ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ରାସ୍ତାଉପରେ ଯାନବାହାନ ରଖିଲେ ପୁଲିସ୍ ଫାଇନ୍ କାଟୁଛି । ତେବେ ପୁଲିସ୍ ଫାଇନ୍ଠୁ ଅଧିକ ଅର୍ଥ ଦେବାକୁ ପଡୁଛି ଗାଡି ଟଣା ସଂସ୍ଥାଙ୍କୁ । ଏହାକୁ ନେଇ ଏବେ ରାଜଧାନୀରେ ଅସନ୍ତୋଷ ବଢିବାରେ ଲାଗିଛି ।
ରାଜଧାନୀର ରାସ୍ତାକଡରେ ଯଦି କୌଣସି ଚାରିଚକିଆ ଭୁଲବଶତଃ ଛିଡାହୋଇ ଯାଉଛି ତେବେ ତାକୁ ତୁରନ୍ତ ‘ଟୋଇଂ” ଗାଡିରେ ଉଠାଇ ନିଆଯାଉଛି । ଏଥିପାଇଁ ରାଜଧାନୀରେ ବିଭିନ୍ନ ଘରୋଇ ସଂସ୍ଥାଙ୍କୁ ନିୟୋଜିତ କରାଯାଇଛି । ସେମାନେ ନିଜ ନିଜ ଗାଡିକୁ ଧରି ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି । ଯଦି କୌଣସି ଠାରେ ରାସ୍ତାକଡରେ ନିୟମ ଉଲ୍ଲଙ୍ଘନ କରି କୌଣସି ଚାରିଚକିଆ କିମ୍ବା ତିନି ଚକିଆ ଛିଡାହୋଇଥିବା ଦେଖୁଛନ୍ତି ତେବେ ତାକୁ ତୁରନ୍ତ ଉଠାଇ ନେଉଛନ୍ତି ।
ଏହି ଗାଡିଗୁଡିକୁ ନେଇ ନିକଟସ୍ଥ ଥାନା କିମ୍ବା ଅନ୍ୟ ଧାର୍ଯ୍ୟ ସ୍ଥାନରେ ରଖୁଛନ୍ତି । ପରେ ଗାଡି ମାଲିକ ଯାଇ ସେଠାରେ ଜୋରିମାନା ଦେଇ ଗାଡି ଆଣୁଛନ୍ତି । ଚାରିଚକିଆ ଯାନ ପାଇଁ ୧୨୦୦ ଟଙ୍କାର ଜୋରିମାନା ଦେବାକୁ ପଡୁଛନ୍ତି । ଏହି ୧୨୦୦ ଟଙ୍କା ମଧ୍ୟରୁ ଗାଡି ଟାଣି ନେଇଥିବା ସଂସ୍ଥା ୭୦୦ ଟଙ୍କା ପାଉଥିବାବେଳେ କମିଶନରେଟ ପୁଲିସ୍ ୫୦୦ ଟଙ୍କା ପାଉଛି । ଏପରିକି ଗାଡି ଟଣା ସଂସ୍ଥା ୭୦୦ ନେଇ ଛାଡି ଦେଉଥିବାବେଳେ ପରେ ଗାଡି ମାଲିକଙ୍କ ମୋବାଇଲ୍ ନମ୍ବରକୁ ୫୦୦ ଟଙ୍କାର ଜୋରିମାନା ମେସେଜ ଆସୁଛି ।
ତେବେ ସବୁଠାରୁ ବଡକଥା ହେଉଛି ରାଜଧାନୀର କୌଣସି ସ୍ଥାନରେ ଗାଡି ନରଖିବା ନେଇ ସତର୍କସୂଚନା ଲାଗିନାହିଁ । କେଉଁଠାରେ ଗାଡି ରହିବ ଓ କେଉଁଠାରେ ରହିବନାହିଁ ସେ ନେଇ ସ୍ପଷ୍ଟ ସୂଚନା ନଥିବାରୁ ହାଟ ବଜାର ନିକଟରେ ରଖିଦେଉଥିବା ଗାଡିକୁ ଏହି ଘରୋଇ ସଂସ୍ଥାମାନେ ସିଧା ଉଠାଇ ନେଉଛନ୍ତି ।
