Home Judiciary ଅପରାଧିଙ୍କର ଭୟ ରହୁନି

ଅପରାଧିଙ୍କର ଭୟ ରହୁନି

ଭୁବନେଶ୍ୱର : ଅପରାଧିକ ମାମଲାଗୁଡିକରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଥିବା ଏବଂ ସଂଖ୍ୟାଧିକ ମାମଲା ଫଏସଲା ନହୋଇ ବର୍ଷ ବର୍ଷ ଧରି ଗଡିଚାଲିବା ଫଳରେ  ଅପରାଧିମାନଙ୍କ ମନରେ ଦଣ୍ଡ ପ୍ରତି ଭୟ ରହୁନଥିବାରୁ ଅପରାଧ ବଢୁଛି । ଏକଥା ଅଭିଜ୍ଞ ଆଇନ୍‍ଜୀବୀଙ୍କ ଠାରୁ ଆରମ୍ଭକରି ଅବସରପ୍ରାପ୍ତ ବିଚାରପତି ଓ ପୁଲିସ୍‍ ଅଧିକାରୀମାନେ ସ୍ୱୀକାର କରୁଥିଲେ ବି ପ୍ରତିକାର ହୋଇପାରୁନାହିଁ ।

ଗତବର୍ଷ ପ୍ରକାଶିତ ‘କ୍ରାଇମ୍‍ ଇନ୍‍ ଇଣ୍ଡିଆ’ ରିପୋର୍ଟ ଅନୁଯାୟୀ ଖାଲି ଓଡିଶାରେ କାହିଁକି, ସାରା ଦେଶରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି । ସର୍ବଭାରତୀୟ ସ୍ତରରେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧରେ ଦଣ୍ଡବିଧାନ ହାର ୨୬.୫ ପ୍ରତିଶତ ଥିବାବେଳେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧରେ ଦଣ୍ଡବିଧାନ ହାର ୩୩.୫ ପ୍ରତିଶତ ରହିଛି । ଆର୍ଥିକ ଅପରାଧରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ପ୍ରାୟ ୨୯ ପ୍ରତିଶତ ଥିବାବେଳେ ଭାରତୀୟ ପିଙ୍ଗଳ କୋଡ୍‍ର ବିଭିନ୍ନ ଦଫାରେ ରୁଜୁ ମାମଲାରେ ଦଣ୍ଡବିଧାନ ହାର ୫୭, ଏସଏଲଏଲ ଅପରାଧ ମାମଲାରେ ୭୮ ପ୍ରତିଶତ ରହିଛି ।

ବରିଷ୍ଠ ନାଗରିକଙ୍କ ପ୍ରତି ଘଟୁଥିବା ଅପରାଧରେ ଦଣ୍ଡବିଧାନ ହାର ସାରା ଦେଶରେ ୩୨ ପ୍ରତିଶତ ଥିବାବେଳେ ଅନୂସୂଚିତ ଜାତି ବର୍ଗଙ୍କ ପ୍ରତି ଅପରାଧରେ ୩୬, ଅନୁସୂଚିତ ଜନଜାତି ବର୍ଗଙ୍କ ପ୍ରତି ଅପରାଧ କ୍ଷେତ୍ରରେ ୨୮, ସାଇବର ଅପରାଧରେ ୪୨, ପରିବେଶ ମାମଲାରେ ୯୮ ଓ ରାଷ୍ଟ୍ର ବିରୁଦ୍ଧରେ ଅପରାଧ ମାମଲାରେ ୫୪ ପ୍ରତିଶତ ରହୁଛି ।

