Home News in Odia ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ

ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ

ପୁରୀ : ଶ୍ରୀଜୀଉମାନେ ଆଜି ନବଦିନାତ୍ମକ ଯାତ୍ରା ସାରି ବଡ ଦେଉଳକୁ ବାହୁଡିଛନ୍ତି । ବାହୁଡା ଯାତ୍ରା ପାଇଁ ଧାର୍ଯ୍ୟ ନୀତି ନିର୍ଘଣ୍ଟର ବହୁ ପୂର୍ବରୁ ନୀତିକାନ୍ତି ସମ୍ପନ୍ନ ସହିତ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି । କୋଭିଡ କଟକଣା ଯୋଗୁଁ କେବଳ ସେବାୟତମାନେ ତିନି ରଥକୁ ଟାଣି ଟାଣି ନେଇ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ ।

ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆଜି ଦିନ ୧୨ରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୪ଟାରେ ରଥଟଣା ହୋଇଥାନ୍ତା । ତେବେ ପ୍ରାୟ ୪ଘଣ୍ଟା ପୂର୍ବରୁ ମନ୍ଦିରରେ ନୀତିକାନ୍ତି ସରିବାପରେ ପ୍ରଥମେ ସୁଦର୍ଶନ ଏବଂ ପରେ ପରେ ବଡଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥ ଉପରକୁ ବିଜେ କରିଥିଲେ ।

ତିନି ଠାକୁର ରଥ ଉପରେ ପହଞ୍ଚିବାପରେ ଆଦ୍ୟସେବକ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ରଥ ଉପରେ ଛେରାପହଁରା କରିଥିଲେ । ଏହାପରେ ଦିନ ୧୨.୨୦ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଥିଲା । ଏହାପରେ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ଗଡିଥିଲା ।

ତିନି ଠାକୁର ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିବାପରେ ସେଠାରେ ବହୁ ପ୍ରତୀକ୍ଷିତ ପୋଡପିଠା ଭୋଗଲାଗି ହୋଇଥିଲା । ପରମ୍ପରା ଅନୁଯାୟୀ ବାହୁଡା ଯାତ୍ରାରେ ଶ୍ରୀଜୀଉମାନେ ଶ୍ରୀମନ୍ଦିରକୁ ଫେରିବା ସମୟରେ ଏଠାରେ ପୋଡପିଠା ଖାଇ ଫେରିଥାନ୍ତି ।

ଆଜି ବାହୁଡା ଯାତ୍ରା ସମୟରେ ପୁରୀରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା । ତେବେ ତିନି ରଥ ଶ୍ରୀମନ୍ଦିର ନିକଟତର ହେବା ସମୟରେ ବର୍ଷା ହେବାରୁ ସେବକ ଓ କର୍ମଚାରୀମାନେ ଗରମରୁ ରକ୍ଷା ପାଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ଲଗାତାର ଭାବେ ରଥ ଚାରିପାଖରେ ପାଣି ସିଞ୍ଚନ ହେଉଥିଲା ।

ତିନି ରଥ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବାପରେ ସେବକମାନେ ସମ୍ମିଳିତ ଭାବେ ଗୀତଗୋବିନ୍ଦ ଗାନ କରିବା ଥିଲା ଆଜିର ଅନ୍ୟତମ ମୁଖ୍ୟ ଆବର୍ଷଣ । କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ସେବାୟତମାନେ ମିଳିତ ଭାବେ ତିନି ରଥ ସମ୍ମୁଖରେ ଗୀତଗୋବିନ୍ଦ ଗାନ କରିଥିଲେ ।

ଆଜି ବାହୁଡା ଯାତ୍ରା ସମ୍ପନ୍ନ ହୋଇଥିବାବେଳେ ଆସନ୍ତା କାଲି ରଥ ଉପରେ ଶ୍ରୀଜୀଉମାନଙ୍କର ସୁନାବେଶ ହେବ । କୋଭିଡ କଟକଣା ଦୃଷ୍ଟିରୁ ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଶ୍ରୀଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହେବ ।

ସୁରୁଖୁରୁରେ ବାହୁଡା ଯାତ୍ରା ସମ୍ପନ୍ନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ପୁଲିସ୍‍ ମହାନିର୍ଦ୍ଦେଶକ ଅଭୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସହଯୋଗ ଲାଗି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ସମ୍ଭବ ହୋଇପାରିଲା ।

ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍‌ ସମୟରେ ସମ୍ପନ୍ନ କଲେ ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଂଶସା କରିଛନ୍ତି। ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲାପ୍ରଶାସନ, ଅଗ୍ନିଶମ ସେବା, ପୁରୀ ମ୍ୟୁନିସପାଲଟି ଆଦି ବିଭିନ୍ନ ସରକାରୀ ସଂସ୍ଥା ପରିସ୍ପର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ତମ ଭାବରେ ପରିଚାଳନା କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୋଭିଡ କଟକଣା ଯୋଗୁ, ଭକ୍ତମାନେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଯାତ୍ରା ରେ ଭାଗ ନେଇ ପାରିନଥିଲେ  ।  ଲୋକମାନେ ଘରେ ରହି ଯେପରି ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା ର ଆନନ୍ଦ ନେଇପାରିବେ ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ଵିଭାଗ ସୁନ୍ଦର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ।

ସର୍ବୋପରି ପୁରୀର ଜନସାଧାରଣ ନବଦିନ ଯାତ୍ରା ସମୟରେ  କୋଭିଡ଼୍ କଟକଣା ମାନି ଯେଭଳି ସଂଯମତା ପ୍ରଦର୍ଶନ କରିଛନ୍ତି ତାହା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରି ସହରବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।