Home General ସିବିଆଇ ତଦନ୍ତ ଦାବି କଲା ଭିଏଚପି

ସିବିଆଇ ତଦନ୍ତ ଦାବି କଲା ଭିଏଚପି

ଭୁବନେଶ୍ୱର : ସ୍ଵାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଜଷ୍ଟିସ୍ ଏଏସ୍ ନାଇଡୁ ତଦନ୍ତ କମିସନ ତତ୍କାଳୀନ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କମିସନ ରିପୋର୍ଟଟି ଏବେ ମିଳୁନାହିଁ। ତେଣୁ ତଦନ୍ତ କମିସନ ରିପୋର୍ଟ ହଜିବା ଘଟଣାର ନିରପେକ୍ଷ ତଦନ୍ତ ଲାଗି ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ।

ବିଶ୍ବ ହିନ୍ଦୁ ପରିଷଦ, ପୂର୍ବ ଶାଖା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଂପାଦକ ମହେଶ କୁମାର ସାହୁ କହିଲେ, ସ୍ଵାମୀଜୀଙ୍କ ହତ୍ୟା ଏକ ସାଧାରଣ ଘଟଣା ନୁହେଁ। ତଦନ୍ତ କମିସନ ରିପୋର୍ଟ ପ୍ରଦାନ ପରଠାରୁ ଏହାକୁ ସାର୍ବଜନୀନ ଲାଗି ପରିଷଦ ପକ୍ଷରୁ ଦାବି ହୋଇଆସୁଛି। ମାତ୍ର ତତ୍କାଳୀନ ସରକାର ଏହାକୁ ସାର୍ବଜନୀନ କଲେନାହିଁ। ବର୍ତ୍ତମାନ ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ବିଭିନ୍ନ ଦାବି ଭିତରେ ନାଇଡୁ କମିସନଙ୍କ ରିପୋର୍ଟକୁ ସାର୍ବଜନୀନ ଲାଗି ମଧ୍ୟ ଦାବି ରହିଥିଲା। ଯଦିଓ ଏହାଭିତରେ ୨ବର୍ଷ ବିତିଗଲାଣି, ତଥାପି ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ଏହି ରିପୋର୍ଟକୁ ଖୋଜିବା ଆରମ୍ଭ କରିଥିଲେ। ମାତ୍ର ରିପୋର୍ଟଟି ହଜିଯିବା ଆହୁରି ଆଶ୍ଚର୍ଯ୍ୟ କରିଛି।

ରିପୋର୍ଟ ହଜିବା ଘଟଣାରେ ରାଜ୍ୟ ସରକାର ଏଫ୍ଆଇଆର ଦେଇଛନ୍ତି। ସରକାର ଏତିକିରେ ଚୁପ୍ ନ ବସି ସିବିଆଇ ତଦନ୍ତ ପାଇଁ ଚିଠି ଲେଖନ୍ତୁ। ଦୈନନ୍ଦିନ ଏହା ଉପରେ ଯେଉଁ ତଥ୍ୟ ସାମନାକୁ ଆସୁଛି ତାହାକୁ ତଦାରଖ କରନ୍ତୁ। ସେ ଆହୁରି ମଧ୍ୟ କହିଥିଲେ ଯେ, ପୂର୍ବ ବିଜେଡି ସରକାର ସମୟରେ ଭୁବନେଶ୍ଵରର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାଁରେ ନାମିତ ରାସ୍ତାର ନାମ ବଦଳାଯାଇଥିଲା। ବର୍ତ୍ତମାନର ସରକାର ଏହି ତ୍ରୁଟିର ସଂଶୋଧନ କରନ୍ତୁ ଓ ରାସ୍ତାର ପୂର୍ବ ନାଁରେ ଏହାକୁ ନାମିତ କରନ୍ତୁ।

ସେହିପରି ପୂର୍ବ ପ୍ରାନ୍ତ ସଭାପତି ପ୍ରଫେସର ପ୍ରଫୁଲ୍ଲ ମିଶ୍ର କହିଲେ, କମିସନ ରିପୋର୍ଟ ଦାଖଲ ସମୟରେ ୨ଟି କପି ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟଟି ଗୃହ ବିଭାଗରେ ରହିଥାଏ। ଏ ଦୃଷ୍ଟିରୁ ତଦନ୍ତ କମିସନ ରିପୋର୍ଟ ହଜିବା କଥା ମିଛ। ଗୃହ ବିଭାଗକୁ ଯାଇଥିବା କପିଟି କୁଆଡ଼େ ଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ସିବିଆଇ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସେ ଦାବି କରିଥିଲେ।