Home Finance ସାହାରା ପାଲଟିଛି ନିଜସ୍ୱ ଟିକସ

ସାହାରା ପାଲଟିଛି ନିଜସ୍ୱ ଟିକସ

ଭୁବନେଶ୍ୱର : କେନ୍ଦ୍ରରୁ ମିଳୁଥିବା ଅନୁଦାନ ଦ୍ରୁତ ବେଗରେ ହ୍ରାସ ପାଉଥିବାବେଳେ ନିଜସ୍ୱ ସମ୍ବଳରୁ ଆଦାୟ ଟିକସ ଏବେ କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ସାହାରା ପାଲଟିଛି । ଜୁନ୍‍ ଶେଷ ସୁଦ୍ଧା ନିଜସ୍ୱ ଟିକସ ଆଦାୟରେ ୭୫ ପ୍ରତିଶତ ଅଭିବୃଦ୍ଧି ଘଟିଥିବାବେଳେ ୨୦୨୧-୨୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ସରକାର ଆଶାବାଦୀ ଅଛନ୍ତି ।

ଗୋଟିଏ ପଟେ କରୋନା ମହାମାରୀରେ ଖର୍ଚ୍ଚ ବଢି ଚାଲିଥିବାବେଳେ ଅନ୍ୟପଟେ କେନ୍ଦ୍ରୀୟ ଅର୍ଥ ହ୍ରାସ ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଉଭୟ ନିଜସ୍ୱ ଟିକସ ଓ ଅଣଟିକସ ଆଦାୟ ସରକାରଙ୍କ ପାଇଁ ରକ୍ଷାକବଚ ସାଜିଛି । କେନ୍ଦ୍ରରୁ ମିଳୁଥିବା ଅର୍ଥ ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଥିବାବେଳେ ମୋଟ୍‍ ରାଜସ୍ୱ ଆଦାୟରେ ୨୫ ପ୍ରତିଶତ ଅଭିବୃଦ୍ଧି ଘଟି ସ୍ଥିତି ସମ୍ଭାଳି ନେଇଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ଓଡିଶା ସରକାରଙ୍କ ସର୍ବଶେଷ ଆର୍ଥିକ ରିପୋର୍ଟରେ ମୋଟ୍‍ ରାଜସ୍ୱ ଆଦାୟରେ ଜିଏସ୍‍ଟି, ଭାଟ୍‍, ମୋଟର ଟିକସ, ଅବକାରୀ ଟିକସ ଓ ବିଜୁଳି ଡ୍ୟୁଟି ଆଦିକୁ ଦର୍ଶାଇଯାଇଛି । ତେବେ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ରାଜସ୍ୱ ଆଦାୟ ୧୨.୬ ପ୍ରତିଶତ ବୃଦ୍ଧି ପାଇଛି ।

ଜୁନ୍‍ ଶେଷ ସୁଦ୍ଧା ନିଜସ୍ୱ ଟିକସ ବାବଦରେ ୮୦୩୫.୫୪ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଗତ ଆର୍ଥିକବର୍ଷର ଏହି ସମୟ ତୁଳନାରେ ଏହା ୭୪.୬୬ ପ୍ରତିଶତ ଅଧିକ ରହିଛି । ଗତ ଆର୍ଥିକ ବର୍ଷରେ ଜୁନ୍‍ ୩୦ ସୁଦ୍ଧା ୪୬୦୦.୭୫କୋଟିର ନିଜସ୍ୱ ଟିକସ ଆଦାୟ ହୋଇପାରିଥିଲା । ଉଦାହରଣ ସ୍ୱରୂପ ଜିଏସ୍‍ଟି ଓ ଭାଟ୍‍ ଅର୍ନ୍ତଭୁକ୍ତ ଥିବା ବିକ୍ରିକର ବାବଦରେ ଚଳିତବର୍ଷ ଜୁନ୍‍ ଶେଷସୁଦ୍ଧା ୫୪୧୭.୪୭କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଗତବର୍ଷ ଏହା ୨୯୪୧.୫୫କୋଟି ଟଙ୍କା ଥିଲା । ସେହିଭଳି ଜୁନ୍‍ ୩୦ସୁଦ୍ଧା ଅବକାରୀ ରାଜସ୍ୱ ବାବଦରେ ୧୧୧୪.୪୭ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ଗତବର୍ଷ ତୁଳନାରେ ୭୧୪ ପ୍ରତିଶତ ଅଧିକ । ଗତବର୍ଷ ଏହି ସମୟରେ ଓଡିଶା ସରକାର ଅବକାରୀ କ୍ଷେତ୍ରରୁ ମାତ୍ର ୧୩୬.୮୮କୋଟି ଟଙ୍କା ପାଇଥିଲେ ।

