Home Health ସମ୍‍ ନ୍ୟୁରୋସର୍ଜନ ବଞ୍ଚାଇଦେଲେ ମହିଳାଙ୍କ ଜୀବନ

ସମ୍‍ ନ୍ୟୁରୋସର୍ଜନ ବଞ୍ଚାଇଦେଲେ ମହିଳାଙ୍କ ଜୀବନ

ଭୁବନେଶ୍ୱର : ଆଂଚଳିକ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ବ୍ରହ୍ମପୁର, ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌-୩ ର ସର୍ଜିକାଲ୍ ଟିମ୍ ଦ୍ୱାରା ଜଣେ ୬୦ ବର୍ଷୀୟା ମହିଳାଙ୍କ ମସ୍ତିଷ୍କରୁ ବିପଜ୍ଜନକ ଟ୍ୟୁମରକୁ ସଫଳତାର ସହ ବାହାର କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।

ସରସ୍ୱତୀ ବେହେରା ନାମକ ମହିଳା ଅସହ୍ୟ ମୁଣ୍ଡବିନ୍ଧା, ବାମ ହାତ ଓ ଗୋଡ଼ରେ ଦୁର୍ବଳ ଅନୁଭବ କାରଣରୁ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ସ୍ନାୟବିକ ଲକ୍ଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁରନ୍ତ ଏମ୍‌ଆର୍‌ଆଇ କରାଯାଇଥିଲା ।

ଇମେଜିଙ୍ଗରୁ ଜଣାପଡିଥିଲା ଯେ ତାଙ୍କ ମସ୍ତିଷ୍କରେ ଏକ ବୃହତ ଟ୍ୟୁମର ରହିଛି । ମସ୍ତିଷ୍କର ଏହି ସ୍ଥାନରେ ଟ୍ୟୁମର ହେବା ଅତ୍ୟନ୍ତ ଜଟିଳ, କାରଣ ଏହା ମସ୍ତିଷ୍କର ମୂଳ ଅଂଶରେ ଥାଏ ଏବଂ ଚେହେରାର ଚଳପ୍ରଚଳ ଓ ଶ୍ରବଣ ଶକ୍ତି ନିୟନ୍ତ୍ରଣ କରୁଥିବା ସୂକ୍ଷ୍ମ ସ୍ନାୟୁଗୁଡ଼ିକ ଏହାର ନିକଟବର୍ତୀ ହୋଇଥାନ୍ତି ।

ଏହି ଜଟିଳ ଅସ୍ତ୍ରୋପଚାର ପାଇଁ ନ୍ୟୁରୋସର୍ଜରୀ ବିଭାଗର ଉଚ୍ଚକୋଟୀର ଜ୍ଞାନକୌଶଳ ଏବଂ ବିଶେଷଜ୍ଞଙ୍କ ସହାୟତା ନେଇଥିଲା । ହାଇ-ପ୍ରିସିସନ ନ୍ୟୁରୋସର୍ଜିକାଲ୍ ମାଇକ୍ରୋସ୍କୋପ୍ ସାହାଯ୍ୟରେ ଡାକ୍ତରମାନେ ମସ୍ତିଷ୍କର ଅତି ସୂକ୍ଷ୍ମ ଅଂଶ ଏବଂ ରକ୍ତବାହିକାଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖିପାରିଥିଲେ ।

ସିୟୁଏସ୍‌ଆଇ (କାର୍ଭିଟ୍ରନ୍ ଅଲଟ୍ରାସୋନିକ ସର୍ଜିକାଲ୍ ଆସ୍ପିରେଟର୍‌) ଭଳି ଅତ୍ୟାଧୁନିକ ମେସିନ୍ ଅଲଟ୍ରାସୋନିକ ଫ୍ରିକ୍ୱେନ୍ସି ବ୍ୟବହାର କରି ସୁସ୍ଥ ମସ୍ତିଷ୍କ ଏବଂ ସ୍ନାୟୁକୁ ସୁରକ୍ଷିତ ରଖି ଟ୍ୟୁମରଟିକୁ ଖଣ୍ଡ ଖଣ୍ଡ କରି ବାହାର କରିଥାଏ ।

ଏହି ସଫଳ ଅସ୍ତ୍ରୋପଚାର ନ୍ୟୁରୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରଭାତ କୁମାର ଜଗଦେବଙ୍କ ନେତୃତ୍ୱରେ କରାଯାଇଥିବାବେଳେ ଏଥିରେ ନ୍ୟୁରୋ-ଆନାସ୍ଥେସିଆ ବିଶେଷଜ୍ଞ ଡାକ୍ତର ପ୍ରତ୍ୟୁଷ କୁମାର ମିଶ୍ର, ଆଇସିୟୁ, ଓଟି ଏବଂ ନର୍ସିଂ ଟିମ୍ ସହଯୋଗ କରିଥିଲେ ।

ଏହି ସଫଳ ଅସ୍ତ୍ରୋପଚାର ବ୍ରହ୍ମପୁରର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ସଫଳତା । ଏହା ପ୍ରମାଣିତ କରିଛି ଯେ ବର୍ତମାନ ଜଟିଳ ନ୍ୟୁରୋସର୍ଜରୀ ପାଇଁ ବାହାର ରାଜ୍ୟ କିମ୍ବା ବଡ଼ ସହରକୁ ଯିବା ପରିବର୍ତେ ସ୍ଥାନୀୟ ଅଂଚଳରେ ଏହି ସେବା ଉପଲବ୍ଧ ହୋଇପାରିବ ବୋଲି ଆଇଏମଏସ୍ ଏବଂ ସମ୍ ହସ୍ପିଟାଲ-୨ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ କହିଛନ୍ତି ।

ଏହି ସଫଳତା କେବଳ ଜଣେ ରୋଗୀଙ୍କ ଜୀବନ ରକ୍ଷାର କଥା ନୁହେଁ, ବରଂ ବ୍ରହ୍ମପୁର ଏବଂ ଦକ୍ଷିଣ ଓଡ଼ିଶାରେ ଉନ୍ନତ ନ୍ୟୁରୋସର୍ଜରୀ ସେବାର ଏକ ନୂଆ ଅଧ୍ୟାୟର ଆରମ୍ଭ । ଆମର ଲକ୍ଷ୍ୟ ହେଉଛି ରୋଗୀମାନଙ୍କୁ ବଡ଼ ସହର କିମ୍ବା ଅନ୍ୟ ରାଜ୍ୟକୁ ନଯାଇ ସ୍ଥାନୀୟ ସ୍ତରରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବା ବୋଲି ସେ କହିଛନ୍ତି ।”