Home General ସାଜସଜା ପାଇଁ ପୂଜାମଣ୍ଡପ ଅମଙ୍ଗ

ସାଜସଜା ପାଇଁ ପୂଜାମଣ୍ଡପ ଅମଙ୍ଗ

ଭୁବନେଶ୍ୱର : ହକି ବିଶ୍ୱକପ୍‍ ସମୟରେ ରାଜଧାନୀରେ ଥିବା ପୂଜାମଣ୍ଡପଗୁଡିକୁ ସଜାଇବାପାଇଁ କର୍ମକର୍ତ୍ତା ଅମଙ୍ଗ ହେଉଛନ୍ତି । ଏଥିପାଇଁ ସେମାନଙ୍କୁ ନିଜ ହାତରୁ ଅର୍ଥ ଖର୍ଚ୍ଚ କରିବାକୁ ଥିବାରୁ ଅନେକ ଏ ନେଇ ପଛଘୁଞ୍ଚା ଦେଉଥିବା ସୂଚନା ମିଳିଛି ।

ବିଶ୍ୱକପ୍‍ ସମୟରେ ବିଦେଶୀ ଅତିଥିକୁ ଆକର୍ଷିତ କରିବାପାଇଁ ରାଜଧାନୀର ପୂଜାମଣ୍ଡପଗୁଡିକୁ ଆକର୍ଷଣୀୟ ଭାବେ ସଜାଇବାପାଇଁ ବିଏମ୍‍ସି କର୍ତ୍ତୃପକ୍ଷ ଯୋଜନା ସହିତ ସହିତ ଗତ ଶନିବାର ଦିନ ଏ ନେଇ ବୈଠକ ଡାକିଥିଲେ । ବୈଠକରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ହକି ଖେଳ ସମୟରେ ସେମାନଙ୍କ ପୂଜାମଣ୍ଡପୁଗୁଡିକୁ ସାଜସଜା ବିଶେଷକରି ରଙ୍ଗମାରିବା, ଫୁଲଗଛ ଲଗାଇବା, ଘାସ ବିଛାଇବା ସହିତ ପୂଜାମଣ୍ଡପଗୁଡିକରେ ଏଲ୍‍ଇଡି ଲଗାଇବାପାଇଁ ବିଏମ୍‍ସି ପକ୍ଷରୁ ଅନୁରୋଧ କରାଯାଇଥିଲା । ତେବେ ଏଥିପାଇଁ ଅର୍ଥ କେଉଁଠୁ ଆସିବ ବୋଲି କିଛି ପୂଜାମଣ୍ଡପ କର୍ମକର୍ତ୍ତା ପ୍ରଶ୍ନ କରିଥିବାବେଳେ ବିଏମ୍‍ସି ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନଥିବାବେଳେ ମଣ୍ଡପ କର୍ତ୍ତୃପକ୍ଷ ନିଜେ ଏସବୁ କରିବାପାଇଁ ସଙ୍କେତ ଦେଇଥିଲେ ।

ତେବେ କିଛି ପୂଜାମଣ୍ଡପ କର୍ମକର୍ତ୍ତା ମତ ଦେଇଛନ୍ତି ଯେ ସେମାନେ ଦୁର୍ଗାପୂଜା ପରେ ପରେ ମଣ୍ଡପରେ କାଳୀପୂଜା ଆଦି କରିଛନ୍ତି । ଏଥିଯୋଗୁଁ ପ୍ରାୟତଃ ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଯାଇଛି । ବର୍ତ୍ତମାନ ବିଏମ୍‍ସି ଯେଭଳି କରିବାକୁ କହୁଛନ୍ତି ସେଥିପାଇଁ ଅତି କମ୍‍ରେ ଦୁଇ ରୁ ଅଢେଇ ଲକ୍ଷ ଟଙ୍କା ଆବଶ୍ୟକ । ତେଣୁ ଏତେ ପରିମାଣର ଅର୍ଥ ବ୍ୟୟ କରିବା ଅବସ୍ଥାରେ ସେମାନେ ନାହାନ୍ତି ।

ତେବେ ନାମ ଗୋପନ ସର୍ତ୍ତରେ ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ଯେ ହକି ଖେଳ ପାଇଁ ସରକାର ହଜାରେ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରୁଥିବାବେଳେ ସରକାରୀ ଅର୍ଥରେ ରାଜଧାନୀର କାନ୍ଥ ବାଡ ରଙ୍ଗୀନ ସହିତ ଘାସ ବିଛା ଓ ଫୁଲଗଛ ଲାଗୁଛି । ସେହି ପଇସାରେ କିଛି ପ୍ରମୁଖ ପୂଜାମଣ୍ଡପର ବି ସାଜସଜା କରାଯାଇପାରିବ । ହେଲେ ତାହା ନକରି ମଣ୍ଡପ କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ଯେଉଁ ବୋଝ ଲଦୁଛନ୍ତି ତାହାକୁ ମୁଣ୍ଡେଇବା ଏତେ ସହଜ ନୁହେଁ ।

ତେବେ ଆଉ କିଛି ପୂଜା ମଣ୍ଡପ କର୍ତ୍ତୃପକ୍ଷ ହକି ବିଶ୍ୱକପ୍‍ ଖାତିରରେ ନିଜ ନିଜ ମଣ୍ଡପକୁ ସଜାଇବାପାଇଁ ରାଜି ହୋଇଥିବା ଜଣାଯାଇଛି । ତେବେ ଅର୍ଥକୁ ନେଇ ଯେମିତି ପ୍ରମୁଖ ପୂଜାମଣ୍ଡପ କର୍ମକର୍ତ୍ତା ଅମଙ୍ଗ ତାହା ହକି ଖେଳ ବେଳେ ହିଁ ଜଣାପଡିବ ।