Home Health ବଜାରରେ ହାଉ ଜାଉ କଫ ସିରପ

ବଜାରରେ ହାଉ ଜାଉ କଫ ସିରପ

ଭୁବନେଶ୍ୱର : ରାଜ୍ୟର ଯେତେ ଲୋକ କଫ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହାର ଅନ୍ୟୁନ ଶହେ ଗୁଣ ଲୋକଙ୍କ ପାଇଁ କଫସିରପ ବଜାରରେ ଉପଲବ୍ଧ ହେଉଛି । ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ସଂଖ୍ୟାଧିକ ଔଷଧ ଦୋକାନୀ ଓ ଅନ୍ୟ ସ୍ଥାନରେ ନକଲି, ବେଆଇନ୍‍ କଫସିରପ ଅତି ସହଜରେ ନିଶାଡିଙ୍କ ହାତକୁ ଆସୁଛି ।

କିଛିବର୍ଷ ତଳେ ନକଲି କଫ ସିରପର ନିଶା ଓ ବିଷକ୍ରିୟାଜନିତ କାରଣରୁ ରାଜଧାନୀ ଉପକଣ୍ଠରେ ଅନେକ ଲୋକଙ୍କ ମୃତ୍ୟ ଘଟିଥିଲା ଏବଂ ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ପକାଇଥିଲା । ଏହା ପରଠାରୁ କଫସିରପ ବିକ୍ରି ଉପରେ ନିୟନ୍ତ୍ରଣ ଜାରି ହେବ ବୋଲି ବାରମ୍ବାର କୁହାଯାଉଥିଲେ ବି ବସ୍ତୁତଃ ଏବେ କଫସିରପ ନିଶାର ବିକଳ୍ପ ରୂପେ ବହୁଳ ଭାବେ ବ୍ୟବହୃତ ହେଉଛି ।

ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଲଗାତାର ଭାବେ ବେଆଇନ୍‍ କଫସିରପ ଜବତ ହେଉଛି । ତେବେ ନିଶା ପାଇଁ କଫସିରପ ବ୍ୟବହାର କରୁଥିବା ବ୍ୟକ୍ତିମାନେ କହୁଛନ୍ତି ଯେ ଯେତେ କଫସିରପ ଜବତ ହେଉଛି ବାସ୍ତବରେ ତାହାର ଢେର ଅଧିକଗୁଣ କିନ୍ତୁ ଗରାଖଙ୍କ ହାତକୁ ଯାଉଛି । ଡାକ୍ତରମାନେ କହୁଛନ୍ତି ଯେ ଆବଶ୍ୟକତା ନଥାଇ ବିନା ଡାକ୍ତରୀ ପରାମର୍ଶରେ କଫସିରପ ଅଭ୍ୟାସଗତ ଭାବେ ସେବନ କରାଯିବା ଫଳରେ ବିଭିନ୍ନ ପ୍ରକାରର ରୋଗ ବ୍ୟାଧି ସୃଷ୍ଟି ହେଉଛି । ଫୁସ୍‍ଫୁସ୍‍, ଯକୃତ, ବୃକକ୍‍, ହୃତପିଣ୍ଡ, ମସ୍ତିସ୍କ ସମେତ ଶରୀରର ସ୍ନାୟୁ ଏମିତିକି ଦୃଷ୍ଟିଶକ୍ତି ଉପରେ ମଧ୍ୟ ବିପଦଜନକ କଫସିରପର କୁପ୍ରଭାବ ପଡୁଛି । ବହୁ କ୍ଷେତ୍ରରେ ଏହା ‘ସ୍ଲୋ ପଏଜନ୍‍’ ଭଳି କାମ କରୁଛି । ତେଣୁ କେବଳ ଯେଉଁ କ୍ଷେତ୍ରରେ ରୋଗ ନିୟନ୍ତ୍ରଣ ପାଇଁ କଫସିରପର ଆବଶ୍ୟକତା ଥିବା ଡାକ୍ତର ଦର୍ଶାଉଛନ୍ତି ଏବଂ ଏହା କିପରି, କେତେବେଳେ ଓ କେଉଁ ମାତ୍ରାରେ ସେବନ କରାଯିବ ସେ ସଂକ୍ରାନ୍ତରେ ପରାମର୍ଶ ଦେଉଛନ୍ତି ତଦନୁଯାୟୀ କଫସିରପ ବ୍ୟବହାର କରାଯିବା କଥା ।

କଳା ବଜାରରେ ନାମୀ, ଦାମୀ କଫସିରପ ବ୍ରାଣ୍ଡ୍‍ରେ ବିପୁଳ ପରିମାଣର ନକଲି ସାମଗ୍ରୀ ବିକ୍ରୟ କରାଯାଉଛି । ଔଷଦ ବଦଳରେ ଏଗୁଡିକ ମଦ ଓ ଅନ୍ୟାନ୍ୟ ନିଶାର ବିକଳ୍ପ ଭାବେ ବଜାରକୁ ଛଡା ଯାଉଥିବାରୁ ଲାଭଖୋର ଅସାଧୁ ବ୍ୟବସାୟୀମାନେ ବିପଦଜନକ ନିଶା ସାମଗ୍ରୀ ଏଥିରେ ବ୍ୟବହାର କରୁଥିବା ଘେନି ବାରମ୍ବାର ଅଭିଯୋଗ ହେଉଛି । ଏମିତିକି ପରିବା ବୋଝେଇ ଓ ଥଣ୍ଡାପାନୀୟ ଗାଡିରେ ବି ପେଟି ପେଟି ନକଲି କଫସିରପ ଜବତ ହେଉଛି ।

ଏହି ନକଲି କଫସିରପ ବେପାରର ଚେର ରାଜ୍ୟ ବାହାରକୁ ମଧ୍ୟ ମାଡିଥିବା କୁହାଯାଉଛି । ନକଲି କଫସିରପ ସହିତ ବିଭିନ୍ନ ସମୟରେ ବିପୁଳ ପରିମାଣର ନକଲି ଔଷଧ ମଧ୍ୟ ଜବତ କରାଯାଉଛି । ଏମିତିକି ବିନା ପ୍ରେସକ୍ରିପସନ୍‍ରେ ବି ଅତି ସହଜରେ ନିଦ ଔଷଧ ଉପଲବ୍ଧ ହେଉଛି । ଖାଉଟିମାନଙ୍କ ନିକଟରେ ଦୁଗ୍ଧ, ପନିର ଠାରୁ ଆରମ୍ଭକରି ତେଲ, ଘିଅ, ମସଲାଗୁଣ୍ଡ ନାମରେ ବିପୁଳ ପରିମାଣର ନକଲି ସାମଗ୍ରୀ ଅସଲି ଦାମରେ ଉପଲବ୍ଧ ହେଉଥିବାବେଳେ ନକଲି ଔଷଧ ଓ କଫସିରପ ନାମରେ ମିଳୁଥିବା ବିକଳ୍ପ ନିଶା ସାମଗ୍ରୀ ଏବେ ବଡ ଆହ୍ୱାନ ସୃଷ୍ଟି କରିଛି । ଏଭଳି ବ୍ୟବସାୟରେ ଲିପ୍ତ ରହୁଥିବା ବ୍ୟକ୍ତିମାନଙ୍କ ପ୍ରତି ତୁରନ୍ତ କଠୋର ଦଣ୍ଡବିଧାନ ହୋଇପାରୁନଥିବା ଏବଂ ସଂଖ୍ୟାଧିକ କ୍ଷେତ୍ରରେ ଏମାନେ ଆଇନ୍‍ର ଗଳାବାଟ ଦେଇ ଜାମିନ୍‍ରେ ଆସିବ ସହ ବର୍ଷ ବର୍ଷ ଧରି ମାମଲା ଗଡାଇ ଖସିଯାଉଥିବାରୁ ବ୍ୟାପକ ଧନଜୀବନ ହାନି ହେଉଛି । (ତଥ୍ୟ)