Home Energy ଅକ୍ଷୟ ଶକ୍ତି ପକଳ୍ପ ପାଇଁ ଫି ଛାଡ

ଅକ୍ଷୟ ଶକ୍ତି ପକଳ୍ପ ପାଇଁ ଫି ଛାଡ

ଭୁବନେଶ୍ୱର : ଅକ୍ଷୟଶକ୍ତି କ୍ଷେତ୍ରରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବାପାଇଁ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଉପରୁ ପଞ୍ଜିକରଣ ଓ ଷ୍ଟାମ୍ପଡ୍ୟୁଟି ସମ୍ପୂର୍ଣ୍ଣ ଛାଡ କରିଛନ୍ତି । ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିକଟରେ ଦୁଇଟି ବିଜ୍ଞପ୍ତି ଜାରି ହୋଇଛି ।

ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ଖରିଦ କିମ୍ବା ଲିଜ୍‍ରେ ଆଣିବା କ୍ଷେତ୍ରରେ ରାଜ୍ୟ ସରକାର ଷ୍ଟାମ୍ପଡ୍ୟୁଟି ଛାଡ କରିଛନ୍ତି । ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ର ଧାରା (କ) ଉପଧାରା (୧) ଏବଂ ଧାରା ୯ ଅନୁଯାୟୀ ଏହି ଛାଡ କରାଯାଇଛି । ଅନ୍ୟ ଏକ ବିଜ୍ଞପ୍ତିରେ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅକ୍ଷୟଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଲିଜ୍‍ରେ ଅଣାଯାଉଥିବା ଜମି ଉପରୁ ପଞ୍ଜିକରଣ ଅଧିନିୟମ ୧୯୦୮ ଯାହାକି ୨୦୦୨ରେ ସଂଶୋଧନ ହୋଇଛି ତାହାର ଧାରା ୮ ଅନୁଯାୟୀ ପଞ୍ଜିକରଣ ଫି ଛାଡ କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ଓଡିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ରେ ଅନୁଯାୟୀ ପ୍ରକଳ୍ପ ସ୍ଥାପନ ପାଇଁ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜିକରଣ ଫି ଛାଡ କରାଯାଉଛି । ଆଇଫରେଷ୍ଟ ପକ୍ଷରୁ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ ଓଡିଶାରେ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ବିପୁଳ ସୁଯୋଗ ରହିଛି । ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଓଡିଶା ୧୭୦ ଗିଗାୱାଟ କ୍ଷମତା ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିପାରିବ । ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଆକଳନ ଠାରୁ ଏହା ୬ରୁ ୭ଗୁଣ ଅଧିକ ରହିଛି ।

ଓଡିଶାର ଅକ୍ଷୟ ଶକ୍ତି ନୀତି ଓଡିଶା କନକ୍ଲେଭ, ୨୦୨୨ରେ ପ୍ରକାଶ ପାଇଥିଲା । ଏଥିରେ ସବୁଜ ଶକ୍ତି କ୍ଷେତ୍ରକୁ ନିବେଶକଙ୍କୁ ଆକୃଷ୍ଟ କରିବା, ବିଶେଷକରି ଗ୍ରିନ ହାଇଡ୍ରୋଜେନ, ଗ୍ରିନ୍‍ ଆମେନିଆ, ଭାସମାନ ସୌରପ୍ରକଳ୍ପ, ପବନ ଶକ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟରେ ଏବେ ପ୍ରାୟ ୬୨୭ ମେଗାୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନର ଯୋଜନା ଥିବାବେଳେ ନୂତନ ନୀତିରେ ୨୦୩୦ ସୁଦ୍ଧା ଏହାକୁ ୧୦,୦୦୦ ମେଗାୱାଟକୁ ବୃଦ୍ଧିର ଯୋଜନା ରହିଛି । ନିକଟରେ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‍ରେ ଓଡିଶା ସରକାର ସବୁଜ ଶକ୍ତି କ୍ଷେତ୍ର ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କର ବଜେଟ୍‍ ଅଭିଭାଷଣରେ ୫୦ କୋଟି ଟଙ୍କା ସବୁଜ ଶକ୍ତି କରିଡର ପାଇଁ ଓ ଆଉ ୫୦ କୋଟି ଟଙ୍କା ପ୍ରସ୍ତାବିତ ଓଡିଶା ଅକ୍ଷୟ ଶକ୍ତି ବିକାଶ ପାଣ୍ଠି ପାଇଁ ବ୍ୟବସ୍ଥା ଥିବା କହିଥିଲେ । (ତଥ୍ୟ)