ଭୁବନେଶ୍ୱର : ରାଜ୍ୟରେ ଡିପ୍ଲୋମା ପଢୁଆଙ୍କ ତୁଳନାରେ ଆଇଟିଆଇ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଉଛନ୍ତି । ରାଜ୍ୟ ସରକାରଙ୍କ କେନ୍ଦ୍ରୀୟ ନିଯୁକ୍ତି ସେଲ୍ ଜରିଆରେ ଗତ ୮ବର୍ଷରେ ୪୭୫୬ଜଣ ଡିପ୍ଲୋମା ଡିଗ୍ରୀଧାରୀ ନିଯୁକ୍ତି ପାଇଥିବାବେଳେ ଆଇଟିଆଇଙ୍କ ସଂଖ୍ୟା ୧୦ହଜାରରୁ ଅଧିକ ରହିଛି ।
ବୈଷୟିକ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଲାଗି ରାଜ୍ୟ ସରକାର ୨୦୧୪ ମସିହାରେ କେନ୍ଦ୍ରୀୟ ନିଯୁକ୍ତି ସେଲ୍ ପ୍ରତିଷ୍ଠା କରିଥିବାବେଳେ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୪୭୫୬ଜଣ ଡିପ୍ଲୋମା ଡିଗ୍ରୀଧାରୀ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି । ତେବେ ୨୦୨୧-୨୨ ବର୍ଷରେ ସର୍ବାଧିକ ୧୩୩୩ ଜଣ ନିଯୁକ୍ତି ପାଇଥିବାବେଳେ ସବୁଠାରୁ କମ୍ ୨୩୪ଜଣ ୨୦୧୪-୧୫ରେ ନିଯୁକ୍ତି ପାଇଥିଲେ ।
ଏହି ସମୟ ମଧ୍ୟରେ ୧୦,୪୪୪ ଜଣ ଆଇଟିଆଇ ଡିଗ୍ରୀଧାରୀ ନିଯୁକ୍ତି ପାଇଛନ୍ତି । ଏ କ୍ଷେତ୍ରରେ ୨୦୨୧-୨୨ ବର୍ଷରେ ସର୍ବାଧିକ ୨୧୪୫ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି । ୨୦୧୪-୧୫ ବର୍ଷରେ ମାତ୍ର ୪୦୦ ଜଣ ଆଇଟିଆଇ ଶିକ୍ଷାଧାରୀ ନିଯୁକ୍ତି ପାଇଥିବାବେଳେ ଏହା ପରଠାରୁ ଏହି ଶିକ୍ଷାଧାରୀଙ୍କ ନିଯୁକ୍ତି ବଢିବାରେ ଲାଗିଛି ।
ତେବେ ରାଜ୍ୟରେ ନିଯୁକ୍ତି ମେଳା ମାଧ୍ୟମରେ ହେଉଥିବା ନିଯୁକ୍ତି ପରିମାଣ କିନ୍ତୁ କମିବାରେ ଲାଗିଛନ୍ତି । ୨୦୧୦-୧୧ ବର୍ଷରେ ୧୬ହଜାରରୁ ଅଧିକ ଯୁବକ ଯୁବତୀ ନିଯୁକ୍ତିମେଳା ମାଧ୍ୟମରେ କର୍ମସଂସ୍ଥାନ ପାଇଥିବାବେଳେ ୨୦୨୦-୨୧ରେ ଏହା ୧୨,୭୮୭ ରହିଛି । ସେହିଭଳି ନିଯୁକ୍ତି ମେଳାରେ ଅଂଶଗ୍ରହଣ ପାଇଁ ଯୁବକ ଯୁବତୀଙ୍କ ମଧ୍ୟରେ ସେତେଟା ଆଗ୍ରହ ନାହିଁ । ୨୦୧୧-୧୨ ବର୍ଷରେ ଏକ ଲକ୍ଷ ୧୦ହଜାର ଯୁବକ ଯୁବତୀ ନିଯୁକ୍ତିମେଳାରେ ସାମିଲ ହୋିଥିବାବେଳେ ୨୦୨୧-୨୨ ବର୍ଷରେ ମେଳାକୁ ଆସିଥିବା ଯୁବଗୋଷ୍ଠିଙ୍କ ସଂଖ୍ୟା ୩୨,୮୪୭ ରହିଥିଲା ।
ନିଯୁକ୍ତି ମେଳା ପ୍ରତି ଯୁବଗୋଷ୍ଠିଙ୍କ ଅନାଗ୍ରହ ପଛରେ କମ୍ ପାରିଶ୍ରମିକ ସହିତ ଅନ୍ୟ ରାଜ୍ୟରେ ନିଯୁକ୍ତି ଅନ୍ୟତମ କାରଣ ବୋଲି କୁହାଯାଉଛି । ନିଯୁକ୍ତି ମେଳାକୁ ଆସୁଥିବା ରାଜ୍ୟ ବାହାରର କମ୍ପାନୀମାନେ କମ୍ ପାରିଶ୍ରମିକରେ ସେମାନଙ୍କ ରାଜ୍ୟରେ କାମ କରିବାକୁ କହୁଥିବାରୁ ଓଡିଶାର ଯୁବକ ଯୁବତୀମାନେ ସେଥିପାଇଁ ରାଜି ହେଉନାହାନ୍ତି । ଏହାଛଡା ଅଧିକାଂଶ କମ୍ପାନୀ ଓଡିଶାର ଯୁବକ ଯୁବତୀମାନଙ୍କୁ ସିକ୍ୟୁରିଟିଗାର୍ଡ ଚାକିରି ପାଇଁ ବାଛୁଥିବାରୁ ତାହା ମଧ୍ୟରେ ଯୁବକ ଯୁବତୀଙ୍କ ମଧ୍ୟରେ ଅନାଗ୍ରହର ଅନ୍ୟତମ କାରଣ ପାଲଟିଛି । (ତଥ୍ୟ)