Home Agriculture ଦାୟିତ୍ୱ ନେଲେ ନୂଆ କୃଷି ସଚିବ

ଦାୟିତ୍ୱ ନେଲେ ନୂଆ କୃଷି ସଚିବ

ଭୁବନେଶ୍ୱର : ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଡ. ପାଢ଼ୀଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ଡ. ପାଢ଼ୀ ବିଭାଗୀୟ ଅଧିକାରୀମାନଙ୍କଠାରୁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ପଚାରି ବୁଝିବା ସହିତ କାର୍ଯ୍ୟକ୍ରମ ରୂପାୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ଓ ଦଳଗତ ମନୋଭାବ ନେଇ କାର୍ଯ୍ୟ ସଂପାଦନ ନିମନ୍ତେ ପରାମର୍ଶ ଦେଇଥିଲେ । କୃଷି ରାଜ୍ୟ ଅର୍ଥନୀତିର ଅନ୍ୟତମ ମୁଖ୍ୟ ସ୍ରୋତ ହୋଇଥିବା ପରିପ୍ରେକ୍ଷୀରେ କୃଷିର ଉନ୍ନତିରେ ରାଜ୍ୟର ଉନ୍ନତି ସାଧିତ ହୋଇପାରିବ ବୋଲି ଦର୍ଶାଇଥିଲେ ।

ରାଜ୍ୟର ଲୋକସଂଖ୍ୟାର ଏକ ବୃହତ ଭାଗ ସେମାନଙ୍କ ଜୀବିକା ନିର୍ବାହ ନିମନ୍ତେ କୃଷି ଓ ଆନୁଷଙ୍ଗିକ କୃଷି ଉପରେ ନିର୍ଭର କରୁଥିବାବେଳେ କୃଷି ଓ କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତି ଓ ଆୟବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକଗୁଡ଼ିଏ କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଯୋଜନାର ସୁଫଳକୁ ଚାଷୀମାନଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା ନିମନ୍ତେ ଡ. ପାଢ଼ୀ କହିଥିଲେ ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ସମୟରେ ସେ କୃଷି ଓ କୃଷକମାନଙ୍କ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ପ୍ରକାଶ କରିଥିଲେ । କୃଷି ଓ କୃଷକମାନଙ୍କ ଉନ୍ନତି ନିମନ୍ତେ ବିଭାଗ କାର୍ଯ୍ୟ କରୁଥିବା ପରିପ୍ରେକ୍ଷୀରେ କୃଷକର ହିତ ସାଧନ ଅଧିକାରୀ ଓ କର୍ମଚାରୀମାନଙ୍କ ମୂଳ ଲକ୍ଷ୍ୟ ହେବା ଉଚିତ । କୃଷିର ଉନ୍ନତି ଦିଗରେ ସମସ୍ତେ ସଂପୂର୍ଣ୍ଣ ନିଷ୍ଠା ଓ ସମର୍ପଣ ମନୋଭାବ ନେଇ କାର୍ଯ୍ୟ ସଂପାଦନ କରିବା ପାଇଁ ଡ. ପାଢ଼ୀ ପରାମର୍ଶ ଦେଇଥିଲେ ।

ରାଜ୍ୟକୁ କୃଷି କ୍ଷେତ୍ରରେ ଅଗ୍ରଣୀ କରିବା ନିମନ୍ତେ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ବିଚାର ବ୍ୟକ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ରାଜ୍ୟରେ ଦ୍ୱିତୀୟ ମୁଖ୍ୟ ଜୀବିକା ହସ୍ତତନ୍ତ ହୋଇଥିବାବଳେ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସପ୍ତାହର ଗୋଟିଏ ଦିନ ହସ୍ତତନ୍ତ ନିର୍ମିତ ପୋଷାକ ପରିଧାନ କରିବା ପାଇଁ ଡ. ପାଢ଼ୀ ପରାମର୍ଶ ଦେଇଛନ୍ତି ।