ବିଜୁଳି ଟିକସ ଓ ଦେୟ ଆଦାୟରେ ୬୧ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଚଳିତବର୍ଷ ଜୁନ୍‍ ୩୦ସୁଦ୍ଧା ଏହି କ୍ଷେତ୍ରରୁ ୮୭୩.୯୬କୋଟି ଆଦାୟ ହୋଇଥିବାବେଳେ ଗତବର୍ଷ ଏହା ୫୪୨.୧୪କୋଟି ଥିଲା । ତେବେ ଷ୍ଟାମ୍ପ ଓ ପଞ୍ଜିକରଣ କ୍ଷେତ୍ରରୁ ଟିକସ ଆଦାୟ ହ୍ରାସପାଇଛି । ଚଳିତବର୍ଷ ଜୁନ୍‍ ୩୦ସୁଦ୍ଧା ଏହି କ୍ଷେତ୍ରରୁ ୨୨୮.୬୦କୋଟି ଟଙ୍କା ମିଳିଥିବାବେଳେ ଗତବର୍ଷ ଏହା ୭୨୬.୦୧ କୋଟି ଟଙ୍କା ଥିଲା । ଏହି ହ୍ରାସର କାରଣ ହେଉଛି ନୂତନ ଖଣି ନିଲାମ ସମୟରେ ଏକକାଳୀନ ଟିକସ ଆଦାୟ । ଗତବର୍ଷ ଏ କ୍ଷେତ୍ରରୁ ୨୦୦୦ କୋଟି ଆଦାୟ ହୋଇଥିଲା । ୨୪ଟି ଖଣି ନିଲାମ ସମୟରେ ପଞ୍ଜିକରଣ ବାବଦରେ ଏକାଥରକେ ଏହି ପରିମାଣ ଅର୍ଥ ରାଜକୋଷକୁ ଆସିଥିଲା ।

ପରିବହନ କ୍ଷେତ୍ରରୁ ଟିକସ ଆଦାୟରେ ଉନ୍ନତି ପରିଲକ୍ଷିତ ହେବା ସହିତ ଚଳିତ ଜୁନ୍‍ ୩୦ସୁଦ୍ଧା ୨୭୬.୦୬ କୋଟି ଟଙ୍କା ମିଳିଛି । ଗତବର୍ଷ ଏହି ପରିମାଣ ୧୪୬.୧୦ କୋଟି ଟଙ୍କା ଥିଲା । ବୃତ୍ତିଗତ ଟିକସ ଆଦାୟ କ୍ଷେତ୍ରରେ ୫ ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ଜମି ରାଜସ୍ୱ ବାବଦରେ ୨୫ ପ୍ରତିଶତ ଅଧିକ ଅର୍ଥ ମିଳିଛି । ମୋଟାମୋଟି ଭାବେ ଚଳିତବର୍ଷ ଜୁନ୍‍ ୩୦ ତାରିଖ ସୁଦ୍ଧା ନିଜସ୍ୱ ରାଜସ୍ୱ ଆଦାୟର ଅଭିବୃଦ୍ଧି ୧୧୨.୫୪ ପ୍ରତିଶତ ହୋଇଛି ଯାହାକି କରୋନା ମହାମାରୀ ସମୟରେ ରାଜ୍ୟ ପାଇଁ ବଡ ଆଶ୍ୱାସନାର ବିଷୟ ବୋଲି ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । (ତଥ୍ୟ)