Home Health ୨୭ ଜିଲ୍ଲାରେ ଡେଙ୍ଗୁର କାୟା

୨୭ ଜିଲ୍ଲାରେ ଡେଙ୍ଗୁର କାୟା

ଭୁବନେଶ୍ୱର : ରାଜ୍ୟର ୨୭ଟି ଜିଲ୍ଲାରେ ଡେଙ୍ଗୁ ତାହାର କାୟା ବିସ୍ତାର କରିଥିବାବେଳେ ଦେବଗଡ, ଝାରସୁଗୁଡା ଓ ନୂଆପଡା ଜିଲ୍ଲା ଏହା କବଳରୁ ବର୍ତ୍ତମାନ ସୁଦ୍ଧା ବର୍ତ୍ତି ଯାଇଥିବା ସରକାରୀ ଭାବେ କୁହାଯାଉଛି । ତେବେ ଖୋରଧା ଜିଲ୍ଲା ଏବେ ଡେଙ୍ଗୁର ଗଡ ପାଲିଟିଛି ।

ରାଜ୍ୟର ୨୭ଟି ଜିଲ୍ଲାରେ ମୋଟ୍‍ ୩୫୩୪ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ ଏଥିରୁ ସର୍ବାଧିକ ୨୦୧୮ ରହିଛନ୍ତି ଖୋରଧା ଜିଲ୍ଲାରୁ । ଏହା ପଛକୁ କୋରାପୁଟରୁ ୩୮୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ ୩୧୪ ଓ ମାଲକାନଗରି ଜିଲ୍ଲାରୁ ୨୦୫ ଆକ୍ରାନ୍ତ ବାହାରିଛନ୍ତି । ଅନ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳେ ରହିଛି । ତେବେ ଡେଙ୍ଗୁରେ ବର୍ତ୍ତମାନ ସୁଦ୍ଧା କାହାର ମୃତ୍ୟୁ ଘଟିନଥିବା ସରକାରୀ ଭାବେ ଦର୍ଶାଯାଉଛି ।

ସରକାରୀ ତାଲିକାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ଦର୍ଶାଯାଉଛି ବାସ୍ତବ ସଂଖ୍ୟା ତାହାଠାରୁ ଢେର ଅଧିକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି । ଏହାର କାରଣ ହେଉଛି ଅନେକ ଡେଙ୍ଗୁ ଆକ୍ରାନ୍ତ ଘରୋଇ ଡାକ୍ତରଖାନାରେ ନିଜର ରକ୍ତ ପରୀକ୍ଷା କରାଇ ନେଉଛନ୍ତି । ଖୋଦ ରାଜଧାନୀରେ ବି ଲୋକେ ଡାକ୍ତରଖାନାର ଭିଡରୁ ବର୍ତ୍ତିବାପାଇଁ ଘରୋଇ ନିଦାନ କେନ୍ଦ୍ରକୁ ଯାଉଛନ୍ତି । ଯେଉଁମାନେ ଘରୋଇ ଡାକ୍ତରଖାନାରେ ଡେଙ୍ଗୁ ଆକ୍ରାନ୍ତ ବୋଲି ଚିହ୍ନଟ ହେଉଛନ୍ତି ସେମାନଙ୍କୁ ସରକାରୀ ତାଲିକାରେ ଦର୍ଶାଯାଉନାହିଁ । ତେଣୁ ରାଜ୍ୟରେ ବାସ୍ତବ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଢେର ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ କରାଯାଉଛି ।

ସେହିଭଳି ସରକାରୀ ଭାବେ ୨୬,୩୬୫ ଜଣଙ୍କର ରକ୍ତ ନମୂନା ପରୀକ୍ଷା ହୋଇଥିବା କୁହାଯାଉଛି । ୩୩୫୬ ଜଣଙ୍‍କର ଏନ୍‍ଏସ୍‍୧ ଏଲିସା ପରୀକ୍ଷାରୁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୭୮ ଜଣ ୧ଜିଏମ୍‍ ଏଲିସା ପରୀକ୍ଷାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଆଶ୍ୱାସନାର ବିଷୟ ହେଉଛି ଗତବର୍ଷ ଏହି ସମୟ ବେଳକୁ ରାଜ୍ୟରେ ୩୬୬୫ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ ଓ ଏମାନଙ୍କ ମଧ୍ୟରେ ଖୋରଧା ଜିଲ୍ଲାରେ ୨୭୦୦ରୁ ଅଧିକ ରୋଗୀ ଥିବା ସରକାରୀ ଭାବେ ଦର୍ଶାଯାଇଥିଲା । ହେଲେ ଗତବର୍ଷ ଡେଙ୍ଗୁ ଆକ୍ରାନ୍ତରୁ କର୍ତ୍ତୃପକ୍ଷ ସେଭଳି ଶିକ୍ଷାପାଇଁ ମୁକାବିଲରେ ବିଫଳ ହେବାରୁ ଚଳିତବର୍ଷ ମଧ୍ୟ ଡେଙ୍ଗୁ ତାହାର କାୟା ବିସ୍ତାର କଲା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ତେବେ ଡେଙ୍ଗୁରୋଗୀଙ୍କ ରକ୍ତ ପରୀକ୍ଷାପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ଆକ୍ରାନ୍ତମାନେ ଘରୋଇ ଡାକ୍ତରଖାନା ମୁହାଁ ହେଉଛନ୍ତି । ଗତବର୍ଷ ଡେଙ୍ଗୁ ଛାଡିବାପରେ ୟୁନିସେଫ ପକ୍ଷରୁ ଆକ୍ରାନ୍ତଙ୍କୁ ଫୋନ୍‍ କରି ଚିକିତ୍ସା ବାବଦରେ ସେମାନଙ୍କ ମତାମତ ଲୋଡାଯାଇଥିଲା । ହେଲେ ମିଳିଥିବା ମତାମତକୁ କୌଣସି କାମରେ ଲଗାଗଲା ନାହିଁ । ଏପରିକି କେବଳ ସ୍ୱତନ୍ତ୍ର ରକ୍ତପରୀକ୍ଷା ବ୍ୟବସ୍ଥା ଲାଗି ଅନେକ ଆକ୍ରାନ୍ତ ମତ ଦେଇଥିଲେ ମଧ୍ୟ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ତାହା ହୋଇ ପାରିନାହିଁ । ଫଳରେ ଅନେକ ଲୋକେ ଘରୋଇ ନିଦାନ କେନ୍ଦ୍ରରେ ନିଜର ରକ୍ତ ପରୀକ୍ଷା କରିବା ସହିତ ବ୍ୟାପକ ଖର୍ଚ୍ଚାନ୍ତ ହେଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)