Home News in Odia ସୌମ୍ୟ, ସୁଧାଂଶୁ ବିଜେଡିରୁ ବିଦା

ସୌମ୍ୟ, ସୁଧାଂଶୁ ବିଜେଡିରୁ ବିଦା

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରିଛି । ଏଥି ସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ମଧ୍ୟ ବିଜେଡିରୁ ବିଦା ହୋଇଛନ୍ତି । ଉଭୟ ନେତାଙ୍କ ବହିଷ୍କାର ସଂକ୍ରାନ୍ତରେ ଖୋଦ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଛନ୍ତି ।

ସୌମ୍ୟ ରଞ୍ଜନ ପଟ୍ଟନାୟକ କିଛି ଦିନ ଧରି ତାଙ୍କ ସମ୍ବାଦପତ୍ରରେ ନିଜସ୍ୱ ମନ୍ତବ୍ୟ ରଖି ଆସୁଥିଲେ । ଏଥିରେ ସେ ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଏହି ଘଟଣା ଅତ୍ୟନ୍ତ ବିବାଦୀୟ ହେବାପରେ ତାଙ୍କୁ ଦଳର ଉପସଭାପତି ପଦରୁ ବିଜେଡି ହଟାଇ ଦେଇଥିଲା ।

ଏହା ପରେ ସୌମ୍ୟଙ୍କ ବିରୁଦ୍ଧରେ ବିଜେଡି ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଆଜି ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର ନେଇ ଜାରି ହୋଇଥିବା ପ୍ରେସ ରିଲିଜରେ ଦର୍ଶଯାଇଛି ଯେ ସୌମ୍ୟଙ୍କ ସହିତ ଜଡିତ ଗଣମାଧ୍ୟମ ସମ୍ବାଦରେ ଅର୍ଥନୈତିକ ହେରଫେର ନେଇ ଇଓଡବ୍ଲୁ ତଦନ୍ତ ହେବା ସହିତ ଆଇପିସର ଧାରା ୫୦୬/୪୬୭/୪୬୮/୪୭୧/୪୨୦/୧୨୦-ଖ ଅନୁଯାୟୀ ମାମଲା ରୁଜୁ ହେଇଛି । ଏହା ଏକ ପ୍ରାୟୋଜିତ ବ୍ୟାଙ୍କ୍‍ ଠକେଇ ହୋଇଥିବାବେଳେ ଏଥିରେ କୋଟି କୋଟି ଟଙ୍କାର ଅନିୟମିତା ହୋଇଛି ଏବଂ ୩୦୦ ରୁ ଅଧିକ କର୍ମଚାରୀ ଏ ନେଇ ଅଭିଯୋଗ କରିବାରେ ଲାଗିଛନ୍ତି ।

ସେହିଭଳି ରେମୁଣା ବିଧାୟକ ପରିଚାଳନା ସହଯୋଗୀ ଥିବା ବାଲେଶ୍ୱର ସ୍ଥିତ ନିଗମାନନ୍ଦ ଆସୋସିଏଟସ୍‍ ୩କୋଟି ଟଙ୍କାରୁ ଅଧିକ ମୂଲ୍ୟର ସରକାରୀ ସବସିଡ୍‍ ହଡପ କରିଥିବାର ଅଭିଯୋଗ ଆସିଛି । ଏହି ଠକେଇ ୨୦୧୭-୧୮ ଓ ୨୦୧୯-୨୦ ମଧ୍ୟରେ ହୋଇଛି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ ରାଜ୍ୟ ଭିଜିଲାନ୍ସ କରୁଛି ।

ଉଭୟ ନେତାଙ୍କ ବହିଷ୍କାର ସଂକ୍ରାନ୍ତରେ ଏହିସବୁ କାରଣ ଉଲ୍ଲେଖ ଥିବାବେଳେ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି ।