ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମ୍ବାଦିକ କଲ୍ୟାଣ ଯୋଜନା ୱେବପୋର୍ଟାଲର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଛନ୍ତି ଯେ ୫-‘ଟି’ ନୀତି ଉପରେ ଗୁରୁତ୍ୱ ଦେଇ ଏହି ୱେବପୋର୍ଟାଲ ଆରମ୍ଭ କରାଯାଇଛି ।
ଏହା ଦ୍ୱାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଓଡ଼ିଆ ସାମ୍ବାଦିକ ବନ୍ଧୁମାନେ ସୁବିଧାରେ ଅନ୍ଲାଇନ୍ରେ ସାମ୍ବାଦିକ କଲ୍ୟାଣ ଯୋଜନାର ସୁଯୋଗ ନେଇପାରିବେ । ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କରିଛନ୍ତି । ଏଥିରେ ଚିକିତ୍ସା ପାଇଁ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଓ ମୃତୁ୍ୟଜନିତ ସହାୟତା ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି ।
ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ ଏହା ଏକ ମିଶନ୍ । ତେଣୁ ଏକ ସଚେତନ ସମାଜ ଗଠନ ପାଇଁ କାର୍ଯ୍ୟ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । ଆବଶ୍ୟକୀୟ ସମସ୍ତ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ ବୋଲି ସେ ଉଲ୍ଲେଖ କରିଥିଲେ ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ତାଙ୍କ ଉଦ୍ବୋଧନରେ କହିଲେ ଯେ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବନ୍ଧୁମାନେ ଅନେକ ଦାୟିତ୍ୱ ଓ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଏବଂ କୋଭିଡ୍ ମହାମାରୀ ଭଳି ଅସ୍ୱାଭାବିକ ପରିସ୍ଥିତିରେ ମଧ୍ୟ ଗଣମାଧ୍ୟମର ପ୍ରତିନିଧିମାନେ ସାହସର ସହ ଦାୟିତ୍ୱ ନିର୍ବାହ କରିଆସିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ନେଇ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା’ ପ୍ରଣୟନ କରିଛନ୍ତି । ଗଣମାଧ୍ୟମ ସହ ସଂପୃକ୍ତ ବନ୍ଧୁମାନଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ସଚେତନ ଓ ତତ୍ପର ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କହିିଛନ୍ତି ।
ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ କହିଲେ ଯେ ଏହି ପୋର୍ଟାଲ ଦ୍ୱାରା ସାମ୍ବାଦିକମାନଙ୍କୁ ତ୍ୱରିତ ସେବା ପ୍ରଦାନ କରାଯାଇପାରିବ । ଏପରିକି ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନେ ଘରେ ବସି ଏହି ପୋର୍ଟାଲ ମାଧ୍ୟମରେ ସେମାନଙ୍କ ନାମ ପଂଜୀକରଣ କରିବା ସହ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧାସୁଯୋଗର ଲାଭ ପାଇପାରିବେ । ହକର୍ମାନେ ମଧ୍ୟ ଏହି ୱେବପୋର୍ଟାଲ ମାଧ୍ୟମରେ ସେମାନଙ୍କ ନାମ ପଂଜୀକରଣ କରିପାରିବେ । ଏହି ପୋର୍ଟାଲ୍ ରାଜ୍ୟର ସମସ୍ତ ସାମ୍ବାଦିକ ଓ ହକର୍ମାନଙ୍କ ନିମନ୍ତେ ଏକ ଡାଟାବେସ୍ ଉପଲବ୍ଧ କରାଇବ ବୋଲି ସେ ପ୍ରକାଶ କରିଥିଲେ ।
ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ଅବସରରେ କହିଲେ ଯେ ରାଜ୍ୟ ସରକାରଙ୍କ ୫-‘ଟି’ ନୀତି ଆଧାରରେ ଏହି ୱେବପୋର୍ଟାଲର ପରିକଳ୍ପନା କରାଯାଇଛି । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ସହ ସାମ୍ବାଦିକମାନଙ୍କୁ ସୁବିଧାରେ ସେମାନଙ୍କ ନାମ ପଂଜୀକରଣ ପାଇଁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ସରକାର ଗୁରୁତ୍ୱ ଦେଇ ଏହି ପୋର୍ଟାଲ ଉପଲବ୍ଧ କରାଇଛନ୍ତି ବୋଲି ସେ କହିଛନ୍ତି ।
ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁର୍ବୀର୍ ସିଂଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ଜିଲ୍ଲାର ସୂଚନା ଓ ଲୋକସଂପର୍କ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।