Home Judiciary ଅପରାଧିକ ମାମଲା ୮୧ ପ୍ରତିଶତ

ଅପରାଧିକ ମାମଲା ୮୧ ପ୍ରତିଶତ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଦାଲତର ଯେତିକି ମାମଲା ରୁଜୁ ହେଉଛି ତାହାର ୮୧% ହେଉଛି ଫେୀଜଦାରୀ ମାମଲା । ଯେତିକି ମାମଲା ରୁଜୁ ହେଉଚି ଫଏସଲା ହେଉଥିବା ମାମଲା ସଂଖ୍ୟା ତାହାଠାରୁ ଢେର କମ୍‍ । ତେବେ ଓଡିଶା ହାଇକୋର୍ଟ ଚଳିତବର୍ଷର ପ୍ରଥମ ୫ମାସ ଭିତରେ ମଇ ଶେଷ ସୁଦ୍ଧା ମାମଲ ଫଏସଲା ହାର ରୁଜୁ ମାମଲାର ୧୩୪% ଥିବାବେଳେ ନିମ୍ନ ଅଦାଲତଗୁଡିକରେ ଏହି ହାର ୮୭% ରୁ କମ୍‍ ।

ଓଡିଶାରେ ଏବେ ୧୭ଲକ୍ଷରୁ ଉର୍ଦ୍ଧ୍ୱ ମାମଲା ବିଚାରାଧିନ ଥିବାବେଳେ ସେଥି ମଧ୍ୟରୁ ୧୨ଲକ୍ଷରୁ ଅଧିକ ହେଉଛି ଅପରାଧିକ ମାମଲା । ଏବର୍ଷ ଜାନୁୟାରୀରୁ ମଇ ମାସ ଭିତରେ ଓଡିଶାର ନିମ୍ନ ଅଦାଲତଗୁଡିକରେ ୨,୦୧,୨୨୯ଟି ମାମଲା ରୁଜୁ ହୋଇଥିବାବେଳେ ଏଥି ମଧ୍ୟରୁ ୧,୬୪,୧୩୨ଟି ହେଉଛି ଫୌଜଦାରୀ ମାମଲା । ଅର୍ଥାତ୍‍ ମୋଟ୍‍ ମାମଲାର ୮୧%ରୁ ଅଧିକ ହେଉଛି ଫୌଜଦାରୀ ମାମଲା ।

ଏହି ସମୟ ମଧ୍ୟରେ ନିମ୍ନ ଅଦାଲତଗୁଡିକରେ ୧,୮୪,୮୩୮ଟି ମାମଲାର ଫଏସଲା ହୋଇଛି ଯେଉଁଥିରୁ ୧,୪୧,୧୪୩ଟି ଫୌଜଦାରୀ ମାମଲା । ଅର୍ଥାତ୍‍ ଫଏସଲା ହୋଇଥିବା ମାମଲାଗୁଡିକ ମଧ୍ୟରେ ଫୌଜଦାରୀ ମାମଲାର ହାର ହେଉଛି ପ୍ରାୟ ୭୬% । ଦୁର୍ନୀତି ନିବାରଣ ମାମଲାକୁ ଛାଡିଦେଲେ ଅନ୍ୟସବୁ ଅପରାଧିକ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି । ବିଶେଷକରି ବିଭିନ୍ନ ଆଇପିସି ମାମଲା, ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ ଏବଂ ଏସଟି, ଏସ୍‍ସି ଅତ୍ୟାଚାର ମାମଲାରେ ଆମ ରାଜ୍ୟରେ ଦଣ୍ଡବିଧାନ ହାର ଢେର କମ୍‍ । ଏମିତିକି କେତେକ କ୍ଷେତ୍ରରେ ଏହା ୧୦%ରୁ ମଧ୍ୟ କମ୍‍ ରହିଛି ।

ପ୍ରାପ୍ତ ସୂଚନା ମୁତାବକ ଚଳିତବର୍ଷର ପ୍ରଥମ ୫ମାସ ଭିତରେ ମାସିକ ହାରାହାରି ୪୮,୨୪୫ଟି ମାମଲା ନିମ୍ନ ଅଦାଲତଗୁଡିକରେ ରୁଜୁ ହେଉଥିବାବେଳେ ଫୌଜଦାରୀମାମଲା ସଂଖ୍ୟା ରହୁଛି ମାସିକ ହାରାହାରି ୩୨,୮୬୪ । ଅଥଚ ମାସରେ ହାରାହାରି ୫ହଜାର ଫୌଜଦାରୀ ମାମଲାରେ ବି ଦଣ୍ଡବିଧାନ ହୋଇପାରି ନାହିଁ ।

