Home Education ପରୀକ୍ଷା ବେଳେ ଗୁଜବକାରୀଙ୍କ ଉପରେ ରହିବ କଡ଼ା ନଜର

ପରୀକ୍ଷା ବେଳେ ଗୁଜବକାରୀଙ୍କ ଉପରେ ରହିବ କଡ଼ା ନଜର

ଭୁବନେଶ୍ୱର : ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଥିବା  ମାଟ୍ରିକ୍ ଏବଂ +୨  ପରୀକ୍ଷା ନିମନ୍ତେ ବ୍ୟାପକ ପ୍ରଶାସନିକ  ପ୍ରସ୍ତୁତି ଆରମ୍ଭ ହୋଇଛି ।  ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଆଜି ଏକ  ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

 ରାଜ୍ୟ ଲୋକସେବା ଭବନ ସଭାଗୃହରେ  ଅନୁଷ୍ଠିତ ଏହି  ବୈଠକରେ ବିଦ୍ୟାଳୟ ଓ  ଗଣଶିକ୍ଷା ବିଭାଗ  ପ୍ରମୁଖ ଶାସନ ସଚିବ  ଶ୍ରୀ ବିଷ୍ଣୁପଦ ସେଠୀ  ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ  ପ୍ରକ୍ରିୟା ସମ୍ବନ୍ଧିତ  ବିଷୟ ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ ।  ସବୁ ଜିଲ୍ଲାର   ଜିଲ୍ଲାପାଳ ଏବଂ  ଏସ୍.ପି.ମାନେ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ବୈଠକରେ  ଯୋଗ ଦେଇଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ ଚଳିତ ବର୍ଷ  ମାଟ୍ରିକ୍ ପରୀକ୍ଷା  ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହୋଇ  ମେ ମାସ ୭ ତାରିଖ  ପର୍ଯ୍ୟନ୍ତ  ଚାଲିବ ।  ସେହିପରି +୨ ପରୀକ୍ଷା  ଏପ୍ରିଲ୍ ୨୮ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ ହେବ ।

ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରେ ସୁରକ୍ଷିତ ରଖିବାଠାରୁ  ଆରମ୍ଭ କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା  ପରୀକ୍ଷା କେନ୍ଦ୍ରରେ  ପହଞ୍ଚାଇବା, କେନ୍ଦ୍ରରେ ପରୀକ୍ଷା  ସଞ୍ଚାଳନ, ଉତ୍ତର ଖାତା ଗୁଡିକୁ ମୂଲ୍ୟାୟନ କେନ୍ଦ୍ରକୁ  ପରିବହନ,  ଏବଂ ମୂଲ୍ୟାୟନ ଆଦି ସମସ୍ତ ପର୍ଯ୍ୟାୟକୁ ଶୃଙ୍ଖଳିତ କରିବା  ନିମନ୍ତେ ପୂର୍ଣ୍ଣ ସହଯୋଗ ଓ ସାହାଯ୍ୟ ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳ ଏବଂ ଏସ୍.ପି.ମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ । 

