Home News in Odia କଂଗ୍ରେସର ଘଣ୍ଟ ମାଡ ପ୍ରତିବାଦ

କଂଗ୍ରେସର ଘଣ୍ଟ ମାଡ ପ୍ରତିବାଦ

ଭୁବନେଶ୍ୱର : ତୈଳ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରବୃଦ୍ଧି ବିରେଧରେ କଂଗ୍ରେସ ଆଜି ଅଭିନବ ପ୍ରତିବାଦ କରିଛି । ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରାଜ୍ୟବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଆଜି ୭ ତାରିଖରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଘଣ୍ଟମାଡ ଜରିଆରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ଏଥିନେଇ ଆଜି ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବ୍ଲକ ଆଉ ସଦର ମହକୁମାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦମାନେ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ପ୍ରଦେଶ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ସେବାଦଳର ମିଳିତ ସହଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ଝାଞ୍ଜ, ଘଣ୍ଟ, ଖଞ୍ଜଣି, ଥାଳି, ତାଟିଆ, କଂସା ଆଦି ବଜାଇ ତୈଳଦର ବୃଦ୍ଧିର ପ୍ରତିବାଦ ଜଣାଇଥିଲେ ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ନେଇ ବିଶୋଦଗାର କରିଥିଲେ । ସେମାନେ କହିଥିଲେ ଏହି କରୋନା ମହାମାରୀ ବିପଦ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ୍ ଓ ଡିଜେଲ୍‌ରେ ଟ୍ୟାକ୍ସ ଓ ଭାଟ୍ ବଢାଇ ତୈଳ ଦର ବୃଦ୍ଧି କରି ସାଧାରଣ ଜନତାଙ୍କୁ ଲୁଟୁଛନ୍ତି । ଏମାନେ ଜନତା ବିରୋଧି । ସେହିପରି ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କରି ସିଧା ହାଣ୍ଡିଶାଳରେ ଚୋଟ ମାରିଛନ୍ତି । ଚୁଲିମୁଣ୍ଡରେ ଗୃହିଣୀଟି ଲୁହ ଗଡାଇବାରେ ଲାଗିଛି ।

୨୦୧୪ ମସିହା ପୂର୍ବରୁ କଂଗ୍ରେସ ସରକାର ଥିବାବେଳେ ତୈଳଦର କିଛି ପଇସା ବଢୁଥିଲା ସେତେବେଳେ ବିଜେଡ଼ି, ବିଜେପି ରାଜରାସ୍ତାକୁ ଆସି ପ୍ରତିବାଦ କରୁଥିଲେ । ସେତେବେଳେ ପେଟ୍ରୋଲ୍ ଦର ୭୦ ଟଙ୍କା ଏବଂ ଡିଜେଲ୍ ଦର ୫୩ଟଙ୍କା ଥିଲା । ସେତେବେଳେ ଆନ୍ତର୍ଜାତିକ ବଜାରରେ ବ୍ୟାରେଲ୍ ପିଛା ୧୧୦ ରୁ ୧୪୦ ଡଲାର ଥିଲାବେଳେ ବର୍ତ୍ତମାନ ୫୦ ରୁ ୬୫ ଡଲାର ମଧ୍ୟରେ ରହିଛି । କିନ୍ତୁ ଏବେ ଦେଶ ଓ ରାଜ୍ୟରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ୧୦୦ ଟଙ୍କା ପାର୍ କରିଗଲାଣି ।

ଏବେ ବିଜେଡ଼ି ଓ ବିଜେପି କାହିଁକି ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏଣୁ ସରକାର ତୁରନ୍ତ ପଦକ୍ଷେପ ନେଇ ବର୍ଦ୍ଧିତ ତୈଳଦର ସାଙ୍ଗକୁ ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର କମାନ୍ତୁ ଓ ସାଧାରଣ ଜନତାଙ୍କୁ ବଞ୍ଚିବାକୁ ଦିଅନ୍ତୁ, ଜନତା ଉଚିତ୍ ଜବାବ ଦେବେ ବୋଲି ଉପସ୍ଥିତ ଥିବା ନେତୃବୃନ୍ଦ ପ୍ରକାଶ କରିଥିଲେ । ଏହି ପ୍ରତିବାଦ ଜଣାଇବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ସାଧାରଣ ଜନତା ସଭାରେ ଯୋଗଦେଇ ତୈଳଦର ବୃଦ୍ଧିର ପ୍ରତିବାଦର ଦୃଢ ସମର୍ଥନ କରିଥିଲେ ।