Home Energy ଓଡିଶାରେ ନାହିଁ ବିଜୁଳି ନିଅଣ୍ଟ

ଓଡିଶାରେ ନାହିଁ ବିଜୁଳି ନିଅଣ୍ଟ

ଭୁବନେଶ୍ୱର : ବିଗତ ତିନି ବର୍ଷ ମଧ୍ୟରେ ଓଡିଶାରେ ବିଜୁଳିର ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇନାହିଁ । ବିଦ୍ୟୁତ୍‍ ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି । ଲୋକସଭାରେ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କର ଏକ ପ୍ରଶ୍ନର ଉତ୍ତରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହ ।

କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରୀୟ ବିଦ୍ୟୁତ୍‍ ପ୍ରାଧିକରଣ ରାଜ୍ୟ ଗୁଡିକର ବିଦ୍ୟୁତ ଯୋଗାଣ ସ୍ଥିତି ନେଇ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସେଥିରେ ଓଡିଶାରେ ବିଦ୍ୟୁତ୍‍ ଯୋଗାଣ ବ୍ୟବସ୍ଥା ବିଗତ ତିନି ବର୍ଷ ସମେତ ଚଳିତ ବର୍ଷ ମଧ୍ୟ ସୁରୁଖୁରୁରେ ଚାଲିଛି । ୨୦୧୯-୨୦ ରୁ ୨୦୨୧-୨୨ ମଧ୍ୟରେ ଓଡିଶାରେ ବିଦ୍ୟୁତ୍‍ ନିଅଣ୍ଟ ସ୍ଥିତି ନଥିବାବେଳେ କେବଳ ଚଳିତବର୍ଷ ନଭେମ୍ବର ମାସରେ ୪୫ନିୟୁତ ୟୁନିଟ୍‍ ବିଜୁଳି ନିଅଣ୍ଟ ହୋଇଥିବା ଦର୍ଶାଯାଇଛି ।

୨୦୧୯-୨୦ ବର୍ଷରେ ରାଜ୍ୟ ସରକାର ବିଜୁଳି ଆବଶ୍ୟକତା ଆଧାରରେ ୨୯,୬୯୨ ନିୟୁତ ୟୁନିଟ୍‍ ବିଜୁଳି ଯୋଗାଣ କରିଥିବାବେଳେ ୨୦୨୦-୨୧ ରେ ୨୯,୮୪୮ ନିୟୁତ ୟୁନିଟ୍‍ ଓ ୨୦୨୧-୨୨ ରେ ୩୮,୩୩୯ ନିୟୁତ ୟୁନିଟ୍‍ ଯୋଗାଇଛନ୍ତି । ତେବେ ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ଓଡିଶା ୩୦,୦୪୬ ନିୟୁତ ୟୁନିଟ୍‍ ବିଦ୍ୟୁତ ବିଭିନ୍ନ ବର୍ଗର ଗ୍ରାହକଙ୍କୁ ଯୋଗାଣ କରିଥିବାବେଳେ ଚାହିଦା ରହିଥିଲା ୩୦,୦୯୧ ନିୟୁତ ୟୁନିଟ୍‍ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ବିଦ୍ୟୁତ୍‍ ସଂଘୀୟ ବ୍ୟବସ୍ଥାରେ ଥିବାବେଳେ ଏହାର ଯୋଗାଣ ଏବଂ ବିତରଣ ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏବଂ ସେଠାରେ ରାଜ୍ୟ ସରକାର ଏବଂ ବିଦ୍ୟୁତ୍‍ କମ୍ପାନୀଗୁଡିକ ଏହା କରିଥାନ୍ତି । ରାଜ୍ୟର ଗ୍ରାହକମାନଙ୍କ ଚାହିଦା ଅନୁଯାୟୀ ବିଭିନ୍ନ ସ୍ରୋତରୁ ବିଜୁଳି ଆଣି ଯୋଗାଣ କରିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କର କ୍ଷମତା ଭିତରେ ଥିବା ସେ କହିଛନ୍ତି ।

କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ଯୋଗାଉଥିବା ସହାୟତା ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବିଜୁଳି ଯୋଗାଣ ପାଇଁ ରାଷ୍ଟ୍ରାୟତ ସଂସ୍ଥା ସହାୟତାରେ କେନ୍ଦ୍ର ସରକାର ତାପଜ ବିଦ୍ୟୁତ୍‍ କେନ୍ଦ୍ର ସ୍ଥାପନ କରିଥାନ୍ତି । ଏହାଛଡା କେନ୍ଦ୍ର ସରକାର ତାଙ୍କର ବିଭିନ୍ନ ଯୋଜନା ଯେଭଳି କି ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା, ସମନ୍ୱିତ ଶକ୍ତି ବିକାଶ ଯୋଜନା ଏବଂ ଉଜ୍ୱଳ ଡିସକମ୍‍ ଆସୁରାନ୍ସ ଯୋଜନାରେ ଜରିଆରେ ପ୍ରତ୍ୟେକ ଘରକୁ ବିଜୁଳି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିଥାନ୍ତି ।

ଶ୍ରୀ ସିଂହ ଏହା ମଧ୍ୟ କହିଛନ୍ତି ଯେ ଏନ୍‍ଟିପିସି ଦ୍ୱାରା ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ଗୋଟିଏ ତାପଜ ବିଦ୍ୟୁତ୍‍ କେନ୍ଦ୍ର ପ୍ରତିଷ୍ଠା ହେଉଛି । ଏଠାରେ ଏନ୍‍ଟିପିସି ପକ୍ଷରୁ ୬୬୦ ମୋଗାୱାଟ କ୍ଷମତା ବିଶିଷ୍ଟ ଦୁଇଟି ୟୁନିଟ୍‍ ପ୍ରତିଷ୍ଠା ହେଉଥିବା ସେ ଉଲ୍ଲେଖ କରିଛନ୍ତି । (ତଥ୍ୟ)