Home Education ଆଉ ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ

ଆଉ ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସର୍ଗିଫୁଲ ମହୋତ୍ସବର ଉଦ୍‌ଯାପନ ଦିବସରେ ଉଦ୍‌ବୋଧନ ଦେଇ ଅନୁସୂଚିତ ଜାତି ଓ ଜନଜାତି ପିଲା ମାନଙ୍କ ପାଇଁ ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ୍ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ଏହି  ଅନନ୍ୟ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା  ପିଲା କାହା ଠାରୁ କମ୍‌ ନୁହଁ । ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ ଓ ଜୀବନରେ ପ୍ରତିଷ୍ଠା ଲାଭ କର। ‘ ତୁମେମାନେ ସଫଳତା ପାଇଁ ଉଦ୍ୟମ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି’ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମମାନଙ୍କ କାର୍ଯ୍ୟକ୍ରମରେ ମୁଁ ପ୍ରତିବର୍ଷ ଯୋଗ ଦେଉଛି ଏବଂ ତୁମ ଖୁସିରେ ମଧ୍ୟ ସାମିଲ ହେଉଛି। ବିଶିଷ୍ଟ କ୍ରୀଡାବିତ୍‌ ଦିଲ୍ଲୀପ ତିର୍କିଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେ ଜଣେ ଓଡିଆ ପୁଅ । ନିଜ ଦକ୍ଷତା ଓ ପରିଶ୍ରମ ଯୋଗୁ ସେ   ଭାରତୀୟ ହକି ଟିମ୍‌ର କ୍ୟାପଟେନ୍ ହେବା ସହିତ ଆଜି ହକି ଇଣ୍ଡିଆର ସଭାପତି ମଧ୍ୟ ହୋଇପାରିଛନ୍ତି। ଯୁବ ସମାଜ ପାଇଁ ସେ ଜଣେ ରୋଲ ମଡେଲ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମାଟ୍ରିକ ପରୀକ୍ଷାରେ କୃତୀତ୍ବର ସହ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଓ ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ବିଭିନ୍ନ ସରକାରୀ ହଷ୍ଟେଲରେ ଏବେ ୫ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ପିଲା ପାଠ ପଢୁଛନ୍ତି । ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ତାଙ୍କ ଅଭିଭାଷଣରେ ଜନଜାତି ପିଲା ମାନଙ୍କ ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ଗିଫୁଲ ନାମକ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ଏହାସହିତ ସାମଗ୍ରିକ ଶିକ୍ଷା ଉପରେ ଏକ ପୋଷ୍ଟର ବୁକ୍‌ର ଡିଜିଟାଲ ଲୋକାର୍ପଣ କରିଥିଲେ । ସାମଗ୍ରିକ ଶିକ୍ଷା ସଂପର୍କିତ ଏକ ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ ସର୍ଗିଫୁଲ ମହୋତ୍ସବ ଦୀର୍ଘ ୧୨ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷର ଉତ୍ସବରେ ୧୨୦୦ ଛାତ୍ରଛାତ୍ରୀ ଓ ୧୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ୨୦୨୧ ଓ ୨୦୨୨ର ହାଇସ୍କୁଲ ପରୀକ୍ଷାରେ କୃତୀତ୍ବ ହାସଲ କରିଥିବା ପିଲାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ଯଥା- ତର୍କ, କୁଇଜ, ବିଜ୍ଞାନ ପ୍ରଦର୍ଶନୀ, ସୃଜନାତ୍ମକ ଲିଖନ, ବାଦ୍ୟଯନ୍ତ୍ର ପ୍ରତିଯୋଗିତା, ଖେଳ ପ୍ରତିଯୋଗିତା ତଥା ଲୋକନୃତ୍ୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଶ୍ରୀ ଆର୍‌. ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗର କମିଶନର-ତଥା-ସଚିବ ଶ୍ରୀମତୀ ରୂପାରୋଶନ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ATLCର ସଦସ୍ୟ ସଚିବ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।