Home Energy ନାକେଦମ କଲାଣି ବିଜୁଳି

ନାକେଦମ କଲାଣି ବିଜୁଳି

ଭୁବନେଶ୍ୱର : ବିଜୁଳି ଉତ୍ପାଦନରେ ବଳକା ବୋଲି କହି ସାରା ଦେଶରେ ପ୍ରଶଂସା ସାଉଁଟୁଥିବା ରାଜ୍ୟ ସରକାର ଏବେ ବିଦ୍ୟୁତ୍‍ ବିତରଣ କମ୍ପାନୀର ଅପାରଗତା ପାଇଁ ନାକେଦମ ହେଲେଣି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ବିତରଣ କମ୍ପାନୀର କାର୍ଯ୍ୟକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଗତ କିଛିଦିନ ଧରି ରାଜ୍ୟରେ ଅଘୋଷିତ ବିଜୁଳି କାଟ୍‍ ଲାଗି ରହିଛି । ତେବେ ପ୍ରଥମେ ଏହା ବିଜୁଳି କାଟ୍‍ ନୁହେଁ ବିଜୁଳି ଟ୍ରିପ୍‍ ବୋଲି କହି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କୌଣସି ପ୍ରକାରେ ଅସନ୍ତୋଷକୁ ଟାଳି ଦେଇଥିଲେ । ହେଲେ ଏବେ କାଳବୈଶାଖି ସାଙ୍ଗକୁ ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗରମ ଓ ଗୁଳୁଗୁଳି ଜନ ଅସନ୍ତୋଷ ବଢାଇବାରେ ଲାଗିଛି ।

ରାଜ୍ୟର ଗାଁ ଗହଳ ଠାରୁ ଆରମ୍ଭକରି ଖୋଦ୍‍ ରାଜଧାନୀ ପର୍ଯ୍ୟନ୍ତ କାଳ ବୈଶାଖୀରେ ବିଦ୍ୟୁତ୍‍ ଗଲେ ଆସିବାକୁ ଘଣ୍ଟା ଘଣ୍ଟା ଏପରିକି ୧୦/୧୨ ଘଣ୍ଟା ଲାଗି ଯାଉଛି । ଗାଁ ଗହଳରେ ଦିନ ଦିନ ଧରି ବିଜୁଳି ଆସୁନାହିଁ । ପ୍ରଥମେ ବିଦ୍ୟୁତ୍‍ ଟ୍ରିପ୍‍ ବୋଲି କହୁଥିବା ଶକ୍ତିମନ୍ତ୍ରୀ ଏବେ କାଳବୈଶାଖୀ ଓ ଦୁର୍ବଳ ଭିତ୍ତିଭୂମିକୁ ଦୋଷ ଦେବା ଆରମ୍ଭ କରିଛନ୍ତି ।

ତେବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବିଦ୍ୟୁତ୍‍ ବିତରଣ କମ୍ପାନୀ ଟାଟା ପାୱାରର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକଟ ସହିତ ଟୁଇଟ୍‍ କରିବାପରେ ଏବେ ବାସ୍ତବ ଚିତ୍ର ପଦାକୁ ଆସିବାରେ ଲାଗିଛି । ଯଦିଓ ଏହାପରେ ଶକ୍ତିମନ୍ତ୍ରୀ କାଳବୈଶାଖୀକୁ ଦାୟୀ କରି ସଫେଇ ଦେଇଛନ୍ତି କିନ୍ତୁ ସାଧାରଣ ଲୋକେ ତାହାକୁ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି ।

ସମଗ୍ର ରାଜ୍ୟରେ ଏବେ ଅସହ୍ୟ ତାତି ପରିଲକ୍ଷିତ ହେଉଛି । ଆଶାଢରେ ମୁଣ୍ଡଫଟା ଖରା ସାଙ୍ଗକୁ ତାପମାତ୍ରା ବୃଦ୍ଧିରେ ରାଜଧାନୀ ଏବେ ଝାରସୁଗୁଡାକୁ ଟପି ଗଲାଣି । ଏଭଳି ସ୍ଥିତିରେ ବିଦ୍ୟୁତ୍‍ କାଟ୍‍ ଯୋଗୁଁ ଲୋକେ ଗରମରେ ଆଉଟୁ ପାଉଟୁ ହେବା ସହିତ ସେମାନଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।

