Home Administration ଶୃଙ୍ଖଳିତ ନିଟ୍‍ ପରୀକ୍ଷା ପାଇଁ ମୁଖ୍ୟ ସଚିବଙ୍କ ବୈଠକ

ଶୃଙ୍ଖଳିତ ନିଟ୍‍ ପରୀକ୍ଷା ପାଇଁ ମୁଖ୍ୟ ସଚିବଙ୍କ ବୈଠକ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ଆଗାମୀ ଜୁନ୍ ୨୧ରେ ନିଟ୍ -୨୦୨୬ ପୁନଃପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଥିଲା । ପରୀକ୍ଷା ପରିଚାଳନା ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ । ଏ ସମ୍ପର୍କରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିସ୍ତୃତ ଆଲୋଚନା କରିଥିଲେ। ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ର ନିକଟସ୍ଥ ରେଳ ଷ୍ଟେସନ ବା ବସ୍ ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ରକୁ ଯିବା ଏବଂ ଫେରିବା ନିମନ୍ତେ ନିଃଶୁଳ୍କ ବସ୍ ସେବା ଯୋଗାଇ ଦେବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ନିଟ୍ ପରୀକ୍ଷା ଏବଂ ଆନ୍ତର୍ଜାତିକ ଯୋଗ ଦିବସ ଏକା ଦିନରେ ଥିବାରୁ ଉଭୟ କାର୍ଯ୍ୟକ୍ରମ ପାଇଁ ସମନ୍ୱିତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କ୍ଷତିପୂରଣମୂଳକ ବନୀକରଣ ପାଇଁ ଉପଯୁକ୍ତ ସରକାରୀ ଜମି ଚିହ୍ନଟ ଓ ସଂରକ୍ଷଣକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଥିବା ସଂପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ଓ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବାରୁ ଉଭୟ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଏହି ଉଦ୍ଦେଶ୍ୟରେ କ୍ଷତିପୂରଣମୂଳକ ବନୀକରଣ ପାଇଁ ସ୍ୱତନ୍ତ୍ର ଭୂ-ବ୍ୟାଙ୍କ ସୃଷ୍ଟିକୁ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପର୍କିତ ସମୀକ୍ଷାରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ଓ ବୈଦ୍ୟୁତିକ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ତ୍ରୁଟିଗୁଡ଼ିକର ଶୀଘ୍ର ସଂଶୋଧନ, ନିୟମିତ ଫାୟାର ସେଫ୍ଟି ଅଡିଟ୍, ମକ୍ଡ୍ରିଲ୍, ଅଗ୍ନି ସୁରକ୍ଷା ପ୍ରମାଣପତ୍ରର ନବୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।