ଭୁବନେଶ୍ୱର : ବିଧାନସଭାରେ ଆଜି ପୁଣିଥରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠିଛି । ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିବାବେଳେ କଂଗ୍ରେସ ମଧ୍ୟ ତାଙ୍କ ସହିତ ସ୍ୱର ମିଳାଇଛି ।
ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥିଲେ ଯେ ନବ ଦାସଙ୍କ ଷଡଯନ୍ତ୍ରପୂର୍ଣ୍ଣ ହତ୍ୟାକୁ ୬୦ଦିନ ସମ୍ପୂର୍ଣ୍ଣ ବିତିଲାଣି । ଷାଠିଏ ଦିନ ପରେ ମଧ୍ୟ ହତ୍ୟାର ଉଦ୍ଦେଶ୍ୟ ଓ ହତ୍ୟା ପଛରେ କିଏ ଅଛନ୍ତି ତାହା ଜଣାପଡିଲା ନାହିଁ । ଏଥିରୁ ଓଡିଶା ପୁଲିସ୍ର ପାରିବା ପଣିଆ ଜଣାପଡିଯାଉଛି । ଯେଉଁମାନେ ଷଡଯନ୍ତ୍ର ପଛରେ ଅଛନ୍ତି ସେମାନଙ୍କୁ ଚପେଇବା ପାଇଁ ପୁଲିସ୍ ଲାଗିପଡିଛି ।
ଶ୍ରୀ ମିଶ୍ର କହିଥିଲେ ଯେ ପ୍ରତି ହତ୍ୟା ପଛରେ ଉଦେଶ୍ୟ ଥାଏ । ଓଡିଶା ପୁଲିସ୍ କିନ୍ତୁ ତାହା ଜାଣି ପାରୁନାହିଁ । ଏହି ହତ୍ୟାକାଣ୍ଡ ପଛରେ ଅପରାଧିକ ଷଡଯନ୍ତ୍ର ରହିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କହିଥିବାବେଳେ ମୁଖ୍ୟମନ୍ତ୍ରୀ କିନ୍ତୁ ତାହା କହି ନାହାନ୍ତି । ବଲାଙ୍ଗିର ସଦସ୍ୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଏଫ୍ବିଆଇକୁ ଦେବାପାଇଁ ରାଜ୍ୟ ସରକାର ଚିଠି ଲେଖିଥିବା କହିନ୍ତି ।
ସେ କହିଛନ୍ତି ଯେ ଦେଶର କୌଣସି ରାଜ୍ୟରେ ଏଫ୍ବିଆଇ ତଦନ୍ତ କରିଥିବାର ନଜିର ନାହିଁ । ଏହି ହତ୍ୟା ବିଶ୍ୱସ୍ତରୀୟ ସେଥିପାଇଁ ବିଶ୍ୱସ୍ତରୀୟ ତଦନ୍ତ ପାଇଁ ସରକାର ଚାହୁଁଛନ୍ତି । ମାହାଙ୍ଗା ଓ ଅନ୍ୟାନ୍ୟ ହାତ୍ୟାକାଣ୍ଡକୁ ଯେଭଳି ସରକାର ଚପାଇ ଦେଲେ ବିଧାନସଭା ସରିଲେ ଏହି ଘଟଣା ମଧ୍ୟ ସେହିଭଳି ଚପିଯିବ ।
ଗୃହରେ ହତ୍ୟାକାଣ୍ଡ ସଂକ୍ରାନ୍ତରେ ବାରମ୍ବାର ଦାବି ହେଉଛି । ଓଡିଶା ପୁଲିସ୍ ନୂଆ ନୂଆ ଗପ ଶୁଣାଉଛି । ଶ୍ରୀ ମିଶ୍ର କହିଥିଲେ ଯେ ତଦନ୍ତର କ’ଣ କୌଣସି ସମୟ ସୀମା ନାହିଁ ? ଯଦି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ବିଷୟରେ ତଦନ୍ତ ହୋଇପାରୁ ନାହିଁ ତେବେ ଆମେ କ’ଣ କରିବୁ ? ଏ ଗୃହର ମୂଲ୍ୟ କ’ଣ ? ଯେଉଁଠି ଜଣେ ମନ୍ତ୍ରୀ ହତ୍ୟାର ଉଦ୍ଦେଶ୍ୟ ଜଣା ପଡୁନାହିଁ ସେଠାରେ ସାଧାରଣ ଲୋକେ କ’ଣ କରିବେ ।
ଏହି ହତ୍ୟାକାଣ୍ଡରେ ଅନେକ ବଡ ବଡ ଲୋକଙ୍କ ହାତ ରହିଥିବା ସନ୍ଦେହ କରାଯାଉଥିଲା । ଏବେ ସେହି ସନ୍ଦେହ ପ୍ରମାଣିତ ହୋଇଛି । ବଡ ବଡ ଲୋକ ଥିବାରୁ ଓଡିଶା ପୁଲିସ ତଦନ୍ତ କରିପାରୁନାହିଁ । ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟ ରଖୁଥିବାବେଳେ ବିଜେପି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ସିବିଆଥ ତଦନ୍ତ ଦାବିରେ ସ୍ଲେଗାନ ଦେଇଥିଲେ ।
କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ବିରୋଧିଦଳ ନେତାଙ୍କ ଉଦବେଗ ସହିତ ମୁଁ ଏକମତ । ବାରମ୍ବାର ଏହି ପ୍ରସଙ୍ଗ ଗୃହରେ ଉଠିଲେ ମଧ୍ୟ ତାହାର ଉତ୍ତର ମିଳୁନାହିଁ । କଟକ ମେଡିକାଲର ବିଶେଷଜ୍ଞ କମିଟି ଗୋପାଳ ପାଗଳ ନୁହେଁ ବୋଲି ରିପୋର୍ଟ ଦେବାପରେ ବି ସରକାର ତାକୁ ପାଗଳ ଘୋଷଣା ପାଇଁ ଲାଗି ପଡିଛନ୍ତି ।
ରାଜ୍ୟାରେ ଗୁଇନ୍ଦା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି । ଆଇନଶୃଙ୍ଖଳା ଅବସ୍ଥା ଯେମିତି, ଠକାମୀ ସେମିତି ଓ ଗୁଇନ୍ଦା ବିଫଳତା ସେମିତି ବୋଲି ନରସିଂହ କହିଥିଲେ । ଏହି ସମୟରେ ଉୟଭ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ ।