ଭୁବନେଶ୍ୱର : ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆନୁଷ୍ଠାନିକ ଭାବେ ବାର୍ଷିକ ମାଟ୍ରିକ ପରୀକ୍ଷା ଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଦ୍ୱାରା କଟକସ୍ଥିତ ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ପ୍ରକାଶିତ ହୋଇଯାଇଛି ।
ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୧୬ ହଜାର ୪୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୫ ଲକ୍ଷ ୮ ହଜାର ୪୦୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସ ହାର ଶତକଡ଼ା ୯୬.୪୦ ପ୍ରତିଶତ ରହିଛି ।
ଚଳିତ ବର୍ଷର ଫଳାଫଳ ବହୁତ ଭଲ ହୋଇଛି ଏବଂ ରାଜ୍ୟର ୩୨୨୨ଟି ସ୍କୁଲର ମାଟ୍ରିକ ଫଳ ଶତପ୍ରତିଶତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି । ଏହି ପରୀକ୍ଷାରେ ୨ ଲକ୍ଷ ୫୧ ହଜାର ୨୯୯ ଜଣ ଛାତ୍ର ପାସ କରିଥିବାବେଳେ ୨ ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।
ଏ-୧ ଗ୍ରେଡ୍ରେ ୪ ହଜାର ୧୫୮, ଏ-୨ ଗ୍ରେଡ଼୍ରେ ୨୯ ହଜାର ୮୩୮ ଜଣ, ବି-୧ ଗ୍ରେଡ୍ରେ ୭୭ ହଜାର ୫୬୭ ଜଣ, ବି-୨ ଗ୍ରେଡ୍ରେ ୧ ଲକ୍ଷ ୧୮ ହଜାର ୭୫୧ ଜଣ, ସି ଗ୍ରେଡ୍ରେ ୧ ଲକ୍ଷ ୨୧ ହଜାର ୬୧୧ ଜଣ, ଡି-ଗ୍ରେଡ୍ରେ ୯୫ ହଜାର ୬ ଜଣ ଏବଂ ଇ-ଗ୍ରେଡ୍ରେ ୬୧ ହଜାର ୪୭୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀ ରାମାଶିଷ ହାଜରା, ଉପସଭାପତି ଶ୍ରୀ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ପରୀକ୍ଷା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।