Home News in Odia ସେବା ସଂକଳ୍ପ ଅଭିଯାନ ହେବ ଜନଆନ୍ଦୋଳନ

ସେବା ସଂକଳ୍ପ ଅଭିଯାନ ହେବ ଜନଆନ୍ଦୋଳନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ଜନସେବାରୁ ପ୍ରେରଣା ନେଇ ଦେଶବ୍ୟାପୀ ଭାବେ ଆରମ୍ଭ ହେଉଥିବା ‘ସେବା ସଂକଳ୍ପ ଅଭିଯାନ’କୁ ଓଡ଼ିଶାରେ ଏକ ବ୍ୟାପକ ଜନସେବା ଅଭିଯାନରେ ପରିଣତ କରାଯିବ । ସେବାକୁ କେବଳ ଏକ କାର୍ଯ୍ୟକ୍ରମରେ ସୀମିତ ନରଖି ଏହାକୁ ଜନଭାଗିଦାରୀର ଏକ ଆନ୍ଦୋଳନରେ ପରିଣତ କରିବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଆହ୍ୱାନ ଦେଇଛନ୍ତି ।

ଡଃ ମହାପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ହେଉଛି ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଏକ ଦୀର୍ଘ ଯାତ୍ରା । ଏହି ଯାତ୍ରାରୁ ପ୍ରେରଣା ନେଇ ‘ସେବା ସଂକଳ୍ପ’ ଅଭିଯାନର ଲକ୍ଷ୍ୟ ହେଉଛି ସମାଜର ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜନସେବା ସହ ଯୋଡ଼ିବା । ରାଜନୀତି କେବଳ ନିର୍ବାଚନକୁ କେନ୍ଦ୍ର କରି ନୁହେଁ, ବରଂ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଓ ଆବଶ୍ୟକ ସମୟରେ ଲୋକଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ଜନସେବା ବୋଲି ସେ କହିଛନ୍ତି ।

ଓଡ଼ିଶାରେ ଏହି ଅଭିଯାନକୁ ସାଂଗଠନିକ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ ନେଇଯିବା ସହ ସମାଜର ଶେଷ ପର୍ଯ୍ୟାୟରେ ଥିବା ଲୋକଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯିବ । ଜନଜାତି ସମାଜ, ମହିଳା, ଚାଷୀ, ଯୁବକ, ଗରିବ ଓ ବଞ୍ଚିତ ବର୍ଗଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା, ସେମାନଙ୍କ ଆବଶ୍ୟକତା ବୁଝିବା ଏବଂ ଯଥାସମ୍ଭବ ସହଯୋଗ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ରହିବ ।

ଯୁବଶକ୍ତିକୁ ଅଭିଯାନର ଏକ ପ୍ରମୁଖ ଅଂଶ କରାଯିବ। ସ୍କୁଲ ଓ କଲେଜ ସ୍ତରରେ ଚିତ୍ରାଙ୍କନ, ଭାଷଣ, ଆଲୋଚନା ଓ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ମାଧ୍ୟମରେ ‘ବିକଶିତ ଭାରତ-୨୦୪୭’, ରାଷ୍ଟ୍ର ନିର୍ମାଣ, ଜନସେବା ଓ ଯୁବଶକ୍ତି ଭଳି ବିଷୟ ଉପରେ ଯୁବପିଢ଼ିଙ୍କ ଚିନ୍ତନ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରାଯିବ । ଆଜିର ଯୁବପିଢ଼ି କେବଳ ନିଜର ଭବିଷ୍ୟତ ନୁହେଁ, ଓଡ଼ିଶା ଓ ଭାରତର ଭବିଷ୍ୟତ ଗଢ଼ିବାର ମୁଖ୍ୟ ଶକ୍ତି ବୋଲି ମନ୍ତ୍ରୀ କହିଛନ୍ତି । ‘ସେବା ସଂକଳ୍ପ ଅଭିଯାନ କେବଳ ଏକ ମାସର କାର୍ଯ୍ୟକ୍ରମ ନୁହେଁ; ଏହା ଏକ ଚିନ୍ତାଧାରା, ଏକ ଦାୟିତ୍ୱ ଓ ଏକ ଦୀର୍ଘକାଳୀନ ସଂକଳ୍ପ। ସେବାରୁ ସମୃଦ୍ଧି, ସଂକଳ୍ପରୁ ବିକାଶ ଏବଂ ଜନଭାଗିଦାରୀରୁ ବିକଶିତ ଓଡ଼ିଶା, ଏହା ଆମର ଲକ୍ଷ୍ୟ’ ବୋଲି ଡଃ ମହାପାତ୍ର କହିଛନ୍ତି ।