ତେବେ ଗାଡିମାଲିକଙ୍କ କହିବାକଥା ଯେ ପ୍ରଥମେ କେଉଁଠି ଗାଡି ରହିବ ବା କେଉଁଠି ରହିବନାହିଁ ସେଥିନେଇ ଫଳକ ଲଗାଯାଉ । ଯଦି କୌଣସି ଠାରେ ନିୟମ ଉଲ୍ଲଙ୍ଘନ ହେଉଛି ତେବେ ଟ୍ରାଫିକ କିମ୍ବା ପୁଲିସ୍ କର୍ମଚାରୀମାନେ ସେହି ସ୍ଥାନରୁ ସିଧାସଳଖ ଜୋରିମାନା ଆଦାୟ କରନ୍ତୁ । ହେଲେ ତାହା ନକରି ଘରୋଇ ସଂସ୍ଥାକୁ ପୋଷିବାପାଇଁ ରାସ୍ତା ଉପରୁ ଗାଡି ଟେକିନେଇଯିବା ଠିକ୍ ହେଉନାହିଁ । ଏହାକୁ ନେଇ ଅନେକ ସମୟରେ ଗାଡି ଟଣା ସଂସ୍ଥା ଓ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି । ଏପରିକି ଅନେକ ସମୟରେ ପୁଲିସ୍ କର୍ମଚାରୀମାନେ ଆସି ଫାଇନ୍ ଆଦାୟ କରିବା ବଳରେ ଗାଡି ଟେକି ନେବାକୁ ଉତ୍ସାହିତ କରୁଛନ୍ତି । ଏଥିଯୋଗୁଁ ଗାଡିମାଲିକଙ୍କ ପକେଟ ଖାଲି ହେଉଥିବାବେଳେ ଘରୋଇ ସଂସ୍ଥା କିନ୍ତୁ ମାଲେମାଲ ହେଉଛି ।
ସେହିଭଳି ଦ୍ରୁତ ଗାଡିଚାଳନା ପାଇଁ ଦୁଇ ଚକିଆ ଆରୋହୀମାନେ ରାଜଧାନୀରେ ଜୋରିମାନା ଗଣୁଥିବାବେଳେ କେଉଁ ରାସ୍ତାରେ କେତେ ବେଗରେ ସେମାନେ ଯା’ ଆସ କରିବେ ସେ ନେଇ କୌଣସି ସତର୍କ ସୂଚନା ନାହିଁ । ଫଳରେ ଗହଳି ନଥିବା ସମୟରେ ଯଦି କୌଣସି ଦୁଇ ଚକିଆ ଯାନ ଜୋରରେ ଯାଉଛି ତେବେ ତୁରନ୍ତ ଗାଡି ଚାଳକଙ୍କ ମୋବାଇଲ୍କୁ ହଜାରେ ଟଙ୍କିଆ ଜୋରିମାନା ମେସେଜ ଆସିଯାଉଛି ।
ଉଭୟ ପୁଲିସ୍ ଓ ପରିବହନ ଅଧିକାରୀ ଯାନବାହାନରୁ ଜୋରିମାନା ଆଦାୟ ଉପରେ ଯେତେ ଜୋର ଦେଉଛନ୍ତି ସେହି ଅନୁପାତରେ ସୂଚନା ଫଳକ ଲଗାଇବା କିମ୍ବା ଲୋକଙ୍କୁ ସଚେତନ ଉପରେ ଜୋର ଦେଉ ନାହାନ୍ତି । ଫଳରେ ଏବେ ଅନେକ ଲୋକେ ଜୋରିମାନା ମେସେଜ ପାଇଲେ ମଧ୍ୟ ଅର୍ଥ ପଇଠ କରୁନାହାନ୍ତି । ଆଗାମୀ ଦିନରେ ଏହାକୁ ନେଇ ଗୁରୁତର ଆଇନ୍ଗତ ସମସ୍ୟା ଉପୁଜିବାର ଆଶଙ୍କା କରାଯାଉଛି । (ତଥ୍ୟ)