Home News in Odia ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟାନ୍ୱୟନ  ତ୍ୱରାନ୍ୱିତ  ହୋଇଛି ।  ମୁଖ୍ୟ  ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ରସ୍ତରୀୟ  ଅନୁଧ୍ୟାନରୁ  ଏହା ଜଣାପଡିଛି ।  ଗତକାଲି ସନ୍ଧ୍ୟାରେ ଶ୍ରୀ ମହାପାତ୍ର  ପୁରୀରେ ପହଞ୍ଚି  କ୍ଷେତ୍ରସ୍ତରରେ  କାର୍ଯ୍ୟରତ  ଯନ୍ତ୍ରୀମାନଙ୍କ  ସହ ଆଲୋଚନା  ପୂର୍ବକ  ସେମାନଙ୍କର  କାର୍ଯ୍ୟ-ସାରଣୀ ସମୀକ୍ଷା  କରିଥିଲେ । 

 ବର୍ତ୍ତମାନ ପର୍ଯ୍ୟନ୍ତ  ହୋଇଥିବା  ଅଗ୍ରଗତି ଭିତ୍ତିରେ  ପ୍ରକଳ୍ପର  ବିଭିନ୍ନ ପର୍ଯ୍ୟାୟ ପାଇଁ  ଶ୍ରୀ ମହାପାତ୍ର  ସମୟସୀମା ଧାର୍ଯ୍ୟ  କରିଥିଲେ । ଏହି   ଏ୍ୟୖତିହାସିକ (ହେରିଟେଜ୍) ପ୍ରକଳ୍ପର  ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ  ଆସନ୍ତା ୯ ମାସ  ମଧ୍ୟରେ ପୂର୍ଣ୍ଣାଙ୍ଗ  କରିବା ପାଇଁ ମୁଖ୍ୟ ଶାସନ ସଚିବ କାର୍ଯ୍ୟନିର୍ବାହୀ ସଂସ୍ଥା  ଓ.ବି.ସି.ସି.ଙ୍କୁ   ନିର୍ଦ୍ଦେଶ ଦେଇଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ ବିଶ୍ୱ ପ୍ରସିଦ୍ଧ  ଜଗନ୍ନାଥ ମନ୍ଦିରର ମେଘନାଦ ପାଚେରୀ ଚତୁପାର୍ଶ୍ୱରେ ତୀର୍ଥଯାତ୍ରୀ, ଭକ୍ତ ଓ ସେବାୟତମାନଙ୍କ  ସୁବିଧା ଏବଂ  ଏହି ପ୍ରାଚୀନ ମନ୍ଦିର ସୁରକ୍ଷା ଉଦ୍ଦେଶ୍ୟରେ ହେରିଟେଜ୍ କରିଡ଼ୋର ଆରମ୍ଭ କରାଯାଇଛି ।  ଏହି କରିଡ଼ୋର ମଧ୍ୟ  ଶ୍ରୀମନ୍ଦିର ଏବଂ ମହାପ୍ରଭୁ ଜଗନ୍ନାଥଙ୍କ  ସହ ସଂପୃକ୍ତ ପର୍ବପର୍ବାଣୀ ଓ ଯାନିଯାତ ଆୟୋଜନରେ ବିଶେଷ ସହାୟକ ହେବ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଏହି  କରିଡ଼ୋରରେ  ମୁଖ୍ୟତଃ ଭିତର ପରିକ୍ରମା ପଥ, ସବୁଜ ବଳୟ,  ବାହାର ପରିକ୍ରମା ପଥ, ସାଧାରଣ ସୁବିଧା ସମୂହ ଆଦି ଜୋନ୍ ରହିବ । ଭିତର ପରିକ୍ରମା ପଥ ପାରମ୍ପାରିକ ରୀତିରେ ଦେବାଦେବୀମାନଙ୍କ ଶୋଭାଯାତ୍ରା  ଓ ଭକ୍ତମାନଙ୍କ ମନ୍ଦିର ପରିକ୍ରମା ପାଇଁ ବ୍ୟବହାର ହେବ ।  ସବୁଜ ବଳୟରେ ବୃକ୍ଷ, ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପଥର କଳାକୃତି, ପୁଷ୍ପ-କୁଞ୍ଜ, ବୃକ୍ଷ ଆଦି ସ୍ଥାନିତ ହେବ । ସାଧାରଣ ସୁବିଧା ଜୋନ୍ରେ ସେବାୟତ ଓ ଭକ୍ତମାନଙ୍କ ନିମନ୍ତେ  ପାନୀୟଜଳ  ସ୍ରୋତ, ବସିବା ସ୍ଥାନ, ମନ୍ଦିର ଦାନବାକ୍ସ୍, ସୂଚନା ଓ ସହାୟତ କେନ୍ଦ୍ର, ସୁରକ୍ଷା ନିୟନ୍ତ୍ରଣ କେନ୍ଦ୍ର, ପ୍ରାଥମିକ ଚିକିତ୍ସା ସୁବିଧା, ଜିନିଷପତ୍ର ରଖିବା ସ୍ଥାନ, ମହିଳା ଓ ପୁରୁଷମାନଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ, ବିଦ୍ୟୁତ ଯୋଗାଣ ନିୟନ୍ତ୍ରଣ କେନ୍ଦ୍ର ଆଦି ରହିବ ।

ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପ୍ରାୟ ୩୩୧.୨୮ କୋଟି ଟଙ୍କା ଆକଳନରେ ଆରମ୍ଭ କରାଯାଇଛି । ଏହି ସମସ୍ତ  କାର୍ଯ୍ୟରେ  ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।  ମନ୍ଦିରର ତିନି ପାର୍ଶ୍ୱରୁ  ସଂଯୋଗୀକରଣ ରାସ୍ତା, ୬ ଟି ଶୌଚାଳୟ, ୩ ଟି ବିଶ୍ରାମ ସ୍ଥାନ, କ୍ଲୋକ୍ ରୁମ ଆଦିର କାର୍ଯ୍ୟ ଯୁଦ୍ଧକାଳୀନ  ଭିତ୍ତିରେ ଆଗେଇ ଚାଲିଛି ।  ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ  ବିଶ୍ୱ ପ୍ରସିଦ୍ଧ  ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଭକ୍ତ ତଥା  ପର୍ଯ୍ୟଟକମାନଙ୍କ ପାଇଁ ଏକ ଅତି ଆକର୍ଶଣୀୟ ଓ ଶାନ୍ତିଦାୟକ ସ୍ଥାନ ହେବ ବୋଲି ବୁଦ୍ଧିଜୀବିମାନେ  ଆଶାପ୍ରକାଶ କରିଛନ୍ତି ।