Home General କମିଶନ ରିପୋର୍ଟ ହଜିବା କିଛି ନୂଆକଥା ନୁହେଁ

କମିଶନ ରିପୋର୍ଟ ହଜିବା କିଛି ନୂଆକଥା ନୁହେଁ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ଗୁରୁତ୍ୱପୂର୍ଣ୍ଣ କମିଶନ ରିପୋର୍ଟ ହଜିବା ଘଟଣାରେ ଏବେ ପୁଲିସ ତଦନ୍ତ ଚାଲୁଥିବାବେଳେ କମିଶନ ରିପୋର୍ଟ ହଜିବା କିଛି ନୂଆକଥା ନୁହେଁ ବୋଲି ଜଣାପଡିଛି । ଅତୀତରେ ଏଭଳି ଏକ କମିଶନ ରିପୋର୍ଟ ହଜିବା ପରେ ତାହାର ତଦନ୍ତ ଦାୟିତ୍ୱ ଅନ୍ୟ ଏକ କମିଶନକୁ ଦିଆଯାଇଥିଲା । ରାଜ୍ୟରେ ଯେତେ ସବୁ କମିଶନ ଓ କମିଟି ବିଭିନ୍ନ ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବସାଯାଇଛି ସେଥିରୁ ଅନେକ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବା ତ ଦୂରର କଥା, ବିଧାନସଭାରେ ମଧ୍ୟ ଉପସ୍ଥାପିତ ହୋଇନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ କନ୍ଧମାଳ ଜିଲ୍ଲାର ଜଳେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ଅନ୍ୟ ୪ଜଣଙ୍କୁ ୨୦୦୮ ଅଗଷ୍ଟ ୨୩ ତାରିଖରେ ହତ୍ୟା କରାଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଅବିଭକ୍ତ ଫୁଲବାଣୀ ଜିଲ୍ଲାରେ ମଧ୍ୟ ବ୍ୟାପକ ଦଙ୍ଗାଗୋଳ ଘଟିଥିଲା । ଏହି ହତ୍ୟାକାଣ୍ଡ ପରେ ମିଳିତ ମନ୍ତ୍ରିମଣ୍ଡଳରୁ ବିଜେପି ଓହରି ଯାଇଥିଲା ।

୨୦୦୮ ସେପ୍ଟେମ୍ବର ୩ ତାରିଖରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଏହି ଘଟଣାର ତଦନ୍ତ କମିଶନ ଭାବେ ନିଯୁକ୍ତ କରାଯାଇଥିଲା । ତେବେ ଜଷ୍ଟିସ ମହାପାତ୍ରଙ୍କର ଅସୁସ୍ଥତା ଓ ପରେ ଦେହାନ୍ତ ହୋଇଥିଲା । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ୨୦୧୨ ସେପ୍ଟେମ୍ବର ୨୪ ତାରିଖରେ ଅନ୍ୟତମ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଏ.ଏସ୍‍. ନାଇଡୁଙ୍କୁ ତଦନ୍ତ କମିଶନ ଦାୟିତ୍ୱ ଦିଆଯାଇଥିଲା । ଏହି କମିଶନ ପାଇଁ ରାଜ୍ୟ ରାଜକୋଷରୁ ୧,୭୧,୭୮,୪୩୬ ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ସରକାରୀ ସୂତ୍ରରୁ ପ୍ରକାଶ । କମିଶନ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ଠିକଣା ସମୟରେ ପ୍ରଦାନ କରିଥିଲେ ମଧ୍ୟ ପ୍ରାୟ ୧୧ବର୍ଷ ଧରି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ କିମ୍ବା ଉକ୍ତ ରିପୋର୍ଟ ଆଇନ୍‍ ଅନୁଯାୟୀ ବିଧାନସଭାରେ ଉପସ୍ଥାପନ କରାଯାଇ ନାହିଁ ।

