Home Judiciary ମାମଲା ସଂଖ୍ୟା କମାଇବ ଅଭିଯୋଗ ଫଏସଲା

ମାମଲା ସଂଖ୍ୟା କମାଇବ ଅଭିଯୋଗ ଫଏସଲା

ଭୁବନେଶ୍ୱର : ଅଭିଯୋଗ ଶୁଣାଣି ଓ ସେଗୁଡିକର ଫଏସଲା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଲେ ଆଇନ ଅଦାଲତଗୁଡିକରେ ମାମଲା ସଂଖ୍ୟା ହ୍ରାସ ପାଇବା ସହ ତହସିଲଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ପ୍ରଶାସନ କଳ ଉପରେ ବି ଚାପ କମିବ । କେବଳ ସେତିକି ନୁହେଁ, ଏହାର ପ୍ରତିଫଳନ ସ୍ୱରୂପ ରାଜକୋଷର ବ୍ୟୟଭାର ମଧ୍ୟ ଅନେକ ପରିମାଣରେ କମିବ ପାଇବ ବୋଲି ଆଶା କରାଯାଉଛି । ଏ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଅଭିଯୋଗ ଶୁଣାଣି ଓ ଫଏସଲା ଉପରେ ଗୁରୁତ୍ୱାରୋପ କରୁଛନ୍ତି ।

ରାଜ୍ୟରେ ଏବେ ବିଭିନ୍ନ ଅଦାଲତରେ ପ୍ରାୟ ୧୫ ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ରାଜସ୍ୱ ପ୍ରଶାସନ ସମେତ ଅନ୍ୟ କେତେକ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଥିବା ମାମଲାକୁ ହିସାବକୁ ନେଲେ ଏହି ସଂଖ୍ୟା ୧୭ଲକ୍ଷରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ଦେଶର ଅଦାଲତଗୁଡିକରେ ପ୍ରାୟ ୪୧୧ ଲକ୍ଷ ମାମଲା ରହିଛି । ତଳ ସ୍ତରରୁ ଆପତ୍ତି ଅଭିଯୋଗ ଶୁଣାଣି ମାଧ୍ୟମରେ ଭୁଲ୍‍ ବୁଝାମଣା ଓ ବିବାଦର ସମାଧାନ ହୋଇପାରିଲେ ହୁଏତ ବହୁ ଦେୱାନି ଓ ଫୌଜଦାରୀ ମାମଲା ସୃଷ୍ଟି ହୁଅନ୍ତା ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ବିଶେଷକରି ଜମିବାଡି ଗଣ୍ଡଗୋଳ ପାଇଁ କେବଳ ମାମଲା ସଂଖ୍ୟା ବଢ଼ୁନାହିଁ, ମୁଣ୍ଡ ବି ଗଡୁଛି । ଏହି ପ୍ରସଙ୍ଗର ତ୍ୱରିତ ସମାଧାନ ହୋଇପାରୁଥିଲେ ମାହାଙ୍ଗାରେ ଗୋଟିଏ ପରିବାରର ୪ଜଣ ଗଣହତ୍ୟାର ଶିକାର ହୋଇନଥାନ୍ତେ । ଏହାଛଡା ଜମିବାଡି ଭାଗବଣ୍ଟା, ଜବରଦଖଲ ଆଦି ପ୍ରସଙ୍ଗରେ ବି ଗଣ୍ଡଗୋଳ ବଢ଼ି ବ୍ୟାପକ ଧନଜୀବନ ହାନି ହେବା ସହ ସରକାରଙ୍କ ଆଇନ ଶୃଙ୍ଖଳା ରକ୍ଷା, ମାମଲା ପରିଚାଳନା ଓ ଜେଲ୍‍ ଆଦି ବାବଦରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି ।

ସବୁଠାରୁ ବେଶୀ ଗଣ୍ଡଗୋଳ ରହୁଛି ଚାକିରି, ପେନସନ ଆଦି ସଂକ୍ରାନ୍ତୀୟ ଘଟଣାରେ । ଚାକିରି ପ୍ରତ୍ୟାଶୀ, ପେନସନଭୋଗୀ ଓ କର୍ମଚାରୀମାନଙ୍କ ଛୋଟ ଛୋଟ ଆପତ୍ତି ଅଭିଯୋଗ ଉପରେ ନିରପେକ୍ଷ ଶୁଣାଣି କରି ଉପରିସ୍ଥ ଅଧିକାରୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲେ ଅନ୍ୟୂନ ଏ ସଂକ୍ରାନ୍ତୀୟ ୮୦ ପ୍ରତିଶତ ମାମଲା ରୁଜୁ ହେଉନଥାନ୍ତା ବୋଲି ପ୍ରାୟ ଚାରି ଦଶନ୍ଧି ଧରି ଚାକିରି ସଂକ୍ରାନ୍ତୀୟ ଉଭୟ ସରକାରୀ ଓ ବେସରକାରୀ ମାମଲା ପରିଚାଳନା କରିଆସୁଥିବା ଅଭିଜ୍ଞ ଆଇନଜ୍ଞ ପ୍ରହଲ୍ଲାଦ ସିଂହ ମତବ୍ୟକ୍ତ କରିଛନ୍ତି ।

ନିଜ ନାମ ପ୍ରକାଶ ନ କରିବା ସର୍ତ୍ତରେ କେତେକ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଅନୁରୂପ ମତବ୍ୟକ୍ତ କରି ଆଇନ ବ୍ୟବସ୍ଥାର ସରଳୀକରଣ ସହ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଏବଂ ଗାଁ ଗହଳରେ ଗାଁର ବିବାଦ ଗାଁରେ ତୁଟାଇବା ପାଇଁ ସକାରାତ୍ମକ ବ୍ୟବସ୍ଥା ଗ୍ରହଣ କରାଗଲେ କେବଳ ରାଜ୍ୟରେ କାହିଁକି ଦେଶରେ ମାମଲା ସଂଖ୍ୟା ହ୍ରାସ ପାଇବ ବୋଲି ସୂଚାଇବା ସଂଗେ ସଂଗେ ରାଜ୍ୟ ଆଇନ କମିଶନକୁ ସୁଦୃଢ଼ କରିବା, ଗ୍ରାମ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଏହାର ବିଭିନ୍ନ ସ୍ତରରେ ନିୟମିତ ସୀମକ୍ଷା କରାଯିବା ଉପରେ ମଧ୍ୟ ସେମାନେ ଗୁରୁତ୍ୱାରୋପ କରୁଛନ୍ତି ।

ଏହାଦ୍ୱାରା ରାଜକୋଷର ହଜାର ହଜାର କୋଟି ଟଙ୍କା ସଞ୍ଚୟ ହେବା ସହ ପ୍ରଶାସନିକ ଶୃଙ୍ଖଳା ଓ ଦକ୍ଷତା ବୃଦ୍ଧି ପାଇବ ଏବଂ ବିଚାରାଳୟ ଓ ପୋଲିସ ପ୍ରଶାସନ ପାଇଁ ଚାପ ବହୁ ପରିମାଣରେ ହ୍ରାସ ପାଇପାରିବ ଏବଂ ଲୋକେ ବି ବିଳମ୍ବିତ ନ୍ୟାୟ ଓ ବ୍ୟାପକ ଖର୍ଚ୍ଚାନ୍ତରୁ ରକ୍ଷା ପାଇପାରିବେ ବୋଲି ଅଭିଜ୍ଞ ଅଧିକାରୀମାନେ କହୁଛନ୍ତି । (ତଥ୍ୟ)