Home Infrastructure ଆଗଉନି ସଡକ ସଂଯୋଗ ଯୋଜନା

ଆଗଉନି ସଡକ ସଂଯୋଗ ଯୋଜନା


ଭୁବନେଶ୍ୱର : ବନ୍ଦରଗୁଡିକୁ ସଡକ ସଂଯୋଗ ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିବା ଯୋଗୁଁ ଏ କ୍ଷେତ୍ରରେ ଦୃଷ୍ଟି ଦେବାପାଇଁ ରାଜ୍ୟ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କୁ ଅନରୋଧ କରିଛନ୍ତି । ସାଗରମାଳା ପ୍ରକଳ୍ପ ଜରିଆରେ ବନ୍ଦର ସଂଯୋଗୀକରଣ ଯୋଜନାରେ ଓଡିଶାକୁ ଏକ ଲଜିଷ୍ଟିକ ହବ୍‍ରେ ପରିଣତ ହୋଇପାରିବ ।

ସାଗରମାଳା କାର୍ଯ୍ୟକ୍ରମରେ ଅଗ୍ରାଧିକାର ଭିତ୍ତିରେ ଗୋପାଳପୁର, ଧାମରା ଏବଂ ସୁବର୍ଣ୍ଣରେଖା ବନ୍ଦରକୁ ୧୬ ନମ୍ବର ଜାତୀୟ ରାଜପଥ ସହିତ ସଂଯୋଗ ପାଇଁ ସ୍ଥିର ହୋଇଥିଲା । ନରେନ୍ଦ୍ର ମୋଦୀ ସରକାରଙ୍କର ବନ୍ଦର ଭିତ୍ତିକ ବିକାଶ ଲାଗି ସାଗରମାଳା ଯୋଜନା ଥିବାବେଳେ ଓଡିଶା ନିକଟରେ ଏବେ ତିନିଟି କାର୍ଯ୍ୟକ୍ଷମ ବନ୍ଦର ଯଥା ପାରାଦୀପ୍‍, ଧାମରା ଓ ଗୋପାଳପୁର ରହିଥିବାବେଳେ ଆଉ ୪ଟି ଛୋଟ ବନ୍ଦର ସୁବର୍ଣ୍ଣରେଖା, ଅସ୍ତରଙ୍ଗ, କେନ୍ଦ୍ରାପଡାରେ ନଦୀ ଭିତ୍ତିକ ବନ୍ଦର ଏବଂ ଜଟାଧାର ମୁହାଣରେ ବନ୍ଦର ପ୍ରତିଷ୍ଠା ଯୋଜନା ରହିଛି । ଏହାବାଦ୍‍ ବି ଆଉ ୮ଟି ସ୍ଥାନ ବନ୍ଦର ପାଇଁ ଚିହ୍ନଟ ହୋଇଛି ।

ଗୋପାଳପୁର ବନ୍ଦରର କ୍ଷମତା ବାର୍ଷିକ ୨୦ ନିୟୁତ ମେଟ୍ରିକ ଟନ୍‍ ଥିବାବେଳେ ଏହାକୁ ୨୦୨୫ ସୁଦ୍ଧା ୨୫ ନିୟୁତ ମେଟ୍ରିକ ଟନ୍‍କୁ ବୃଦ୍ଧି ପାଇଁ ଯୋଜନା ରହିଛି । ଏହି ବନ୍ଦରକୁ ୧୬ ନମ୍ବର ଜାତୀୟ ରାଜପଥ ସହିତ ଯୋଡିବାପାଇଁ ୪.୫ କିଲୋମିଟରର ନୂତନ ସଡକ ନିର୍ମାଣର ପ୍ରସ୍ତାବ ଅଛି । ତଦନୁଯାୟୀ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କେନ୍ଦ୍ର ସଡକ ପରିବହନ ରାଜପଥ ମନ୍ତ୍ରଣାଳୟ ଏହାକୁ ହାତକୁ ନେବା ଜରୁରୀ ହୋଇପଡିଛି । ଅନୁରୂପ ଭାବେ ଧାମରା ବନ୍ଦରର ବାର୍ଷିକ କ୍ଷମତା ୨୫ ନିୟୁତ ମେଟ୍ରିକ ଟନ୍‍ ରହିଛି ।

ଏହି ବନ୍ଦରକୁ ୧୬ ନମ୍ବର ଜାତୀୟ ରାଜପଥର ସହିତ ସଂଯୋଗ ଲାଗି ଚାରି ଥାକିଆ ୬୦ କିଲୋମିଟର ସଡକ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ସେହିଭଳି ୧୬ ନମ୍ବର ଜାତୀୟ ରାଜପଥକୁ ସୁବର୍ଣ୍ଣରେଖା ବନ୍ଦର ସହିତ ଯୋଡିବାପାଇଁ ୨୦୨୧ରେ ନିଷ୍ପତ୍ତି ହୋଇଥିବାବେଳେ ଧାମରା ବନ୍ଦରରେ ରାଜପଥ ସଂଯୋଗରେ ବିଳମ୍ବ ପାଇଁ ଅପେକ୍ଷା କରାଯାଇଛି । ବାର୍ଷିକ ୨୫ ରୁ ୫୫ ନିୟୁତ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ସୁବର୍ଣ୍ଣରେଖା ବନ୍ଦର ପାଇଁ ରାଜିନାମା ସ୍ୱାକ୍ଷରିତ ହୋଇଛି । ସୁବର୍ଣ୍ଣରେଖା ବନ୍ଦରକୁ ୧୬ନମ୍ବର ଜାତୀୟ ରାଜପଥ ସହିତ ସଂଯୋଗ ପାଇଁ ୪୦ କିଲୋମିଟର ପ୍ରସ୍ତାବିତ ସଡକକୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରାଯିବା ଆବଶ୍ୟକ ।

ଏହିସବୁ ବନ୍ଦର ବ୍ୟତିତ ପୁରୀ ଜିଲ୍ଲାରେ ବାର୍ଷିକ ୧୭ ନିୟୁତ ମେଟ୍ରିକ ଟନ୍‍ରୁ ୧୦୭ ନିୟୁତ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ଅସ୍ତରଙ୍ଗ ବନ୍ଦର ନିର୍ମାଣକୁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ବନ୍ଦରକୁ ୧୬ ନମ୍ବର ଜାତୀୟ ରାଜପଥ ସହିତ ସଂଯୋଗପାଇଁ ୬୦ କିଲୋମିଟରର ୪ ଥାକିଆ ସଡକ ନିର୍ମାଣକୁ ଅଗ୍ରାଧିକାର ଦେବା ଆବଶ୍ୟକ ହୋଇପଡିଛି । ରାଜ୍ୟ ସରକାର ଏ ସଂକ୍ରାନ୍ତରେ କେନ୍ଦ୍ରକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଗତବର୍ଷ ବନ୍ଦର ସଂଯୋଗ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା । ତେବେ ଏ କ୍ଷେତ୍ରରେ କାର୍ଯ୍ୟ ମନ୍ଥର ଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି । (ତଥ୍ୟ)