ଅବସ୍ଥା ଏଭଳି ହେଲାଣି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‍ କାଟ୍‍ର ସମ୍ମୁଖୀନ ହେଉଥିବା ଲୋକେ ଏବେ ରାସ୍ତାଘାଟରେ ଆସି ରାତି ଅଧରେ ଟାୟାର ଜାଳି ପ୍ରତିବାଦ କଲେରି । ବିରୋଧି ବିଜେପି ଓ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତକଦଳ ଏବେ ଧିରେ ଧିରେ ବିଦ୍ୟୁତ୍‍ କାଟ୍‍କୁ ପ୍ରସଙ୍ଗ କରିବାରେ ଲାଗିଛନ୍ତି । ବିଭିନ୍ନ ସଂଗଠନ ଠାରୁ ଆରମ୍ଭକରି ଯୁବ କଂଗ୍ରେସର ସଦସ୍ୟମାନେ ଶକ୍ତିମନ୍ତ୍ରୀଙ୍କ ଘରକୁ ଘେରାଉ କରିବା ସହିତ ଟମାଟୋ ମାଡ କଲେଣି ।

ତେଣେ ୨୫ବର୍ଷ ପାଇଁ ରାଜ୍ୟରେ ବିଦ୍ୟୁତ୍‍ ବିତରଣ ବ୍ୟବସ୍ଥା ହାତେଇ ଥିବା ଟାଟା ପାୱାରର ସଫେଇକୁ ନେଇ ସାଧାରଣ ଲୋକେ ଖୁସି ନାହାନ୍ତି । କାରଣ ମୁଖ୍ୟ ଶାସନ ସଚିବଙ୍କ କଡା ଟୁଇଟ୍‍ ପରେ ଯଦିଓ ଟାଟା କମ୍ପାନୀର ବଡ ଅଧିକାରୀମାନେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି, କିନ୍ତୁ ଗ୍ରାହକମାନଙ୍କୁ ବିପଦ ସମୟରେ କମ୍ପାନୀର କୌଣସି କର୍ମଚାରୀ କିମ୍ବା ଅଧିକାରୀ ଧରାଛୁଆଁ ଦେଉନଥିବାରୁ ସାଧାରଣ ଲୋକେ ବଡ ଅଧିକାରୀଙ୍କ କଥାକୁ ବିଶ୍ୱାସକୁ ନେଉ ନାହାନ୍ତି ।

ନିଆଁରେ ଘିଅ ଢାଳିବା ଭଳି ଆଜି ଖୋଦ୍‍ ଶକ୍ତିମନ୍ତ୍ରୀ ବାହାନଗା ଠାରେ ରେଳ ଦୁର୍ଘଟଣାରେ ମୃତକଙ୍କ ସ୍ମୃତିସଭାର ଯୋଗ ଦେଇଥିବାବେଳେ ସଭା ମଝିରେ ଲାଇନ୍‍ କଟି ଯାଇଥିଲା । ଶକ୍ତିମନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ଶକ୍ତି ବିଭ୍ରାଟ ଅସ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଥିଲା । ସେହିଭଳି ଗଣମାଧ୍ୟମର ପ୍ରତିନିଧିମାନେ ଆସି ରାଜଧାନୀରେ ଥିବା ବିଦ୍ୟୁତ୍‍ ବିତରଣ କମ୍ପାନୀ ଦପ୍ତରକୁ ଯାଇଥିବାବେଳେ ସେଠାରେ ବି ବିଜୁଳି ନଥିବା ଦେଖିବାକୁ ପାଇଥିଲେ ।

ଅନ୍ୟ ପକ୍ଷରେ ଏବେ ବିଭିନ୍ନ ଆଗଧାଡିର ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଯେଭଳି ରାଜ୍ୟର ବିଜୁଳି ବ୍ୟବସ୍ଥାକୁ ନେଇ ନକରାତ୍ମକ ମନ୍ତବ୍ୟମାନ ଆସିବାରେ ଲାଗିଛି ତାହା ବଦ୍ୟୁତ୍‍କାଟ ଜନିତ ସମସ୍ୟାରେ ସନ୍ତୁଳି ହେଉଥିବା ଲୋକଙ୍କୁ ରାଗ ପଞ୍ଚମକୁ ଉଠାଇବାରେ ସହାୟକ ହେଉଛି ।

ତେବେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବିତରଣ କମ୍ପାନୀ ସହିତ ରାଜ୍ୟର ବିଦ୍ୟୁତ୍‍ ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବା ସହିତ ବିତରଣ କମ୍ପାନୀ ଟାଟା ପାୱାରକୁ କଡା ଭାଷାରେ ତାଗିଦା କରିଥିବା ଜଣାଯାଇଛି ।

ଇତି ମଧ୍ୟରେ ରାଜ୍ୟରେ ଆଉ ସପ୍ତାହେ ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପ ସହିତ ଗୁଳୁଗୁଳି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି ରହିଛି । ଏଭଳି ସ୍ଥିତିରେ ଯଦି ବିଦ୍ୟୁତ୍‍ ବିଭ୍ରାଟ ଲାଗିରୁହେ ତେବେ ଏହା ସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ମତ ଦେଉଛନ୍ତି ।