Home Administration ଅବକାରୀ ଅଧିକାରୀଙ୍କୁ ଗୁରୁ ମନ୍ତ୍ର

ଅବକାରୀ ଅଧିକାରୀଙ୍କୁ ଗୁରୁ ମନ୍ତ୍ର

ଭୁବନେଶ୍ୱର : ପ୍ରତି ମାସରେ ଅବାକରୀ ଅଧିକାରୀମାନଙ୍କୁ କର୍ମଶାଳା ଜରିଆରେ ତାଲିମ ପ୍ରଦାନ କରାଯିବ । ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଓ ଆଇନ୍‍ ବିଶେଷଜ୍ଞମାନେ ସେମାନଙ୍କୁ ନାର୍କୋଟିକ୍ସ ଧରପଗଡ ଓ ମାମଲା ପରିଚାଳନା ସଂକ୍ରାନ୍ତରେ ଗୁରୁ ମନ୍ତ୍ର ପ୍ରଦାନ କରିବେ । ଆଜି ନାର୍କୋଟିକ୍ସ ଡ୍ରଗ୍ ଏବଂ ନିଶା ପଦାର୍ଥ ଅଧିନିୟମ ଉପରେ ଏକ ଦିନିକିଆ ଆଲୋଚନାଚକ୍ର ଅବସରରେ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହ ଏହା କହିଛନ୍ତି ।

ଅବକାରୀ ନିର୍ଦ୍ଦେଶାଳୟ ଦ୍ୱାରା ଭର୍ଚୁଆଲ ମୋଡରେ ଆୟୋଜିତ ଏହି ଆଲୋଚନାଚକ୍ରରେ ରାଜ୍ୟର ସମସ୍ତ ଅବାକରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଆଲୋଚନଚକ୍ରକୁ ଉଦଘାଟନ କରି ଅବାକରୀ କମିଶନର ଶ୍ରୀ ସିଂହ ସମସ୍ତଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ତଲାସୀ, ଜବତ ଏବଂ ଅନୁସନ୍ଧାନ ସମୟରେ ଆଇନକୁ ସଠିକ୍ ଭାବରେ ନଜର କରିବାକୁ ପରାମର୍ଶ ଦେଇଥିଲେ ।

ଶ୍ରୀ ସିଂହ ସମସ୍ତ ଅବକାରୀ ଅଧିକାରୀଙ୍କୁ ଏନଡିପିଏସ୍ ଆଇନ୍‍ ଉପରେ ମାନ୍ୟବର ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ନୂତନ ରାୟ ଅନୁଯାୟୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତିମାନେ ବେଆଇନ କାରବାର ତଥା ଆଇନରେ ପରିବର୍ତ୍ତନ ଆଣିବାରେ ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରୁଛନ୍ତି । ତେଣୁ ଏହି ଆଇନର ବାଧ୍ୟତାମୂଳକ ବ୍ୟବସ୍ଥା ପାଳନ କରିବା ତଥା ମାନ୍ୟବର କୋର୍ଟରେ ପ୍ରମାଣ ଯୋଗାଇବା ସଂକ୍ରାନ୍ତରେ ସମସ୍ତେ ଜାଣିବା ଜରୁରୀ ଅଟେ ।

