ଭୁବନେଶ୍ୱର : ଓଡ଼ିଶାର ବିଜେପି ସରକାର ପ୍ରଥମ ଦୁଇ ବର୍ଷ ଭିତରେ ମଞ୍ଜୁରୀ ଦେଇଥିବା ୪୩୩ଟି ପ୍ରକଳ୍ପ ମାଧ୍ୟମରେ ୮ଲକ୍ଷ ୫୦ ହଜାର କୋଟି ଟଙ୍କାର ନିବେଶ ସହ ୫ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଥିବାବେଳେ ଏବେ ମଧ୍ୟପ୍ରାଚ୍ୟରେ ହୋଇଥିବା ନିବେଶ ସମ୍ମିଳନୀ ସଂକ୍ରାନ୍ତରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ସେଥିରେ ଆଉ ୨,୪୩,୧୬୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଥିବାବେଳେ ମୋଟ ୮,୯୫,୭୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି ।
କେବଳ ସେତିକି ନୁହେଁ, ଓଡ଼ିଶା ଦେଶର ଇସ୍ପାତ ରାଜଧାନୀରେ ପରିଣତ ହେବାକୁ ଯାଉଛି ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ଏହାଛଡ଼ା କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ୫ ହଜାର କୋଟି ଟଙ୍କା ଅନୁଦାନରେ ପାରାଦୀପ-କଟକ-ଭୁବନେଶ୍ୱର-ପୁରୀ ଅର୍ଥନୈତିକ କରିଡର୍ ନିର୍ମାଣ ହେବ ଯେଉଁଥିରେ ପାରାଦୀପ ମୁଖଶାଳା ସାଜିବ ବୋଲି ସରକାରୀ ଭାବେ କୁହାଯାଇଥିଲା ।
ଏଥିସହ ଆଗାମୀ କିଛିବର୍ଷ ମଧ୍ୟରେ କେବଳ ପାରାଦୀପ ଅଞ୍ଚଳରେ ୧ଲକ୍ଷରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ପ୍ରଗତି ପ୍ରବାହ’ରେ ମଧ୍ୟ ସୂଚନା ଦିଆଯାଇଛି । ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ବୋଲି ରାଜ୍ୟ ସରକାର ବାରମ୍ବାର ଘୋଷଣା କରିଆସୁଛନ୍ତି ।
ଦୁବାଇ ଓ ଆବୁଧାବିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଥିବା ଗ୍ରାଣ୍ଡ ରୋଡ୍ ଶୋ’ରେ ଶହଶହ ଉଦ୍ୟୋଗୀ ନିବେଶକ ଓ ବ୍ୟବସାୟିକ ପ୍ରତିଷ୍ଠାନର ପ୍ରତିନିଧି ସାମିଲ ହୋଇଥିବାବେଳେ ଅନେକ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଓଡ଼ିଶାରେ ଆସି ପୁଞ୍ଜି ଖଟାଇବେ ବୋଲି ପ୍ରତିଶ୍ରୁତି ମିଳିଥିବା କୁହାଯାଉଛି । କେବଳ ଆଦାନୀ-ଆଇଏଚ୍ସି ଗ୍ରୁପ୍ ଏହି ଅବସରରେ ମିଳିତ ଭାବେ ଓଡ଼ିଶା ସରକାରଙ୍କ ସହିତ ୧୪ଟି ପ୍ରକଳ୍ପ ପାଇଁ ବୁଝାମଣା ପତ୍ର କରିଛନ୍ତି, ଯେଉଁଥିରେ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶର ପ୍ରସ୍ତାବ ଥିବା କୁହାଯାଉଛି ।
ବିଶେଷକରି ଖଣିଜ ସଂପଦକୁ ଆଧାର କରି ଅନେକ କାରଖାନା ଓଡ଼ିଶାରେ ପ୍ରତିଷ୍ଠା କରାଯିବାର ସମ୍ଭାବନା ରହିଛି । ଏହାଛଡ଼ା ସାର ଓ ରସାୟନ, ଜାହାଜ ମରାମତି, ଇସ୍ପାତ, ଅକ୍ଷୟଶକ୍ତି, ବିରଳ ଖଣିଜ, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ପେଟ୍ରୋ କେମିକାଲ୍ସ, ସ୍ୱାସ୍ଥ୍ୟସେବା, ହାଉସିଂ ପ୍ରକଳ୍ପ ଆଦି କ୍ଷେତ୍ରରେ ମଧ୍ୟ ନିବେଶକମାନେ ଓଡ଼ିଶା ପ୍ରତି ଆଗ୍ରହ ପ୍ରକାଶ କରୁଥିବା କୁହାଯାଉଛି । କେବଳ ସେତିକି ନୁହେଁ, ପୂର୍ବରୁ ହାଇଦ୍ରାବାଦ୍, କୋଲକାତା ଓ ଗୁଜରାଟରେ ହୋଇଥିବା ନିବେଶକ ସମ୍ମିଳନୀରେ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଓଡ଼ିଶା ପାଇଥିବା ସରକାରୀ ସୂତ୍ରରୁ ପ୍ରକାଶ ।
ରାଜ୍ୟରେ ବିଜେପି ସରକାର ଗଢ଼ାଯିବାର ୨ବର୍ଷ ଭିତରେ ୧୪୮ଟି ପ୍ରକଳ୍ପର ଭୂମି ପୂଜନ ସରିଥିଲା ଓ ଏହା ମାଧ୍ୟମରେ ପ୍ରାୟ ୨ଲକ୍ଷ ୩୭ ହଜାର ଯୁବକ ଯୁବତୀ ନିଯୁକ୍ତି ପାଇସାରିଛନ୍ତି ବୋଲି ଗତ ଜୁନ୍ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ପାରାଦୀପ, ଝାରସୁଗୁଡ଼ା ସମେତ ଢେଙ୍କାନାଳ ଓ କେନ୍ଦୁଝରରେ ଖୁବ୍ଶୀଘ୍ର ଇସ୍ପାତ କାରଖାନାମାନ ମୁଣ୍ଡ ଟେକିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଯେଉଁ ହାରରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ ପାଉଥିବା ସରକାର କହୁଛନ୍ତି ତାହା ଅବ୍ୟାହତ ରହିଲେ ଆଗାମୀ କିଛିବର୍ଷ ମଧ୍ୟରେ ଓଡ଼ିଶା ବେକାରମୁକ୍ତ ରାଜ୍ୟରେ ପରିଣତ ହେବ ବୋଲି ବାରମ୍ବାର ନେତାମାନେ ସୂଚନା ଦେଉଛନ୍ତି । ରାଜ୍ୟର ଋଣବୋଝ ଏବେ ଦେଢ଼ ଲକ୍ଷ କୋଟି ଆଡକୁ ମୁହାଁଇଥିବାବେଳେ ବ୍ୟାପକ ପୁଞ୍ଜି ବିନିଯୋଗ ମାଧ୍ୟମରେ ଓଡ଼ିଶାର ଆର୍ôଥକ ସମୃଦ୍ଧି ଆସିପାରେ ବୋଲି ରାଜ୍ୟ ସରକାର ଆଶା ରଖିଥିବା କୁହାଯାଉଛି । (ତଥ୍ୟ)

