Home Energy କ୍ଷତିରେ ସରକାରୀ ସଂସ୍ଥା

କ୍ଷତିରେ ସରକାରୀ ସଂସ୍ଥା

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍‍ ଉତ୍ପାଦନ ଓ ବିତରଣ ସହିତ ଜଡିତ ଦୁଇଟି ସରକାରୀ ସଂସ୍ଥା କ୍ଷତିରେ ଚାଲୁଛନ୍ତି । ଲଗାତାର ଭାବେ କ୍ଷତିରେ ଚାଲିଥିବା ଏହି ଦୁଇଟି ସରକାରୀ ସଂସ୍ଥା ହେଉଛନ୍ତି ବିଦ୍ୟୁତ୍‍ ସରବରାହ ଦାୟିତ୍ୱରେ ଥିବା ଗ୍ରିଡ୍‍କୋ ଓ ବିଦ୍ୟୁତ୍‍ ଉତ୍ପାଦନ କରୁଥିବା ଓପିଜିସି ।

ମିଳିଥିବା ସୂଚନା ଅନୁଯାୟୀ ଗ୍ରିଡ୍‍କୋ ଲଗତାର ଭାବେ କ୍ଷତିରେ ଚାଲୁଥିବାବେଳେ ୨୦୨୧-୨୨ରେ ଏହା କ୍ଷତି କିଛିଟା ହ୍ରାସ ପାଇଛି । ୨୦୧୯-୨୦ ମସିହାରେ ଗ୍ରିଡ୍‍କୋର କ୍ଷତି ୧୩୫୨ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ତାହା ୧୩୮୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ୨୦୨୧-୨୨ ବର୍ଷରେ କ୍ଷତି ପରିମାଣ ୪୪୦ କୋଟି ଟଙ୍କାକୁ ହ୍ରାସ ପାଇଛି ।

ସେହିଭଳି ବିଦ୍ୟୁତ୍‍ ଉତ୍ପାଦନ କରୁଥିବା ଓଡିଶା ତାପଜ ବିଦ୍ୟୁତ୍‍ ନିଗମ (ଓପିଜିସି) ବି ଲଗତାର ଭାବେ କ୍ଷତିରେ ଚାଲୁଛି । ୨୦୧୯-୨୦ ବର୍ଷରେ ଏହାର କ୍ଷତି ପରିମାଣ ୧୪୩ କୋଟିରୁ ଅଧିକ ଥିବାବେଳେ ୨୦୨୦-୨୧ ବର୍ଷରେ ତାହା ପ୍ରାୟ ୧୮୯ କୋଟି ଟଙ୍କା ଥିଲା । ତେବେ ୨୦୨୧-୨୨ ବର୍ଷରେ କ୍ଷତି ପରିମାଣ ୧୦୫ କୋଟି ଟଙ୍କାରୁ ସାମାନ୍ୟ ଅଧିକ ରହିଛି ।

ଏହି ଦୁଇଟି ବୃହତ୍‍ ସରକାରୀ ସଂସ୍ଥା କ୍ଷତିରେ ଚାଲୁଥିବାବେଳେ ବିଦ୍ୟୁତ୍‍ ଉତ୍ପାଦନ ଓ ପରିବହନ ସହିତ ଜଡିତ ଅନ୍ୟ ସଂସ୍ଥା କିନ୍ତୁ ଲାଭରେ ଅଛନ୍ତି । ୨୦୧୯-୨୦ ବର୍ଷରେ ୮୦ କୋଟି ଟଙ୍କା କ୍ଷତିରେ ଥିବା ଓପିଟିସିଏଲ୍‍ ୨୦୨୧-୨୨ ବର୍ଷରେ ୧୨୫ କୋଟିରୁ ଅଧିକ ଟଙ୍କା ଲାଭ କରିଛି । ସେହିଭଳି ଲଗାତାର ଭାବେ ଲାଭ କରୁଥିବା ଓଡିଶା ଜଳବିଦ୍ୟୁତ୍‍ ନିଗମର ଲାଭ ୨୦୨୧-୨୨ ବର୍ଷରେ ପାଖାପାଖି ୮୯ କୋଟି ଟଙ୍କା ରହିଛି । ନୂତନ ଭାବେ ଗଠନହୋଇଥିବା ଗେଡକୋଲ ଲଗାତାର ଲାଭ କରୁଥିବାବେଳେ ୨୦୨୧-୨୨ ବର୍ଷରେ ଏହାର ଲାଭ ପରିମାଣ ୧୩ କୋଟି ଟଙ୍କା ପାଖାପାଖି ରହିଛି । ତେବେ ଏକା ସମୟରେ ଗଠନ ହୋଇଥିବା ଓଡିଶା କୋଇଲା ଶକ୍ତି ନିଗମ (ଓସିପିଏଲ୍‍) ୨୦୧୯-୨୦ ବର୍ଷରେ ୧.୮୪ କୋଟି ଟଙ୍କାର କ୍ଷତି ସହିତଥିବାବେଳେ ୨୦୨୧-୨୨ ବର୍ଷରେ କିନ୍ତୁ ୧୫୮ କୋଟି ଟଙ୍କା ଲାଭ କରିଛି ।

ଗୋଟିଏ ପଟେ ରାଜ୍ୟର ବିଭିନ୍ନ କିସମର ଉପଭୋକ୍ତାଙ୍କ ଉପରେ ୧୦ହଜାର କୋଟି ଟଙ୍କାରୁ ଅଧିକ ବିଜୁଳି ଦେୟ ବାକି ପଡିଥିବାବେଳେ ବିତରଣ କମ୍ପାନୀମାନଙ୍କୁ ବିଦ୍ୟୁତ୍‍ ଯୋଗାଣ କରୁଥିବା ଗ୍ରିଡ୍‍କୋ ଲଗାତାର କ୍ଷତି ସହିବାରେ ଲାଗିଛି । ତେବେ ବିଦ୍ୟୁତ୍‍ ଉତ୍ପାଦନ କରି ସରକାର ଓ ଅନ୍ୟ ସଂସ୍ଥାଙ୍କୁ ବିକ୍ରି କରୁଥିବା ଓପିଜିସିର କ୍ଷତି ବିଶେଷଜ୍ଞଙ୍କା ଆଶ୍ଚର୍ଯ୍ୟଚକିତ କରୁଛି ।

ତେବେ ରାଜ୍ୟ ସରକାର ଇତି ମଧ୍ୟରେ ଗ୍ରିଡ୍‍କୋକୁ କ୍ଷତି ବଳୟରୁ ମୁକୁଳାଇବାପାଇଁ ତାହାର କୋହଳ ସର୍ତ୍ତାବଳୀ ଓ କମ୍‍ ସୁଧ ହାରର ଋଣ ପ୍ରଦାନ କରୁôତବାବେଳେ ଅଧିକ ଦରରେ ବିଜୁଳି କିଣିବାପାଇଁ ଗ୍ରିଡ୍‍କୋ ଯେଉଁମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇଥିଲା ତାହାକୁ ବାତିଲ କରି କମ୍‍ ଦରରେ ବିଜୁଳି କିଣିବାପାଇଁ ରାଜିନାମା କରୁଛି । ସେହିଭଳି ସରକାରଙ୍କ ପଦକ୍ଷେପ ଯୋଗୁଁ ୨୦୨୨-୨୩ ବର୍ଷର ହିସାବରେ ଓପିଜିସି ଲାଭ କରିବ ବୋଲି କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି । (ତଥ୍ୟ)