ଖୋର୍ଦ୍ଧାର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ପ୍ରଧାନ ଚନ୍ଦ୍ର ସାମନ୍ତ, ଏନଡିପିଏସ ଆକ୍ଟର ବିଭିନ୍ନ ନିୟମାବଳୀ, କାଗଜପତ୍ର ଦାଖଲ କରିବାରେ ଥିବା ତ୍ରୁଟି, ଆଇନ ଅଦାଲତରେ ପ୍ରମାଣ ଉପସ୍ଥାପନ କରିବା ସହ ଅବକାରୀ ଅଧିକାରୀମାନଙ୍କୁ ଏହି ନିୟମକୁ କଡାକଡି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱର ଏସ୍‍ଟିଏଫ୍‍ ଡିଏସ୍‍ପି ଶ୍ରୀ ପ୍ରବୀଣ ଚନ୍ଦ୍ର ତ୍ରିପାଠୀ ଏନଡିପିଏସ୍‍ ଅଧିନିୟମ ଅନୁଯାୟୀ ମାମଲାର ବିଚାର ଆରମ୍ଭ ସହିତ ଡ୍ରଗ୍ସଗୁଡିକୁ ନଷ୍ଟ କରିବା ଏବଂ ପ୍ରମାଣ ରଖିବା ସଂକ୍ରାନ୍ତରେ ବ୍ୟାଖ୍ୟା କରିଥିଲେ ।

ଅବକାରୀ ଏନଫୋର୍ସମେଣ୍ଟର ଡେପୁଟୀ କମିଶନର ଶ୍ରୀ ରାମ ଚନ୍ଦ୍ର ମିଶ୍ର, ନାର୍କୋଟିକ୍ସ ଏବଂ ସାଇକୋଟ୍ରୋପିକ୍ ଡ୍ରଗ୍ସର ପ୍ରକାର ଏବଂ ସମାଜରେ ସେମାନଙ୍କ ଅପବ୍ୟବହାର ବିଷୟରେ ବର୍ଣ୍ଣନା କରିଥିଲେ । ଶ୍ରୀ ରଜତ କୁମାର ପ୍ରହରାଜ, ଇଡିସି, କଟକ ଏବଂ ଅବକାରୀ କମିଶନରଙ୍କ ପରାମର୍ଶଦାତା ଶ୍ରୀ ପ୍ରସନ୍ନ କୁମାର ଆଚାର୍ଯ୍ୟ ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ଯୁଗ୍ମ ଅବକାରୀ କମିଶନର ଶ୍ରୀ ରାମ ଚନ୍ଦ୍ର ପାଲଟା ଏବଂ ଡକ୍ଟର ଦିବ୍ୟଲୋଚନ ମହନ୍ତ ଏବଂ ଡେପୁଟି କମିଶନର ଶ୍ରୀ ଡମ୍ବରୁଧର ଖଣ୍ଡା ମଧ୍ୟ ଅଂଶଗ୍ରହଣ କରିଥିଲେ ।

ପାରସ୍ପରିକ ଆଲୋଚନା ସମୟରେ ରାଜ୍ୟର ଅବକାରୀ ଅଧିକାରୀମାନେ ସନ୍ଦେହ ମୋଚନ ପାଇଁ ବିଭିନ୍‍ନ ପ୍ରଶ୍ନ କରିଥିଲେ ଏବଂ ଯାହାର ଉପଯୁକ୍ତ ଭାବରେ ବ୍ୟାଖ୍ୟା କରାଯାଇଥିଲା ଏବଂ ସେମାନଙ୍କୁ ଅନୁସନ୍ଧାନ, ଜବତ, ଅନୁସନ୍ଧାନ ଏବଂ ପ୍ରମାଣ ଯୋଗାଡ କୌଶଳ ଇତ୍ୟାଦି ବିଷୟରେ ଶିକ୍ଷା ଦିଆଯାଇଥିଲା । ଆଲୋଚନାଚକ୍ର ଶେଷରେ ଅବକାରୀ କମିଶନର ଶ୍ରୀ ସିଂହ ପ୍ରତ୍ୟେକ ମାସରେ ଏହିପରି ସେମିନାର ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଗାମୀ ଦିନରେ ସମସ୍ତ ଅବକାରୀ ଅଫିସରଙ୍କୁ ତାଲିମ ଦେବା ପାଇଁ ପଦକ୍ଷେପ ନିଆଯାଉଛି ଏବଂ ସମସ୍ତ ଅଧିକାରୀ ଏହାର ଲାଭ ଉଠାଇବେ ବୋଲି ସେ ଆଶା କରିଥିଲେ ।