ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ଶେଷ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ବାବଦରେ ଓଡିଶାକୁ ପୂର୍ବ ବର୍ଷ ତୁଳନାରେ କମ୍ ଅର୍ଥ ମିଳିଛି । ବଜେଟ୍ରେ ଧାର୍ଯ୍ୟ କରାଯାଇଥିବା ଅର୍ଥର ମାତ୍ର ୧୧ ପ୍ରତିଶତ ମିଳିଛି ଯାହାକି ଗତ ଆର୍ଥିକବର୍ଷରେ ଏହି ସମୟରେ ମିଳିଥିବା ଅର୍ଥ ତୁଳନାରେ ୩ ପ୍ରତିଶତ କମ୍ । କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ରାଜ୍ୟ ବଜେଟ୍ରେ ଏକ ବଡ ଅଂଶ ହେଉଛି କେନ୍ଦ୍ରୀୟ ଅନୁଦାନ । ଚଳିତ ଆର୍ଥିକ ବର୍ଷର ବଜେଟ୍ ଆକଳନରେ ସମୟରେ କେନ୍ଦ୍ରରୁ ଏ ବାବଦରେ ୪୦ହଜାର କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଥିଲା । ସେହି ଆଧାରରେ କେନ୍ଦ୍ରରୁ ଅର୍ଥ ମିଳିବାକଥା । ହେଲେ ଅଗଷ୍ଟ ସୁଦ୍ଧା ମିଳିଛି ୪୫୧୦ କୋଟି ଟଙ୍କା । ଏହା ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ମିଳିଥିବା ଅର୍ଥର ୩ ପ୍ରତିଶତରୁ କମ୍ ହୋଇଥିବାବେଳେ ୨୦୨୪ ବର୍ଷର ଏହି ସମୟ ମଧ୍ୟରେ ମିଳିଥିବା ଅର୍ଥ ତୁଳନାରେ ୧୨ ପ୍ରତିଶତରୁ କମ୍ ରହିଛି ।
ଗତ ଆର୍ଥିକ ବର୍ଷରେ ଅଗଷ୍ଟ ଶେଷ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ଆକାରରେ ୪୬୫୧ କୋଟି ଟଙ୍କା ମିଳିଥିବାବେଳେ ୨୦୨୪ ଆର୍ଥିକ ବର୍ଷରେ ଅଗଷ୍ଟ ଶେଷ ସୁଦ୍ଧା କେନ୍ଦ୍ରରୁ ଅନୁଦାନ ବାବଦରେ ୫୩୧୭ କୋଟି ଟଙ୍କାରୁ ଅଧିକ ମିଳିଥିଲା । ହେଲେ ଚଳିତବର୍ଷ ଅନୁଦାନ ମିଳିବା ହ୍ରାସ ପାଇଛି ।
ତେବେ କେନ୍ଦ୍ରରୁ ମିଳୁଥିବା ଅଂଶଧନ ଟିକସ ବାବଦୀୟ ଅର୍ଥ କିନ୍ତୁ ଅଧିକ ମିଳିଥିଲା ଜଣାଯାଇଛି । ବଜେଟ୍ରେ ଏବାବଦରେ କେନ୍ଦ୍ରରୁ ୬୭,୪୫୦ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ମିଳିଛି ୨୬ହଜାର କୋଟିରୁ ଅଧିକ । ଏହା ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୯ ପ୍ରତିଶତ ଅଧିକ ରହିଛି ।
ତେବେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଥିବାରୁ ଏବେ ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ପକଳ୍ପ ଓ ଯୋଜନା ଚଳାଇବା କଷ୍ଟକର ହୋଇପଡିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । କାରଣ ବହୁ ପ୍ରକଳ୍ପ ଏହି ଅର୍ଥ ଉପରେ ନିର୍ଭର କରୁଥିବାବେଳେ ସେଗୁଡିକ ରାଜ୍ୟ ସରକାର ପାଣ୍ଠିରୁ ଅର୍ଥ ଦେଇ ଚଳାଇ ରଖିବା କଷ୍ଟ ବ୍ୟାପାର ।
ରାଜ୍ୟ ସରକାର ବଜେଟ୍ର ଆକାର ୩ଲକ୍ଷ କୋଟି ଟଙ୍କାରୁ ଅଧିକ କରିଥିବାବେଳେ ଏହାର ସିଂହଭାଗ କେନ୍ଦ୍ରୀୟ ଅର୍ଥ ଉପରେ ନିର୍ଭର କରୁଛି । କେନ୍ଦ୍ରୀୟ ଅଂଶଧନ ଟିକସ, ଅନୁଦାନ ବାବଦରେ ମିଳୁଥିବା ଅର୍ଥକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହେବା ସହିତ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ରୂପରେଖ ପ୍ରସ୍ତୁତ ହୋଇଥାଏ । ବର୍ତ୍ତମାନ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଥିବାବେଳେ ଲଘୁ ଖଣିଜ ଦ୍ରବ୍ୟ, ବୃହତ୍ ଓ ମଧ୍ୟମ ଜଳସେଚନ ଆଦି କ୍ଷେତ୍ରରୁ ଆଦାୟ ଟିକସ ପୂର୍ବବର୍ଷ ତୁଳନାରେ ହ୍ରାସ ପାଉଥିବାରୁ ତାହା ଚିନ୍ତାର କାରଣ ହୋଇଛି । (ତଥ୍ୟ)

