ଭୁବନେଶ୍ୱର : ଓଡିଶା ଉଚ୍ଚ ନ୍ୟାୟାଳୟ ସମେତ ଅନ୍ୟାନ୍ୟ ଅଦାଲତରେ ଦୀର୍ଘ ଦଶବର୍ଷ ହେଲା ୨.୬୭ ଲକ୍ଷରୁ ଅଧିକ ମାମଲା ପଡି ରହିଛି । କେନ୍ଦ୍ର ଆଇନ୍ ଏବଂ ନ୍ୟାୟ ମନ୍ତ୍ରୀ କିରଣ ରିଜଜୁ ଲୋକସଭାରେ ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ର ଆଇନ୍ ମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତରରୁ ଜଣାଯାଇଛି ଯେ ଗତ ଦଶ ବର୍ଷ ଧରି ଓଡିଶା ହାଇକୋର୍ଟରେ ୩୩,୩୬୩ଟି ମାମଲା ପଡି ରହିଥିବାବେଳେ ବିଭିନ୍ନ ଜିଲ୍ଲା ଏବଂ ଅନ୍ୟ ଅଦାଲତରେ ଚଳିତବର୍ଷ ଜୁଲାଇ ୧୯ ସୁଦ୍ଧା ୨,୩୪,୨୧୬ ଟି ମାମଲା ପଡିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯ ମସିହାରେ ରାଜ୍ୟର ଫାଷ୍ଟଟ୍ରାକ ଅଦାଲତଗୁଡିକ ୬୬୬୪ଟି ମାମଲା ଫଏସଲା କରିଛନ୍ତି । ୨୦୨୧ ରେ ୨୩୪ଟି ଏବଂ ଚଳିତବର୍ଷ ମଇ ଶେଷ ସୁଦ୍ଧା ଏହି ଅଦାଲତରେ ୩୦୪ଟି ମାମଲା ଫଏସଲା ହୋଇଛି । ତେବେ ୨୦୨୦ ରେ ଓଡିଶାର ଫାଷ୍ଟଟ୍ରାକ କୋର୍ଟରେ କୌଣସି ମାମଲା ଫଏସଲା ହୋଇପାରି ନାହିଁ ।
ଠିକଣା ସମୟରେ ମାମଲାଗୁଡିକର ଫଏସଲା ପାଇଁ କେତେଗୁଡିଏ ଦିଗ ରହିଛି । ସେଗୁଡିକ ମଧ୍ୟରେ ଆବଶ୍ୟକ ସଂଖ୍ୟକ ଜଜ୍ ଏବଂ ଜୁଡିସିଆଲ ଅଫିସର ନିଯୁକ୍ତି, ଅଦାଲତରେ ଆବଶ୍ୟକ କର୍ମଚାରୀ ଏବଂ ଭିତ୍ତିଭୂମି, ମାମଲାର ପ୍ରମାଣ, ହିତାଧିକାରୀମାନଙ୍କ ସହଯୋଗ ଯଥା ବାର୍, ତଦନ୍ତକାରୀ ସଂସ୍ଥା, ସାକ୍ଷୀ ଏବଂ ଠିକଣା ଭାବେ ଅଭିଯୋଗ ଓ ଆଇନ୍ର ତର୍ଜମା କରାଯିବା ।
୨୦୧୯ ମସିହାରେ ସୁପ୍ରିମ୍କୋର୍ଟରେ ମୁଖ୍ୟ ବିଚାରପତିଙ୍କ ବାଦ୍ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି ପାଇଛି । ସେହିଭଳି ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୯୦୬ରୁ ୧୧୦୮କୁ ବଢିଛି । ଜିଲ୍ଲା ଏବଂ ଅନ୍ୟାନ୍ୟ ଅଦାଲତରେ କ୍ୟାଡର ବିଚାରପତିଙ୍କ ସଂଖ୍ୟା ୧୯,୫୧୮ ରୁ ୨୪,୬୩୧କୁ ଚଳିତବର୍ଷ ଜୁଲାଇ ମାସରେ ବୃଦ୍ଧି ପାଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜ୍ଜୁ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବିଧାନର ଧାରା ୩୯କ ଅନୁଯାୟୀ କେନ୍ଦ୍ର ସରକାର ମାମଲାଗୁଡିକର ତୁରନ୍ତ ଫଏସଲା ସହିତ ପଡି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଁ ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ସରକାର ପ୍ରତିଷ୍ଠା କରିଥିବା ନେସନାଲ ମିଶନ ଫର ଜଷ୍ଟିସ ଡେଲିଭରୀ ଆଣ୍ଡ ଲିଗାଲ ରିଫର୍ମସ କେତେଗୁଡିକ ପନ୍ଥା ଆପଣେଇଛନ୍ତି ।
ଏଥି ମଧ୍ୟରେ ଜିଲ୍ଲା ଏବଂ ନିମ୍ନ ଅଦାଲତରେ ଥିବା ବିଚାର ବିଭାଗୀୟ ଅଧିକାରୀଙ୍କ ଲାଗି ଭିତ୍ତିଭୂମି ବିକାଶ, ତୁରନ୍ତ ମାମଲା ଫଏସଲା ପାଇଁ ଆଇସିଟିର ବ୍ୟବହାର, ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ଖାଲି ପଡିଥିବା ବିଚାରପତି ପଦବୀଗୁଡିକୁ ପୂରଣ କରିବା, ଜିଲ୍ଲା, ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ ସ୍ତରରେ ଥିବା ଏରିଅର କମିଟିର ମତାମତ ଅନୁଯାୟୀ ମାମଲାର ତ୍ୱରିତ ଫଏସଲା, ମାମଲାର ବିକଳ୍ପ ସମାଧାନକୁ ଗୁରୁତ୍ୱ ଏବଂ ସ୍ୱତନ୍ତ୍ର ମାମଲାଗୁଡିକୁ ଫାଷ୍ଟଟ୍ରାକ ଅଦାଲତରେ ବିଚାର ଆଦି ରହିଛି । (ତଥ୍ୟ)