Home General ସାରା ରାଜ୍ୟରେ ରାତ୍ରୀ କର୍ଫ୍ୟୁ

ସାରା ରାଜ୍ୟରେ ରାତ୍ରୀ କର୍ଫ୍ୟୁ

ଭୁବନେଶ୍ୱର : କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହୋଇଛି । ୩୧ ତାରିଖ ରାତି ୧୦ଟାରୁ ଏକ ତାରିଖ ସକାଳ ୫ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ତେବେ ଏହି ରାତ୍ରୀକାଳୀନ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ପଡିବ । ଔଷଧ ଦୋକାନଗୁଡିକ ଖୋଲା ରହିବା ସହିତ ଜରୁରୀକାଳୀନ ପରିବହନ ସେବା ହୋଇପାରିବ । ଗଣମାଧ୍ୟମ ଦପ୍ତର ଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ କଟୋକଣାରୁ ବାଦ୍‍ ଦିଆଯାଇଛି । କରୋନା ସଂକ୍ରମଣ ଏବଂ ନୂଆବର୍ଷ ଓ ଜିରୋ ନାଇଟର ଭିଡକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି । ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବସୀଙ୍କୁ ଏସଆରସି ନିବେଦନ କରିଛନ୍ତି ।

ସେହିଭଳି ନୂଆବର୍ଷ ପାଳନ ନେଇ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ନୂଆବର୍ଷରେ ଅଫିସରେ ଏକାଠି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ମନା କରାଯାଇଛି । ଭର୍ଚୁଆଲ ଭାବେ ଶୁଭେଚ୍ଛା ଜଣାଇବାକୁ କହିଛନ୍ତି ଏସଆରସି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ସେହିପରି ନୂଆବର୍ଷକୁ ଦୃଷ୍ଟିରେ ରଖି ଭିଡ଼ ଏଡାଇବା ପାଇଁ ଟୁଇନ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତିରୁ ଏହା ଲାଗୁ ହେବା ନେଇ ସମ୍ବାଦିକ ସମ୍ମିନଳୀରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଏହି ସମୟରେ ଦୋକାନ ବଜାର ବନ୍ଦ ରହିବା ସହ ଅତ୍ୟାବଶ୍ୟକ ସେବା ଜାରି ରହିବ । ଡାକ୍ତରୀ ସେବା ଏବଂ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ରାତି ୯ଟା ସୁଦ୍ଧା ବନ୍ଦ ହେବ । ହୋଟେଲଗୁଡିକ ମଧ୍ୟ ବନ୍ଦ ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଟୁଇନସିଟିରେ ଭୋଜି ଭାତକୁ ମଧ୍ୟ ବାରଣ ହୋଇଛି । ଆପର୍ଟମେଣ୍ଟ ଏବଂ ରସିଡେନ୍ସିଆଲ ଏରିଆରେ ଭୋଜି କରିବାକୁ ମନା ହୋଇଛି । ଗୋଟିଏ ସ୍ଥାନରେ ଅତ୍ୟଧିକ ଲୋଭ ଭିଡ ଜମାଇ ପାରିବେନାହିଁ । ଯେଉଁମାନେ କଟକଣା ମାନିବେ ନାହିଁ । ସେମାନଙ୍କ ନୂଆବର୍ଷ ଥାନାରେ କଟିବ ବୋଲି କଡା ଭାଷାରେ ସିପି କହିଛନ୍ତି ।

ଯାତାୟତ ଉପରେ ମଧ୍ୟ କଟକଣା ଜାରି ହୋଇଛି । ୧୦ଟା ଭିତରେ ସମସ୍ତେ ଘରକୁ ଫେରିବାକୁ ପୁଲିସ କମିଶନର ଅନୁରୋଧ କରିଛନ୍ତି । ଅତି ଜରୁରୀ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ । ଟୁଇନ ସିଟିରେ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ ଲାଗିବ । କଟକ ଭୁବନେଶ୍ୱରରେ ପ୍ରାୟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆଜି ପ୍ରେସମିଟରେ କହିଛନ୍ତି ।