ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗ ତରଫରୁ ଜୁନ୍ ୨୧ ତାରିଖରେ ‘ନିଟ୍’ ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି, ଯାହାକୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମଏବଂ କମ୍ପ୍ରିହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ମିଳିତ ଭାବେ ପରିଚାଳନା କରୁଛନ୍ତି। ଏହି ବ୍ୟବସ୍ଥା ଅଧୀନରେ ଓଏସ୍ଆର୍ଟିସି, ମୁଖ୍ୟମନ୍ତ୍ରୀ ବସ୍ ସେବା ଓ ‘ଆମ ବସ୍’ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡ ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବସ୍ ସେବା ସିଧାସଳଖ ଉପଲବ୍ଧ ହେବ।
ରାଜ୍ୟର ୧୩୪ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ବସରେ ନିଜର ବୈଧ ପ୍ରବେଶ ପତ୍ର ଦେଖାଇ ଏହି ସୁବିଧାର ଲାଭ ଉଠାଇପାରିବେ।
ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ ବସ୍ ଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପୂର୍ବରୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ସରିବା ପରେ। ସମସ୍ତ ପରୀକ୍ଷାର୍ଥୀ ନିଜ ନିଜ ସ୍ଥାନକୁ ଫେରିବା ପର୍ଯ୍ୟନ୍ତ ଏହି ନିଃଶୁଳ୍କ ସେବା ଜାରି ରହିବ।
ପରିବହନ ନିଗମ ଏବଂ କ୍ରୁଟ୍ ପକ୍ଷରୁ ନିଃଶୁଳ୍କ ବସ ସେବାର ସୁପରିଚାଳନା ତଥା ପ୍ରତି ଜିଲ୍ଲାରେ ସଠିକ୍ ସମନ୍ୱୟ ପାଇଁ ପରିବହନ ଆୟୁକ୍ତଙ୍କ ଦ୍ୱାରା ଆହୁତ ବୈଠକରେ ସମସ୍ତ ଆର୍ଟିଓ ମାନଙ୍କ ସହ ଆଲୋଚନା କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବସ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯିବା ସହ, ପରୀକ୍ଷାର୍ଥୀଙ୍କ ସହଜ ଯାତାୟାତ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି, ଯାହାଦ୍ୱାରା ଜିଲ୍ଲା ପ୍ରଶାସନ ମଧ୍ୟ ସକ୍ରିୟତାର ସହ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିବେ।
ଏହାସହ ଏହି ସେବା ସମ୍ପର୍କରେ ପରୀକ୍ଷାର୍ଥୀଙ୍କ ନିକଟରେ ସୂଚନା ପହଞ୍ଚାଇବାକୁ ସୋଶିଆଲ ମିଡିଆରେ ତଥ୍ୟ ପ୍ରଦାନ କରିବା ଓ ହେଲ୍ପଲାଇନ ନମ୍ବର ଦେବାକୁ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

