Home News in Odia ସେବାୟତଙ୍କୁ ଫଟୋ ଉଠାଇବା ମନା

ସେବାୟତଙ୍କୁ ଫଟୋ ଉଠାଇବା ମନା

ପୁରୀ : ରଥଟଣା ସମୟରେ ସେବାୟତ ମାନେ ଫଟୋ ଉଠାଇ ପାରିବେ ନାହିଁ । ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଚନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ।

ଆସନ୍ତା ୧୨ତାରିଖରେ ରଥଯାତ୍ରା ନେଇ ବସିଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କେବଳ ସେବାୟତମାନେ ରଥ ଟାଣିବେ । ତେବେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ଅଧିକାରୀମାନଙ୍କର ଆରଟି-ପିସିଆର ପରୀକ୍ଷା ହେବ । ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସିବ ସେହିମାନଙ୍କୁ ହିଁ ରଥଯାତ୍ରାରେ ସେବା ସୁଯୋଗ ମିଳିବ ।

ସେହିଭଳି ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଥିବାରୁ ସେବାୟତମାନଙ୍କ ବିଶ୍ରାମ ପାଇଁ ସିଂହଦ୍ୱାର ଓ ଗୁଣ୍ଡିଚାମନ୍ଦିର ନିକଟରେ ବିଶ୍ରାମସ୍ଥଳ ନିର୍ମାଣ କରାଯିବ । ରଥ ଉପରେ ସୀମିତ ସଂଖ୍ୟକ ସେବାୟତ, ଘଣ୍ଟୁଆ ଓ ଶ୍ରୀମନ୍ଦିର ପୁଲିସ୍‍ ଉପସ୍ଥିତ ରହିବେ ।

ରଥଯାତ୍ରା ପୂର୍ବଦିନ ରାତିରୁ ପୁରୀ ସହରରେ କର୍ଫ୍ୟୁ ଜାରି ହେବା ସହିତ ଏହା ରଥଯାତ୍ରା ପରଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ବଡଦାଣ୍ଡର ଦୁଇ ପାଶ୍ୱର୍ରେ ଥିବା କୋଠାଘରର ଛାତ ଉପରୁ ରଥଯାତ୍ରା ଦେଖିବାକୁ ପୁରୀ ପୁଲିସ୍‍ ବାରଣ କରିଛି । ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ୨୩୦ ବାସଗୃହ ଓ ୪୧ ହୋଟେଲ ପାଇଁ ଏହି କଟକଣା ଲଗାଯାଇଛି । ରଥଯାତ୍ରା ପୂର୍ବରୁ ହୋଟେଲଗୁଡିକୁ ଖାଲି କରାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଆଜି ପୁରୀ ଏସ୍‍ପି କେ.ବି.ସିଂହ ବଡଦାଣ୍ଡର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯାତ୍ରା ସମୟରେ ବଡଦାଣ୍ଡରେ ୧୪୪ଧାରା ଜାରି ହେଉଥିବାରୁ ଘରର ଛାତ ଉପରେ ରୁଣ୍ଡହୋଇ ରଥଯାତ୍ରା ନଦେଖିବାକୁ ଏସ୍‍ପି ଅନୁରୋଧ କରିଛନ୍ତି ।