Home News in Odia ଆରମ୍ଭ ହେଲା ସିବିଆଇ ତଦନ୍ତ

ଆରମ୍ଭ ହେଲା ସିବିଆଇ ତଦନ୍ତ

ବାଲେଶ୍ୱର: ରେଳବାଇ ବୋର୍ଡର ନିର୍ଦ୍ଦେଶ ପାଇବା ପରେ ମାତ୍ର ଦୁଇ ଦିନ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ୨୭୮ ଜଣଙ୍କର ମୃତ୍ୟୁ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

ରବିବାର ଦିନ ରେଳବାଇ ବୋର୍ଡ ଏହି ଦୁଃଖଦ ଦୁର୍ଘଟଣାର ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲା ଏବଂ ସୋମବାର ସନ୍ଧ୍ୟାରେ ୧୦ ଜଣିଆ ସିବିଆଇ ଟିମ୍ ବାଲେଶ୍ୱରରେ ପହଞ୍ଚିଥିଲେ । ମଙ୍ଗଳବାର ସକାଳେ ସିବିଆଇ ଟିମ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ସିବିଅ ।ଇ ଅଧିକାରୀମାନେ ଦୁର୍ଘଟଣା ସ୍ଥଳ, ଟ୍ରାକ, ସିଗନାଲିଂ ରୁମ, କଣ୍ଟ୍ରୋଲ ରୁମ ଇତ୍ୟାଦି ଯାଞ୍ଚ କରୁଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି ।

ରେଳ ସୁରକ୍ଷା ବିଭାଗର ମୁଖ୍ୟ କମିଶନର ଶୈଳେଶ କୁମାର ପାଠକ ସୋମବାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସେଠାରେ ବାହାନଗା ବଜାର ରେଳ ଷ୍ଟେସନର କଣ୍ଟ୍ରୋଲ ରୁମ, ସିଗନାଲ ରୁମ ଏବଂ ସିଗନାଲ ପଏଣ୍ଟକୁ ଯାଇ ଦେଖିଥିଲେ ।

ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇ ଟିମ୍ ଏଠାରେ ଅଛି । ସେମାନେ ସେମାନଙ୍କର କାର୍ଯ୍ୟ କରୁଛନ୍ତି । ଆମେ ସେମାନଙ୍କ ଅନୁସନ୍ଧାନ ବିଷୟରେ କୌଣସି ସୂଚନା ପ୍ରକାଶ କରିପାରିବୁ ନାହିଁ । ସେମାନଙ୍କର କାର୍ଯ୍ୟ କରିବାର ଏକ ବ୍ୟବସ୍ଥା ଅଛି । ସେମାନେ ସମସ୍ତ ପ୍ରମାଣ ଏବଂ ବିବରଣୀକୁ ଘଟଣାସ୍ଥଳରୁ ସଂଗ୍ରହ କରିବେ ବୋଲି ଦକ୍ଷିଣ ପୂର୍ବ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି ।

ଏହି ସମୟରେ, ଖୋର୍ଦ୍ଧାରୋଡ ଡିଭିଜନ ଡିଆରଏମ ରିଙ୍କେଶ ରାୟ ବାହାନଗା ଷ୍ଟେସନର ସିଷ୍ଟମକୁ \”ଟ୍ୟାମ୍ପରିଂ\’ ବୋଲି ସନ୍ଦେହ କରିଥିଲେ ।

ମୁଖ୍ୟ ଲାଇନରେ ଗ୍ରିନ ସିଗନାଲ ଥିଲା । ସିଗନାଲ୍ ସାଧାରଣତଃ ସେତେବେଳେ ସବୁଜ ହୋଇଥାଏ ଯେତେବେଳେ ସିଗନାଲ୍ ସବୁଜ ହେବା ପାଇଁ ଆବଶ୍ୟକ ସମସ୍ତ ପୂର୍ବ-ସର୍ତ୍ତଗୁଡିକ ସିଦ୍ଧ ହୋଇଥାଏ । ଯଦି କୌଣସି ପୂର୍ବ-ସର୍ତ୍ତ ପୂରଣ ନହୁଏ, ଟେକ୍ନିକାଲ୍ ଦ୍ୱାରା ସିଗନାଲ୍ କଦାପି ସବୁଜ ହୋଇପାରିବ ନାହିଁ, ଏବଂ ଯେପର୍ଯ୍ୟନ୍ତ କେହି ସିଗନାଲ ସିଷ୍ଟମ୍ ସହିତ ନିଜ ହାତରେ ଟ୍ୟାମ୍ପର୍ ନକରନ୍ତି । କିନ୍ତୁ, ରେକର୍ଡରୁ ଏହା ଦର୍ଶାଉଛି ଯେ ଯେତେବେଳେ କରମଣ୍ଡଳ ଏକ୍ସପ୍ରେସ ଷ୍ଟେସନରେ ପହଞ୍ଚୁଥିଲା, ସେତେବେଳେ ସଙ୍କେତ ସବୁଜ ଥିଲା, କିନ୍ତୁ ଟ୍ରେନ୍ ଲୁପ୍ ଲାଇନକୁ ଚାଲିଯାଇଥିଲା ବୋଲି ଶ୍ରୀ ରାୟ କହିଛନ୍ତି ।

ଶ୍ରୀ ରାୟଙ୍କ ବିବୃତ୍ତି ଟ୍ରେନ ଦୁର୍ଘଟଣା ପଛରେ ସିଷ୍ଟମର ଟାମ୍ପରିଂକୁ ସୂଚାଉଛି । ତେବେ ସିବିଆଇ ଏବଂ ସିସିଆରଏସର ଦୁଇଟି ଯାକ ଯାଞ୍ଚଞ୍ଚ ଶେଷ ହେବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଜଣେ ଅଧିକାରୀ କହିଛନ୍ତି ।