ଭୁବନେଶ୍ୱର : ଏକ ବର୍ଷକର ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।
ଅୟାଂଶ କୁମାର ରାଉତ ନାମକ ଶିଶୁର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ ଶିଶୁଟି ଗୋଟିଏ ଖୋଲା ସେଫ୍ଟିପିନ୍ ଗିଳି ଦେଇଥିଲା । ଏ ବିଷୟରେ ଅବଗତ ନ ଥିବା ତା’ର ପରିବାର ଲୋକେ ତାକୁ ଜୋର ଜବରଦସ୍ତ ଖାଦ୍ୟ ମଧ୍ୟ ଖୁଆଇଥିଲେ ।
ତେବେ ଯେତେବେଳେ ପିଲାଟିର କାଶ ଆରମ୍ଭ ହେଲା ଓ ସେ କାନ୍ଦିବାରେ ଲାଗିଲା ସେତେବେଳେ ବ୍ୟସ୍ତ ହୋଇ ତା’ ଅଭିଭାବକ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ଏକ୍ସରେ କରିବା ପରେ ତା’ର ଖାଦ୍ୟନଳୀରେ ଖୋଲା ସେଫ୍ଟିପିନଟି ଅଟକିଥିବାର ଜଣାପଡ଼ିଥିଲା । ଏହା ପରେ ତୁରନ୍ତ ତାକୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇଥିଲା ।
ସେଫ୍ଟିପିନର ମୁନିଆ ଭାଗଟି ହାଇପୋଫାରିନକ୍ସ କୁ ଫୁଟାଇ କମନ୍ କ୍ୟାରୋଟିଡ୍ ଆର୍ଟେରୀକୁ ସ୍ପର୍ଶ କରୁଥିଲା । ଏହି ପ୍ରକ୍ରିୟାରେ ସାମାନ୍ୟ ତ୍ରୁଟି ହୋଇଥିଲେ ଅତ୍ୟଧିକ ରକ୍ତସ୍ରାବ ହେବାର ସମ୍ଭାବନା ରହିଥିଲା ।
ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନଟି ଆଣ୍ଡ ସ୍କଲବେସ୍ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ତରୁନ୍ତ ଶିଶୁଟିର ପରୀକ୍ଷା କରିବା ସହ କାଳବିଳମ୍ବ ନ କରି ସେଫ୍ଟିପିନଟିକୁ କାଢ଼ିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । କୋ÷ଣସି ପ୍ରକାର ଦାଗ ସୃଷ୍ଟି ନ କରି ମିନିମାଲ୍ ଇନଭୋସିଭ୍ ସର୍ଜରୀ ପ୍ରକ୍ରିୟାରେ ସେଫ୍ଟିପିନଟିକୁ କାଢ଼ିବାରେ ସଫଳ ହୋଇଥିଲେ ।
ଏହି ପ୍ରକ୍ରିୟାକୁ ସୁଚାରୁରୂପେ ସଂପାଦନ କରିବା ନେଇ ସମ୍ମମର ଆନେସଥେସିଆ ବିଭାଗର ବରିଷ୍ଠ କନସଲଟାଂଟ ଡଃ ଦୀପଙ୍କର ପଢ଼ିହାରୀଙ୍କର ମଧ୍ୟ ଏକ ବଡ ଭୂମିକା ରହିଥିଲା । ଦୁଇ ଦିନ ଅବଜରଭେସନରେ ରଖିବା ପରେ ଶିଶୁଟିକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ପିଲାମାନଙ୍କଠାରୁ ଏଭଳି ଜିନିଷକୁ କିଭଳି ଦୂରେଇ ରଖିବେ ସେ ନେଇ ବାପା ମା’ଙ୍କୁ ହସ୍ପିଟାଲ୍ ପକ୍ଷରୁ ବୁଝାଇ ଦିଆଯାଇଥିଲା ।
ଗୋଟିଏ ଖୋଲା ସେଫ୍ଟିପିନ୍ ଖାଦ୍ୟନଳୀ କିମ୍ବା ପାକସ୍ଥଳୀକୁ ଚାଲିଯାଇଥିଲେ ଅପରେସନ୍ ଜରିଆରେ ଏହାକୁ ବାହାର କରିବା ଏକ ବଡ ଚ୍ୟାଲେଞ୍ଜ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଏହା ବେଶ ବିପଦଜନକ ବୋଲି ଡଃ ସାହୁ କହିଛନ୍ତି ।