ପୂର୍ବରୁ ବିରୋଧୀ ଦଳରେ ଥିବାବେଳେ ବିଜେପି ବାରମ୍ବାର ଏହି କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରୁଥିଲା । ଏବେ ରାଜ୍ୟରେ ବିଜେପି ସରକାରଙ୍କ ୨ବର୍ଷ ପୂର୍ତ୍ତି ପୂର୍ବରୁ ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ହଜିଯାଇଥିôବା ଘେନି ପ୍ରକାଶ ପାଇବା ପରେ ଗୃହ ବିଭାଗ ଏଥିଘେନି ଥାନାରେ ଏତଲା ଦେଇଛି ଓ ତଦନୁଯାୟୀ ତଦନ୍ତ ଚାଲିଛି ।

ଅତୀତରେ ୧୯୯୩ ମସିହାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅବସରରେ ହୋଇଥିବା ଦଳାଚକଟା ଦୁର୍ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ ଜୀବନ ମୋହନ ମହାପାତ୍ର କମିଶନ ବସାଇଥିଲେ । ଜଷ୍ଟିସ ମହାପାତ୍ର ୧୯୯୫ ଅଗଷ୍ଟ ୩୧ ତାରିଖରେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କମିଶନ ରିପୋର୍ଟ ପ୍ରଦାନ କରିଥିବାରୁ ସମାଚାର ଫଟୋ ସହିତ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ୨୦୦୬ ନଭେମ୍ବର ୪ରେ ଶ୍ରୀମନ୍ଦିରରେ ପୁଣି ଏକ ଦଳାଚକଟା ଦୁର୍ଘଟଣା ଘଟିବାରୁ ଜଷ୍ଟିସ ମହାପାତ୍ରଙ୍କ କମିଶନ ରିପୋର୍ଟ ଖୋଜାଗଲା । ସେତେବେଳେ ଜଣାପଡିଲା ଯେ ଉକ୍ତ ରିପୋର୍ଟ କୁଆଡ଼େ ହଜିଯାଇଛି ।

୨୦୦୬ ମସିହା ଦୁର୍ଘଟଣା ପାଇଁ ଓଡ଼ିଶା ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ପି.କେ. ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଉ ଏକ କମିଶନ ବସାଇଥିଲେ । ଜଷ୍ଟିସ ମହାନ୍ତି କମିଶନଙ୍କୁ ଦାୟିତ୍ୱ ଦିଆଯାଇଥିଲା ଜଷ୍ଟିସ ମହାପାତ୍ରଙ୍କ କମିଶନ ରିପୋର୍ଟ ଖୋଜିବା ସଂପର୍କରେ ତଦନ୍ତ କରିବା ଲାଗି ।

ଜଷ୍ଟିସ ମହାନ୍ତି କମିଶନ ୨୦୦୯ ମସିହାରେ ତାଙ୍କ ରିପୋର୍ଟ ଦେଇଥିଲେ ମଧ୍ୟ ଏଯାବତ୍‍ ଜଷ୍ଟିସ ମହାପାତ୍ର କମିଶନ ରିପୋର୍ଟ ମିଳୁନାହିଁ । ସେହିଭଳି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଲାଗି ଜଷ୍ଟିସ ରଘୁବୀର ଦାସ କମିଶନ ବସାଯାଇଥିଲା । ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏଯାବତ୍‍ କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇନାହିଁ । ଆଞ୍ଚଳିକ ବୈଷମ୍ୟ କମିଶନ, କୃଷକ କମିଶନ ଆଦି ରିପୋର୍ଟର ବି ସମାନ ଅବସ୍ଥା । ଏହିଭଳି ଭାବେ ବହୁ ବିଚାର ବିଭାଗୀୟ କମିଶନ ଓ ପ୍ରଶାସନିକ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଉପରେ ପ୍ରଶ୍ନବାଚୀ ରହିଛି । (ତଥ୍ୟ)