Home Education ଅଧିକାଂଶ ବିଶ୍ୱବିଦ୍ୟାଳୟର ନାକ୍‍ ମାନ୍ୟତା ନାହିଁ

ଅଧିକାଂଶ ବିଶ୍ୱବିଦ୍ୟାଳୟର ନାକ୍‍ ମାନ୍ୟତା ନାହିଁ

ଭୁବନେଶ୍ୱର : ଓଡିଶାରେ ୨୬ଟି ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଥିବାବେଳେ ଏଥିରୁ ଅନେକଙ୍କର ନାକ୍‍ ମାନ୍ୟତା ନାହିଁ । ଯେଉଁଗୁଡିକର ବି ନାକ୍‍ ମାନ୍ୟତା ଅଛି ସେଥିରୁ କେବଳ ଗୋଟିଏ ଏ++ ଗ୍ରେଡ୍‍ ହାସଲ କରିଥିବାବେଳେ ଅନ୍ୟଗୁଡିକର ଗ୍ରେଡ୍‍ ମାନ୍ୟତା ନିମ୍ନ ବର୍ଗରେ ରହିଛି ।

ସେହିଭଳି ଓଡିଶାରେ ଥିବା ୫୦ଟି ସରକାରୀ ଡିଗ୍ରୀ କଲେଜ ମଧ୍ୟରୁ କାହାର ବି ‘ଏ++’ ଗ୍ରେଡ୍‍ର ନାକ୍‍ ମାନ୍ୟତା ନାହିଁ । ସ୍ୱୟଂଶାସିତ କଲେଜଗୁଡିକ ମଧ୍ୟରୁ କେତେକର ସ୍ୱୟଂଶାସନ ମର୍ଯ୍ୟାଦାର ନବୀକରଣ ହୋଇନଥିବାବେଳେ ସଂଖ୍ୟାଧିକଙ୍କର ଗ୍ରେଡ୍‍ ତଳସ୍ତରରେ ରହିଛି । ଓଡିଶାରେ ଥିବା ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡିକର ନାକ୍‍ ମାନ୍ୟତା କ୍ଷେତ୍ରରେ ଅବସ୍ଥା ମଧ୍ୟ ତଦ୍ରୁପ ।

ରାଜ୍ୟର ଘରୋଇ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରୁ ସୋଆ ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ଏ++ ଗ୍ରେଡ୍‍ର ନାକ୍‍ ମାନ୍ୟତା ହାସଲ କରିବାରେ ସମର୍ଥ ହୋଇଛି । ତେବେ ଅନ୍ୟ ଘରୋଇ ବିଶ୍ୱବିଦ୍ୟାଳୟଗୁଡିକ ଭିତରୁ କେତେକ ଉଚ୍ଚ ଗ୍ରେଡ୍‍ର ନାକ୍‍ ମାନ୍ୟତା ପାଇବାକୁ ଆଶାବାଦୀ ଅଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଗତଥର ଏ+ ଗ୍ରେଡ୍‍ର ନାକ୍‍ ମାନ୍ୟତା ହାସଲ କରିଥିବାବେଳେ ଅନ୍ୟ କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ଏହି ସ୍ତରକୁ ଯାଇପାରି ନାହାନ୍ତି । ତେବେ ଏଥର ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍‍ ମାନ୍ୟତା ଏ++ କୁ ଯିବ ନା ତଳକୁ ଖସିବ ସେଥିଘେନି ଚର୍ଚ୍ଚା ଚାଲିଛି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ଏହାର ଏପର୍ଯ୍ୟନ୍ତ ନାକ୍‍ ମାନ୍ୟତା ନାହିଁ । ବ୍ରହ୍ମପୁର, ସମ୍ବଲପୁର, ଫକୀରମୋହନ, ରେଭେନ୍ସା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମିତ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭକରି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଦି ମଧ୍ୟରୁ କାହାର କେଉଁ ନାକ୍‍ ଗ୍ରେଡ୍‍ ମିଳିବ ସେଥିଘେନି ସନ୍ଦେହ ରହିଛି ।

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ କୋରାପୁଟର ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଯେଭଳି ଶିକ୍ଷକ ଓ କର୍ମଚାରୀ ଅଭାବ ରହିଛି ସେଥିରୁ ଏହି ବିଶ୍ୱବିଦ୍ୟାଳୟଗୁଡିକ ଉଚ୍ଚମାନର ଗ୍ରେଡ୍‍ ହାସଲ କରିବା ସମ୍ଭାବନା କ୍ଷୀଣ । ଏ ପରିପ୍ରେକ୍ଷୀରେ କେତେକ ସରକାରୀ ବିଶ୍ୱବିଦ୍ୟାଳୟ ନାକ୍‍ ରେଟିଂ ପାଇଁ ଆବେଦନ ମଧ୍ୟ କରୁନାହାନ୍ତି । ତେବେ କିଟ୍‍, ସେଞ୍ଚୁରିଆନ, ଜାଭିୟର ସମେତ ଆଉ କେତେକ ଘରୋଇ ବିଶ୍ୱବିଦ୍ୟାଳୟ ଏ++ ଗ୍ରେଡ୍‍ର ମାନ୍ୟତା ହାସଲ କରିପାରନ୍ତି ବୋଲି ଶିକ୍ଷାବିତ୍‍ ମହଲରେ ମତପ୍ରକାଶ ପାଉଛି ।

ଡିଗ୍ରୀ କଲେଜଗୁଡିକ ଉଚ୍ଚ ଗ୍ରେଡ୍‍ର ନାକ୍‍ ମାନ୍ୟତା ହାସଲ ପାଇଁ ପ୍ରସ୍ତୁତ ରହିବାକୁ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ବାରମ୍ବାର ଚେତାଇ ଦିଆଯାଉଛି । ତେବେ ସଂଖ୍ୟାଧିକ ସରକାରୀ ଡିଗ୍ରୀ କଲେଜ ଓ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀକଲେଜଗୁଡିକ ମଧ୍ୟରୁ ଅଧିକାଂଶରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଏହାଛଡା ବିଭିନ୍ନ ବିଷୟର ଅଧ୍ୟାପକଙ୍କ ସମେତ ବହୁ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି ପଡିଛି । ତୁରନ୍ତ ଏଗୁଡିକ ପୂରଣ କରାନଗଲେ ନାକ୍‍ କମିଟି ନିକଟରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କି ଉତ୍ତର ରଖିବେ ସେଥିଘେନି ଦ୍ୱନ୍ଦରେ ଅଛନ୍ତି । ତେବେ ଉଚ୍ଚଶିକ୍ଷା ବିଭାଗ ସମେତ ବିଶ୍ୱବିଦ୍ୟାଳୟଗୁଡିକ ପକ୍ଷରୁ ଅଧ୍ୟାପକ ନିଯୁକ୍ତି ପାଇଁ ଲୋକସେବା ଆୟୋଗ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବାବେଳେ ଅଦାଲତି ମାମଲା ଯୋଗୁଁ ଏହା ବି ଆଗେଇ ପାରୁନାହିଁ ।(ତଥ୍ୟ)