ନିଜ ଜିଲ୍ଲାର ସମସ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟକୁ କେତେକ ପୁଞ ( କ୍ଲଷ୍ଟର) ରେ ସଂଗଠିତ କରି ଜଣେ ଜଣେ  ଦାୟିତ୍ୱ ସଂପନ୍ନ ଅଧିକାରୀଙ୍କୁ ପ୍ରତି ସେକ୍ଟରରେ ସମୁଦାୟ ପରୀକ୍ଷା  ପରିଚାଳନାରେ ଭାଗ ନେବା ପାଇଁ  ଶ୍ରୀ ମହାପାତ୍ର  ନିର୍ଦ୍ଦେଶ ଦେଇଥିଲେ ।  ପରୀକ୍ଷାଗତ ଆଇନ୍  ଶୃଙ୍ଖଳା ନିମନ୍ତେ  ପ୍ରତି ସେକ୍ଟରଓ୍ୱାରୀ ଆବଶ୍ୟକୀୟ ପୋଲିସ ଏବଂ ଗାଡି ଆଦି ମୁତୟନ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ  ଏସ୍.ପି.ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିଶେଷତଃ ସୋସିଆଲ୍ ମେଡ଼ିଆ ମାଧ୍ୟମରେ ରାତାରାତି ଧନୀହେବା ପାଇଁ ନକଲି ପ୍ରଶ୍ନପତ୍ର ସଂଚାର କରୁଥିବା ବ୍ୟକ୍ତି ଏବଂ ପ୍ରଶ୍ନପତ୍ର ବା ଉତ୍ତର ଖାତା ଆଦି ବିଷୟରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷଣ ନଜର ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଏସ୍.ପି.ମାନଙ୍କୁ ପରାମର୍ଶ ଦେଇଥିଲେ । ଏପରି ନ୍ୟସ୍ତ ସ୍ୱାର୍ଥ  ବ୍ୟକ୍ତିଙ୍କୁ ଠାବ କରି  ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।  ପ୍ରତି ନୋଡାଲ୍ ସେଣ୍ଟରରେ ସି.ସି.ଟି.ଭି ନିରୀକ୍ଷଣ ସହ କଡ଼ା ନିରାପତ୍ତା  ବ୍ୟବସ୍ଥା କରିବା ପାଇଁ ମଧ୍ୟ ଶ୍ରୀ  ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ କହିଥିଲେ ଯେ ଚଳିତ ବର୍ଷ  ୫,୮୫,୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ  ୫,୭୧,୯୦୯ ଜଣ ହାଇସ୍କୁଲ, ୪,୪୪୩ ଜଣ ମଧ୍ୟମା ଏବଂ ୯,୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ।  ମାଟ୍ରିକ୍ ପରୀକ୍ଷା ପାଇଁ  ସମୁଦାୟ ୩୫୪୦ ଟି କେନ୍ଦ୍ର ଏବଂ  ୩୧୫ ଟି  ନୋଡ଼ାଲ୍ କେନ୍ଦ୍ର କରାଯାଇଛି । ଶ୍ରୀ ସେଠୀ ଆହୁରି ମଧ୍ୟ  ଜଣାଇଥିଲେ ଯେ  ଚଳିତ ବର୍ଷ ୩,୨୧,୫୦୮ ଜଣ ପରୀକ୍ଷାର୍ଥୀ ଉଚ୍ଚ ମାଧ୍ୟମିକ  (+୨)  ପରୀକ୍ଷା ଦେବେ । 

ଏମାନଙ୍କ ମଧ୍ୟରୁ ୨,୧୩,୪୩୨ ଜଣ କଳା, ୭୮,୦୭୭ ଜଣ ବିଜ୍ଞାନ, ୨୪,୧୩୬ ଜଣ ବାଣିଜ୍ୟ  ଏବଂ ୫,୮୬୩ ଜଣ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ଅଟନ୍ତି । ଓଡ଼ିଶା ଉଚ୍ଚ ମାଧ୍ୟମିକ  ଶିକ୍ଷା ପରିଷଦ ଦ୍ୱାରା  ପରିଚାଳିତ  ହେବାକୁଥିବା  ଏହି ପରୀକ୍ଷା ନିମନ୍ତେ ୧,୧୩୩ ଟି ପରୀକ୍ଷା କେନ୍ଦ୍ର  ଏବଂ ୨୦୨ ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍ ସେଣ୍ଟର) କରାଯାଇଛି । 

ମୁଖ୍ୟତଃ ଛାତ୍ରଛାତ୍ରୀମାନେ  ନିଜ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା  କରାଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ କହିଥିଲେ । ଇତି ମଧ୍ୟରେ ନୋଡ଼ାଲ୍ ସେଣ୍ଟରମାନଙ୍କୁ  ପ୍ରଶ୍ନ ଓ ଉତ୍ତରଖାତା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି  ପରୀକ୍ଷା କେନ୍ଦ୍ରରେ ଯେପରି ଛାତ୍ରଛାତ୍ରୀମାନେ ସୁବିଧାରେ ପରୀକ୍ଷା ଦେଇପାରିବେ ସେଥିପାଇଁ  ଆବଶ୍ୟକୀୟ ଆୟୋଜନ କରାଯାଉଛି ।  

ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍.କେ. ଶର୍ମା,  ଉଚ୍ଚ ମାଧ୍ୟମିକ  ଶିକ୍ଷା  ପରିଦେର ଅଧ୍ୟକ୍ଷ ଶ୍ରୀ ସତ୍ୟରଂଜନ ସାହୁ, ଓଡ଼ିଶା ମାଧ୍ୟମିକ  ପରିଷଦ ସଭାପତି ଶ୍ରୀ ରମାଶିଷ ହଜରାଙ୍କ  ସମେତ ସଂପୃକ୍ତ ବିଭାଗର ବରିଷ୍ଠ  ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।