Home Banking ୪୦୬୦ ପଞ୍ଚାୟତରେ ବ୍ୟାଙ୍କ୍‍ଶାଖା ନାହିଁ

୪୦୬୦ ପଞ୍ଚାୟତରେ ବ୍ୟାଙ୍କ୍‍ଶାଖା ନାହିଁ

ଭୁବନେଶ୍ୱର : ଡିଜିଟାଲ ଇଣ୍ଡିଆ ଓ ଡିଜିଟାଲ ପେମେଣ୍ଟ ଯୁଗରେ ଏବେ ବି ଓଡିଶାର ଅତି କମ୍‍ରେ ୪୦୬୦ ପଞ୍ଚାୟତରେ ଲୋକଙ୍କୁ ଆର୍ଥିକ ସେବା ଯୋଗାଣ ପାଇଁ ନିଜସ୍ୱ ଘର ଥିବା ବ୍ୟାଙ୍କ୍‍ ଶଖାଟିଏ ନାହିଁ । ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରୁ ଏହା ଜଣାଯାଇଛି ।

ଏହି ସୂଚନା ଅନୁଯାୟୀ ଜାତୀୟ ସ୍ତରରେ ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ୧୮.୧୨ ଟି ବ୍ୟାଙ୍କ୍‍ଶାଖା ଥିବାବେଳେ ୨୨.୩୨ଟି ଏଟିଏମ୍‍ ରହିଛି । କିନ୍ତୁ ଓଡିଶାରେ ଏହା ଯଥାକ୍ରମେ ୧୩.୦୬ ଓ ୧୮.୧୫ ରହିଛି । ଜାତୀୟ ହାରରେ ପହଞ୍ଚିବା ପାଇଁ ରାଜ୍ୟରେ ଅତି କମ୍‍ରେ ୭୬୦୫ ଟି ବ୍ୟାଙ୍କଶାଖା ଏବଂ ୯୩୬୯ ଟି ଏଟିଏମ୍‍ ଆବଶ୍ୟକ ।

ସେହିଭଳି ରାଜ୍ୟରେ ଏବେ ୨୭୩୮ ଟି ପଞ୍ଚାୟତରେ ବ୍ୟାଙ୍କ୍‍ ଶାଖା ରହିଛି ଯାହାକି ମୋଟ୍‍ ୬୭୯୮ଟି ପଞ୍ଚାୟତର ମାତ୍ର ୪୦ ପ୍ରତିଶତ । ଅବଶିଷ୍ଟ ୬୦ ପ୍ରତିଶତ ପଞ୍ଚାୟତ ଯାହାକି ୪୦୬୦ ସେଠାରେ ବ୍ୟାଙ୍କ୍‍ କାରବାର ନାହିଁ । ତେବେ ସବୁ ପଞ୍ଚାୟତରେ ଲକ୍ଷ୍ୟ ହାସଲ କରିବାକୁ ୧୯୯୮ ଟି ବ୍ୟାଙ୍କ୍‍ଶାଖା ଏବଂ ୧୯୦୮ଟି ଏଟିଏମ୍‍ ବସାଇବାକୁ ପଡିବ ।

