Home General ଅଧାରେ ରହିଗଲା କାଫେଟେରିଆ

ଅଧାରେ ରହିଗଲା କାଫେଟେରିଆ

ଭୁବନେଶ୍ୱର : ଯାତ୍ରୀ ଓ ନାଗରିକଙ୍କୁ ସେବା ଯୋଗାଣ ପାଇଁ ରାଜପଥ ପାଶ୍ୱର୍ରେ ପ୍ରସ୍ତାବିତ କାଫେଟେରିଆ ନିର୍ମାଣ ଶୀତଳଭଣ୍ଡାରରେ । ଏଥିପାଇଁ ୧୫କୋଟି ଟଙ୍କାର ବ୍ୟୟବରାଦ ସହିତ ସ୍ଥାନ ଚିହ୍ନଟ ହୋଇଥିଲେ ଏହି ଯୋଜନାଟି ଆଗେଇ ପାରିନାହିଁ ।

ରାଜପଥ ପାଶ୍ୱର୍ରେ ଲୋକଙ୍କୁ ସେବା ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ଟି କାଫେଟେରିଆ ନିର୍ମାଣ ପାଇଁ ୨୦୧୬-୧୭ମସିହାରେ ଯୋଜନା ହୋଇଥିଲା । ଏଥିପାଇଁ ୧୫କୋଟି ଟଙ୍କାର ବ୍ୟୟବରାଦ ସହିତ କାଫେଟେରିଆ ପାଇଁ ସ୍ଥାନ ଚିହ୍ନଟ ବି ସରିଥିଲା । ହେଲେ ଅର୍ଥ ବରାଦ ସତ୍ୱେ ଏହି କାର୍ଯ୍ୟ ଆଉ ଆଗକୁ ବଢିପାରି ନଥିଲା ।

ପ୍ରସ୍ତାବିତ ଯୋଜନା ଅନୁଯାୟୀ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାଶ୍ୱର୍ରେ କାଫେଟେରିଆ ନିର୍ମାଣ ହୋଇଥାନ୍ତା । ଏଗୁଡିକ ଗୋଟିଏ ପ୍ରକାର ଢାଞ୍ଚା ଓ ରଙ୍ଗର ହେବା ସହିତ ଏଠାରେ ଶୌଚାଳୟ, ଗାଡି ରଖିବା ସ୍ଥଳୀ, ପାନୀୟଜଳ, ସ୍ନାକ୍ସ ବାର୍‍, ପ୍ରାଥମିକ ଚିକିତ୍ସା ଉପଲବ୍ଧ ହୋଇଥାନ୍ତ । ଏହା କାର୍ଯ୍ୟକାରୀ ହେଲାପରେ ପରବର୍ତ୍ତୀ ସମୟରେ ଏଠାରେ ୱାଇଫାଇ, ଏଟିଏମ୍‍, ପିଲାଙ୍କ ପାଇଁ ଖେଳକୁଦ ବ୍ୟବସ୍ଥା ବି ହୋଇଥାନ୍ତା ।

ହେଲେ କୌଣସି କାରଣରୁ ଏହି କାଫେଟେରିଆ ଯୋଜନା ସରକାରଙ୍କ ନାଲିଫିତା ତଳେ ରହିଗଲା । ସେଥି ଯୋଗୁଁ ଦୂର ଦୂରାନ୍ତରକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ସମେତ ଗାଡିଚାଳକମାନେ ଏହି ସୁବିଧା ପାରିଲେ ନାହିଁ । ଗାଡି ଚାଳକ ଏବେ ଯେଉଁଠାରେ ରଖୁଛନ୍ତି ଯାତ୍ରୀମାନେ ସେଠାରେ ବାଧ୍ୟ ହୋଇ ଖାଉଛନ୍ତି ଓ ସାଜ ସରଞ୍ଜାମ କିଣୁଛନ୍ତି । ରାସ୍ତାପାଶ୍ୱର୍ର ଏହି ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଯୋଜନାବଦ୍ଧ ଭାବେ ନିର୍ମାଣ ହୋଇନଥିବାରୁ ସେଠାରେ ଲୋକଙ୍କ ଆବଶ୍ୟକ ଅନୁଯାୟୀ ସମସ୍ତ ସୁବିଧା ଉପଲବ୍ଧ ହୋଇପାରୁ ନାହିଁ ।

ଅନ୍ୟ ପକ୍ଷରେ ୫ବର୍ଷ ତଳେ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରିଥିଲେ ବର୍ତ୍ତମାନ ରାଜ୍ୟର ଡ୍ରାଇଭର ମହାସଂଘ ଉଠାଇଥିବା ଦାବି ମଧ୍ୟରୁ ଏହା ଅନ୍ୟତମ । ସେତେବେଳେ ପ୍ରସ୍ତୁତ ହୋଇଥିବା ଯୋଜନା ଯଦି କାର୍ଯ୍ୟକାରୀ ହୋଇଥାନ୍ତା ତେବେ ବିଭିନ୍ନ ପର୍ଯ୍ୟାୟରେ ଏବେ ରାସ୍ତା ପାଶ୍ୱର୍ରେ ଉଭୟ ଯାତ୍ରୀ ଓ ଗାଡିଚାଳକ ବିଭିନ୍ନ ପ୍ରକାର ସୁବିଧା ପାଉଥାନ୍ତେ ଓ ଏହି ଦାବିକୁ ନେଇ ସରକାରଙ୍କ ସହିତ ଡ୍ରାଇଭର ମହାସଂଘକୁ ଆଲୋଚନା କରିବାକୁ ପଡିନଥାନ୍ତା ।

କେବଳ ସେତିକି ନୁହେଁ ଏହି କାଫେଟେରିଆ ନିର୍ମାଣ ଦ୍ୱାରା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ରାଜ୍ୟରେ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି ହୋଇଥାନ୍ତା ଓ ଏହା ପର୍ଯ୍ୟଟନ ବିକାଶ ଦିଗରେ ବି ବେଶ୍‍ ସହାୟକ ହୋଇଥାନ୍ତା । ତେବେ କୌଣସି ଅକୁହା କାରଣରୁ ଅଧାପନ୍ତରିଆ ଭାବେ ରହି ଯାଇଥିବା ଏହି କାଫେଟେରିଆ ନିର୍ମାଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)