ଦିରେ ଗାଡି ରଖିବାକୁ ପସନ୍ଦ କରୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଏଠାରେ ଗାଡି ରଖିବାପାଇଁ ପୁଲିସ୍‍ ଓ ଟ୍ରାଫିକ କର୍ମଚାରୀ ଗାଡିମାଲିକମାନଙ୍କ ଉପରେ ଏକ ପ୍ରକାର ଜୁଲମ ଚଳାଇଛନ୍ତି । 

ସେହିଭଳି ସହରରେ ୱାଇଫାଇ ଯୋଗାଣ ବ୍ୟବସ୍ଥା ବି ଏକ ପ୍ରକାର ବାଟବଣା । ସମସ୍ତ ହାତରେ ମୋବାଇଲ୍‍ ଶସ୍ତା ଡାଟା ଥିବାରୁ ଲୋକେ ସ୍ମାର୍ଟସିଟର ୱାଇଫାଇ ବ୍ୟବହାର କରିବାକୁ ଆଦୌ ଆଗ୍ରହୀ ନୁହନ୍ତି । ସେହିଭଳି ସ୍ମାର୍ଟସିଟ ଯୋଜନାରେ ସହରର ଚାରିଆଡେ ଶହ ଶହ ସିସିଟିଭି ଖଞ୍ଜା ଯାଇଥିଲେ ମଧ୍ୟ ଚୋରି ରାହାଜାନିକୁ ସେତେଟା ରୋକାଯାଇ ପାରୁନାହିଁ । ସେହିଭଳି ସ୍ମାର୍ଟ ସିଟି ଯୋଜନାରେ ସତ୍ୟନଗର ଅଞ୍ଚଳରେ ପ୍ରସ୍ତାବିତ ବହୁ ପ୍ରତୀକ୍ଷିତ ‘ସ୍ନିକ୍‍’ ନାଲିଫିତା ତଳେ ରହିଯାଇଛି । ଏଠାରେ ବିଭିନ୍ନ ସଂସ୍ଥା ବହୁତଳୀୟ ହୋଟେଲ ଓ ବ୍ୟବସାୟ ପ୍ରତିଷ୍ଠାନ କରିବେ ବୋଲି ଯେଉଁ ପ୍ରଚାର ହୋଇଥିଲା ତାହା ଅଧାରେ ଅଟକିଛି । ମୋଟାମୋଟି ଭାବେ ସ୍ମାର୍ଟସିଟି ଯୋଜନାରେ ରାଜଧାନୀ ସ୍ମାର୍ଟ ହୋଇଥିଲେ ମଧ୍ୟ ଲୋକଙ୍କୁ ସେଭଳି ସ୍ମାର୍ଟ କରିପାରି ନାହିଁ । (ତଥ୍ୟ)