ତେବେ ୨୦୨୧-୨୨ ବର୍ଷରେ ରାଜ୍ୟରେ ମାତ୍ର ନିଜସ୍ୱ ଘର ଥିବା ୭୦ଟି ନୂତନ ବ୍ୟାଙ୍କ୍‍ଶାଖା ଖୋଲିଛି । ଯେଉଁ ହାରରେ ବ୍ୟାଙ୍କ୍‍ଶାଖା ଖୋଲାହେଉଛି ଅବଶିଷ୍ଟ ପଞ୍ଚାୟତରେ ଏହା ଖୋଲିବାପାଇଁ ଆହୁରି କେତେ ବର୍ଷ ଲାଗିବ ତାହାକୁ ନେଇ ଅଧିକାରୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଅନ୍ୟ ପକ୍ଷରେ ଆରବିଆଇ, ନାବାର୍ଡ ଏବଂ ଏସ୍‍ଏଲ୍‍ବିସି ପକ୍ଷରୁ ୨୦୦ ଗ୍ରାମପଞ୍ଚାୟତକୁ ଚିହ୍ନଟ କରାଯିବା ସହିତ ସେଠାରେ ମାର୍ଚ୍ଚ ୨୦୨୩ ସୁଦ୍ଧା ବ୍ୟାଙ୍କ୍‍ ଶାଖା ପ୍ରତିଷ୍ଠାପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଓଡିଶାରେ ନିଜସ୍ୱ ବ୍ୟାଙ୍କ୍‍ ଶାଖା, ବ୍ୟାଙ୍କିଙ୍ଗ୍‍ କରେସପଣ୍ଡେଣ୍ଟ ଏବଂ ଏଟିଏମ୍‍ ସଂଖ୍ୟା ୨୦୨୧ ମାର୍ଚ୍ଚ ୩୧ରେ ୨୪,୯୧୯ ଥିବାବେଳେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ତାହା ୩୦,୧୯୫ରେ ପହଞ୍ଚିଛି । ୨୦୨୧-୨୨ ଶେଷ ସୁଦ୍ଧା ରାଜ୍ୟରେ ୧୭,୧୨୭ ବ୍ୟାଙ୍କିଙ୍ଗ୍‍ କରେସପେଣ୍ଡେଣ୍ଟ ନିଯୁକ୍ତି ହୋଇଛନ୍ତି । ଅନୁରୂପ ଭାବେ ରାଜ୍ୟରେ ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍‍ର ୭୯୬୬ ଟି ଶାଖା ରହିଛି । ରାଜ୍ୟରେ ମୋଟ୍‍ ୩୩୯ ପଞ୍ଚାୟତରେ ଏହା ସେବା ଯୋଗାଉଛି ।

ଗତ ଆର୍ଥିକ ବର୍ଷରେ ଚିହ୍ନଟ ହୋଇଥିବା ୬୫ଟି ପଞ୍ଚାୟତ ମଧ୍ୟରୁ ୨୨ଟିରେ ବ୍ୟାଙ୍କଶାଖା ଖୋଲିଥିବାବେଳେ ଅବଶିଷ୍ଟ ୪୩ଟି ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‍ କରେସପଣ୍ଡେଣ୍ଟ ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍‍ ଜରିଆରେ ସେବା ଯୋଗାଣ ହେଉଛି । ଜନ ଧନ ଦର୍ଶକ ଜିଆଇଏସ୍‍ ୱେବ ପୋର୍ଟାଲ ଅନୁଯାୟୀ ବର୍ତ୍ତମାନ ୬ଟି ଗ୍ରାମ (ବୌଦ ଜିଲ୍ଲାର ସୁଲକେତି, କଳାହାଣ୍ଡିର ସେମିଖାଲ ଓ ଜବାଗାଁଓ, ମାଲକାନଗିରିର କରଞ୍ଜଗୁଦା, ମୟୁରଭଞ୍ଜର ପାଟବିଲ ଏବଂ ରାଗୟଡାର ମାତାମବାରୁ ରେ ଆଦø ବ୍ୟାଙ୍କ୍‍ ସେବା ନାହିଁ । ଏଥି ମଧ୍ୟରୁ ଦୁଇିଟି ଗ୍ରାମ ସୁଲକେତି ଏବଂ ପାଟବିଲ୍‍ କୁ ବ୍ୟାଙ୍କ୍‍ ଶାଖା ଖୋଲିବାରୁ ଛାଡ କରାଯାଇଛି । ଅନ୍ୟ ୪ଟି ଗ୍ରାମରେ କମ୍‍ ଜନସଂଖ୍ୟା ସହିତ ଯୋଗାଯୋଗ ଅଭାବରୁ ସେବା ଯୋଗାଯାଇ ପାରୁନାହିଁ ।

୨୦୨୧-୨୨ ବର୍ଷରେ ନାବାର୍ଡ ପକ୍ଷରୁ ୨୦ଟି ବିଭିନ୍ନ ଯୋଜନାରେ ୩୨.୨୬ କୋଟି ଟଙ୍କାର ଅନର୍ନ୍ତଭୁକ୍ତିକରଣ କରାଯାଇଛି । ଏଥିପାଇଁ ୨୫.୬୭ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ମାର୍ଚ୍ଚ ୨୦୨୨ ସୁଦ୍ଧା ମାତ୍ର ୯.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି । (ତଥ୍ୟ)