Home General ନୂଆ ନମ୍ବର ପ୍ଲେଟ ସମୟର ପୁନଃ ବିଚାର କର

ନୂଆ ନମ୍ବର ପ୍ଲେଟ ସମୟର ପୁନଃ ବିଚାର କର

ଭୁବନେଶ୍ୱର : ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍‍ଏସ୍‍ଆରପି) ଲଗାଇବାକୁ ନେଇ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସହଜ କରିବା ପାଇଁ ରାଜ୍ୟ ସରକାର ପରିବହନ କମିଶନର୍ (ଟିସି) ଙ୍କୁ ୨୦୧୯ ଏପ୍ରିଲ ୧ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡିଗୁଡିକରେ ଏଚ୍‍ଏସ୍‍ଆରପି ଲଗାଇବା ପାଇଁ ଧାର୍ଯ୍ୟ ସମୟସୀମା ଉପରେ ପୁନଃ ବିଚାର କରିବାକୁ କହିଛନ୍ତି ।

ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ସହ ବିଭିନ୍ନ ଫୋରମରେ ଲୋକମାନେ ଏହି ପ୍ରସଙ୍ଗ ଉଠାଉଥିବାରୁ ଏହା ଉପରେ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା । ତଦନୁଯାୟୀ ବିଭାଗର ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ଏହି ପ୍ରସଙ୍ଗରେ ପରିବହନ କମିଶନର ଅରୁଣ ବୋଥ୍ରାଙ୍କୁ ଏକ ଚିଠି ଲେଖିଛନ୍ତି ।

ପରିବହନ କମିଶନ ଓଡିଶା ପଞ୍ଜୀକରଣର ଶେଷ ନମ୍ବର ୧,୨,୩ ଏବଂ ୪ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ୩୧ ଅକ୍ଟୋବର, ୨୦୨୨ ର ସମୟସୀମା ଧାର୍ଯ୍ୟ କରିଥିବାବେଳେ ପଞ୍ଜିକରଣ ନମ୍ବର ୫ ଏବଂ ୬ ସହିତ ଶେଷ ହୋଇଥିବା ଓଡିଶା ପଞ୍ଜୀକରଣ ଯାନଗୁଡ଼ିକର ଶେଷ ତାରିଖ ୩୦ ନଭେମ୍ବର ଏବଂ ୭ ଏବଂ ୮ ଶେଷ ନମ୍ବର ପାଇଁ ୩୧ ଡିସେମ୍ବର ଧାର୍ଯ୍ୟ ହୋଇଛି । ସେହିଭଳି, ଓଡିଶା ପଞ୍ଜିକରଣର ଶେଷ ନମ୍ବର ୯ ଏବଂ ୦ ଥିବା ଗାଡି ମାଲିକମାନଙ୍କୁ ୩୧ ଜାନୁୟାରୀ, ୨୦୨୩ ସୁଦ୍ଧା ଏଚଏସଆରପି ଲଗାଇବାକୁ କୁହାଯାଇଛି ।

ଶ୍ରୀ ଦାସ ଚିଠିରେ କହିଛନ୍ତି ଏହା ସରକାରଙ୍କ ନଜରକୁ ଆସିଛି ଯେ ଲୋକମାନେ ଅନଲାଇନ୍ ପଞ୍ଜିକରଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ର୍ନିଦ୍ଧାରିତ ସମୟ ମଧ୍ୟରେ ଏଭଳି ନମ୍ବର ପ୍ଲେଟ ଲଗାଇବାକୁ ଅସମର୍ଥ ଅଟନ୍ତି । ରିପୋର୍ଟ ଅନୁଯାୟୀ କେତେକ କ୍ଷେତ୍ରରେ, ବୁକିଂ ସ୍ଲଟ୍ ର୍ନିଦ୍ଧାରିତ ସମୟ ମଧ୍ୟରେ ଉପଲବ୍ଧ ହେଉନାହିଁ । ଅନଲାଇନରେ ବୁକିଂ ସିଷ୍ଟମ ଏବଂ ନମ୍ବର ଲଗାଇବା କେନ୍ଦ୍ର ସହଜରେ ଉପଲବ୍ଧ ନଥିବାରୁ ଦୁର୍ଗମ ଅଞ୍ଚଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଯୁଗ୍ମ ସଚିବ ଆହୁରି କହିଛନ୍ତି, କେତେକ କ୍ଷେତ୍ରରେ, ଯେଉଁଠାରେ ଯାନବାହାନ ଉତ୍ପାଦକ ସେମାନଙ୍କର ବ୍ୟବସାୟକୁ ବନ୍ଦ କରିଦେଇଛନ୍ତି, ସେହି ଗାଡି ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାରଣ ଏଚଏସ୍‍ଆରପି ବୁକିଂ ପାଇଁ ପୋର୍ଟାଲରେ କୌଣସି ସୁବିଧା ଉପଲବ୍ଧ ନାହିଁ । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପରିବହନ କମିଶନରଙ୍କୁ ପୁରୁଣା ଯାନ ସଂଖ୍ୟା, ଏଚଏସ୍‍ଆରପି ଉତ୍ପାଦନ କ୍ଷମତା, ଗୋଟିଏ ଦିନରେ ଏଚ୍‍ଏସ୍‍ଆରପି ପ୍ରସ୍ତୁତ ଏବଂ ଲଗାଇବା ତଥା ଏହିପରି ସମସ୍ତ ପୁରୁଣା ଯାନରେ ଏଚ୍‍ଏସ୍‍ଆରପି ଲଗାଇବା ପାଇଁ ଆବଶ୍ୟକ ହେଉଥିବା ସମୟ ହିସାବ କରିବାକୁ କୁହାଯାଇଛି ।

ଗାଡିଗୁଡିକରେ ନମ୍ବର ପ୍ଲେଟଗୁଡିକ ଲଗାଇବା ପାଇଁ ଏଚଏସ୍‍ଆରପି ର୍ନିମାତାମାନଙ୍କ ସହିତ ପରାମର୍ଶ କରି ପଦକ୍ଷେପ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି ଯାହାର ମୂଳ ର୍ନିମାତା ଏହି ସମୟ ମଧ୍ୟରେ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇଛନ୍ତି । ଏହା ବ୍ୟତୀତ, ପରିବହନ କମିଶନରଙ୍କୁ ଉତ୍ପାଦକମାନଙ୍କ ଦ୍ୱାରା ଯୋଗାଯାଇଥିବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟଗୁଡିକ କେନ୍ଦ୍ରୀୟ ମୋଟରଯାନ ନିୟମ, ୧୯୮୯ ର ନିୟମ ୫୦ ପାଳନ କରୁଛି ଆରଟିଓ ମାଧ୍ୟମରେ ତାହା ନିଶ୍ଚିତ କରିବାକୁ କୁହାଯାଇଥିଲା । (ତଥ୍ୟ)