ଦୁର୍ବଳ ମାମଲା ପରିଚାଳନା, ତ୍ରୁଟିପୂର୍ଣ୍ଣ ତଦନ୍ତ, ଚାର୍ଜସିଟ୍‍ରେ ତ୍ରୁଟିବିଚ୍ୟୁତି, ଅଦାଲତରେ ସଂଖ୍ୟାଧିକ ମାମଲାରେ ଠିକଣା ସମୟରେ ତଦନ୍ତକାରୀ ଅଧିକାରୀ ଓ ସରକାରଙ୍କ ପକ୍ଷର ଅନ୍ୟ ସାକ୍ଷୀମାନେ ଉପସ୍ଥିତ ନହେବା, ମାମଲା ଫଏସଲାରେ ଅହେତୁକ ବିଳମ୍ବ, ସାକ୍ଷ୍ୟ ପ୍ରମାଣନ ନଷ୍ଟ ସହିତ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା, ବହୁ କ୍ଷେତ୍ରରେ ଅଭିଯୁକ୍ତ ଓ ପୀଡିତ ବୟସାଧିକ କାରଣରୁ ଅଦାଲତକୁ ଆସିନପାରିବା ଏବଂ କେତେକ କ୍ଷେତ୍ରରେ ସେମାନଙ୍କ ମୃତ୍ୟୁ ହେବାଯୋଗୁଁ ଫୌଜଦାରୀ ମାମଲାଗୁଡିକରେ ଦଣ୍ଡବିଧାନ ହାର ଢେର କମ୍‍ ରହୁଛି ।

କେଉଁ ବିଚାରପତିଙ୍କ ନିକଟରେ କେତେ ମାମଲା ତାଲିକାଭୁକ୍ତ ହେଉଛି, ସେଥିରୁ କେତେ ମାମଲା ଶୁଣାଣି ହେଉଛି, କେତେ ମାମଲା ଫଏସଲା ହେଉଛି ଓ କେତେ ମାମଲାରେ କେତେମାସ ଧରି ରାୟ ସଂରକ୍ଷିତ ରହୁଛି ସେ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷ ନିୟମିତ ବ୍ୟବଧାନରେ ତଥ୍ୟ ସଂଗ୍ରହ କରୁଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତି କହିଛନ୍ତି ଯେ ଏହି ସଂଗୃହୀତ ତଥ୍ୟ ଅସ୍ଥାୟୀ ବିଚାରପତିମାନଙ୍କୁ ସ୍ଥାୟୀ କରାଯିବା ଓ ସ୍ଥାୟୀ ବିଚାରପତିମାନଙ୍କ ପଦୋନ୍ନତି କ୍ଷେତ୍ରରେ ମାନଦଣ୍ଡ ଭାବରେ ଗ୍ରହଣ କରାଯାଇଥାଏ । ଏହା ସତ୍ୱେ ବି କେତେକ କ୍ଷେତ୍ରରେ ଦୀର୍ଘଦିନ ଧରି ରାୟ ସଂରକ୍ଷିତ ରହୁଛି ।ଏହାଛଡା ତଳୁ ଉପର ପର୍ଯ୍ୟନ୍ତ ବିଚାରପତିମାନେ ହେଉଥିବା ଅଦେଶ ଓ ରାୟର ମାନ ମଧ୍ୟ ଉପଯୁକ୍ତ ଫୋରମରେ ତଦାରଖ କରାଯାଇଥାଏ । ତେବେ ଥାନା ଫାଣ୍ଡି ଠାରୁ ଆରମ୍ଭ କରି ସରକାରୀ ଓ ସାମାଜିକ ବ୍ୟବସ୍ଥାରେ ସମସ୍ୟାର ସମାଧାନ ଲାଗି ଅଭିଯୋଗଗୁଡିକର ତ୍ୱରିତ ସକରାତ୍ମକ ଫଏସଲା ହେଉଥିନାରୁ ମାମଲା ବୃଦ୍ଧି ସହ ଅପରାଧ ମଧ୍ୟ ସମତାଳରେ ବଢି ଚାଲୁଛି । (ତଥ୍ୟ)