ଏହି ରିପୋର୍ଟର ତଥ୍ୟ ମୁତାବକ ଓଡିଶାରେ ମହିଳମାନଙ୍କ ପ୍ରତି ଘଟୁଥିବା ଅପରାଧ ମାମଲାରେ ଦଣ୍ଡବିଧାନ ହାର ୮.୩ ପ୍ରତିଶତ ଥିବାବେଳେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧରେ ଏହା ୧୨, ଆର୍ଥିକ ଅପରାଧ କ୍ଷେତ୍ରରେ ୩.୨, ଭାରତୀୟ ପିଙ୍ଗଳ କୋଡ୍‍ର ବିଭିନ୍ନ ଦଫାରେ ରୁଜୁ ଅପରାଧିକ ମାମଲାରେ ମାତ୍ର ୫.୭, ଏସଏଲଏଲ ଅପରାଧ ମାମଲାରେ  ୩.୮ ପ୍ରତିଶତ ଥିବାବେଳେ, ବରିଷ୍ଠ ନାଗରିକ ଓ ଅନୁସୂଚିତ ଜନଜାତିଙ୍କ ପ୍ରତି ଅପରାଧ, ସାଇବର ଅପରାଧ, ରାଷ୍ଟ୍ର ବିରୁଦ୍ଧରେ ଅପରାଧ ଓ ପରିବେଶ ମାମଲାରେ ଆଦୌ ଦଣ୍ଡବିଧାନ ହୋଇନଥିବାବେଳେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ପ୍ରତି ଘଟିଥିବା ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ୧ ପ୍ରତିଶତରୁ କମ୍‍ ରହିଛି ।

ଏହି କିସମଗୁଡିକର ଯେତେ ମାମଲା ରାଜ୍ୟରେ ବିଚାର ପ୍ରତୀକ୍ଷାରେ ରହିଛି ସେଥିରୁ ବର୍ଷରେ ୫ ପ୍ରତିଶତ ମାମଲା ମଧ୍ୟ ଫଏସଲା ହୋଇପାରୁ ନାହିଁ । ଏମିତିକି କେତେକ କ୍ଷେତ୍ରରେ ଫଏସଲା ହେଉଥିବା ମାମଲା ହାର ୨/୩ ପ୍ରତିଶତ ବି ରହୁଛି । ଜାତୀୟ ସ୍ତରରେ ବି ମାମଲା ଫଏସଲା ହାର ବହୁ ଅପରାଧ କ୍ଷେତ୍ରରେ ୧୦ ପ୍ରତିଶତରୁ କମ୍‍ ରହୁଛି ।

ଓଡିଶାରେ ପ୍ରାୟ ୧୭ଲକ୍ଷ ମାମଲା ବିଭିନ୍ନ ଆଇନ୍‍ ଅଦାଲତରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ପାଖାପାଖି ୧୩ଲକ୍ଷ ହେଉଛି ଅପରାଧିକ ମାମଲା । ରାଜ୍ୟରେ ଏମିତି ବି ଚାରି ହଜାରରୁ ଅଧିକ ଅପରାଧିକ ମାମଲା କୋର୍ଟ କଚେରୀରେ ୩୦ବର୍ଷରୁ ଅଧିକ ସମୟ ଧରି ଗଡୁଛି । ୫ରୁ ୩୦ବର୍ଷ ଧରି ପାଖାପାଖି ୬ଲକ୍ଷ ଅପରାଧିକ ମାମଲା ମଧ୍ୟ କୋର୍ଟ କଚେରୀରେ ପଡି ରହିଛି । ଗୋଟିଏ ପଟେ ମାମଲା ଫଏସଲାରେ ବିଳମ୍ବ ଘଟୁଥିବାବେଳେ ଅନ୍ୟ ପଟେ ମାମଲା ତଦନ୍ତରେ ବି ବହୁ କ୍ଷେତ୍ରରେ ତ୍ରୁଟି ରହୁଛି ଏବଂ ଏହାର ଫାଇଦା ନେଇ ଅପରାଧିମାନେ ସହଜରେ ଜାମିନରେ ଖସି ପୁଣି ନୂଆ ନୂଆ ଅପରାଧ ଘଟାଉଛନ୍ତି । ନିଶାର ପ୍ରସାର ସହିତ ବେକାରୀ ବେରୋଜଗାରୀ ବଢିବା ଏବଂ ନୈତିକର ସ୍ଖଳନ ଯୋଗୁଁ ଅପରାଧ ବଢିଚାଲି ସାଧାରଣ ଲୋକଙ୍କ ଧନଜୀବନକୁ  ବିପର୍ଯ୍ୟସ୍ତ କରୁଛି (ତଥ୍ୟ)