ଭୁବନେଶ୍ୱର : ଜଙ୍କ୍ଫୁଡ୍ ଠାରୁ ଛୋଟ ଛୋଟ ପିଳାଙ୍କୁ ଦୂରେଇ ରଖିବାପାଇଁ ସବୁ ସ୍ତରରେ ପରାମର୍ଶ ଦିଆଯାଉଥିବାବେଳେ ରେଳଗାଡିଗୁଡିକରେ କିନ୍ତୁ ପିଲାଏ କିଭଳି ଜଙ୍କ୍ଫୁଡ୍ ସହଜରେ ପାଇ ଖାଇବେ ତାହାର ସମସ୍ତ ବ୍ୟବସ୍ଥା ହୋଇଛି । ଖୋଦ୍ ଆଇଆରସିଟିସିର ଖାଦ୍ୟ ବିକ୍ରେତାମାନେ ଏକାଧିକ କିସମର ଜଙ୍କ୍ଫୁଡ୍ ରେଳଡବାରେ ବିକ୍ରି କରୁଥିବାରୁ ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ସମେସ୍ତ ଏହାକୁ ଚୋବାଉଛନ୍ତି ।
ରେଳଗାଡିଗୁଡିକରେ ଏବେ ଖାଦ୍ୟ ଯୋଗାଣର ଦାୟିତ୍ୱ ରହିଛି ଆଇଆରସିଟିସି ହାତରେ । ଏହାର କର୍ମଚାରୀମାନେ ରେଳଗାଡି ଭିତରେ ପାଣି, ଚା’, ବିଭିନ୍ନ କିସମର ତେଲଭାଜି ଜଳଖିଆ, ମୁଢି ମସଲା, ଥଣ୍ଡାପାନୀୟ, ଦହି, ଲସି ଆଦି ଯୋଗାଉଥିବାବେଳେ ଏହା ସହିତ ଜଙ୍କଫୁଡ୍ ବି ବିକ୍ରି କରୁଛନ୍ତି । ବିଭିନ୍ନ କମ୍ପାନୀର ଆଳୁଚିପ୍ସ, କୁରୁକୁରେ ଆଦି ମିଳୁଛି । ପିଲାମାନେ ଅନ୍ୟ ସାମଗ୍ରୀ ସହିତ ଏହାକୁ ଅଧିକ ଭାବରେ ଖାଉଥିବା ଦେଖିବାକୁ ମିଳୁଛି ।
ରେଳଗାଡିରେ ଖୋଦ୍ ଆଇଆରସିଟିସି ଏହି ଜଙ୍କଫୁଡ୍ ପ୍ୟାକେଟ ବିକ୍ରି କରୁଥିବାରୁ କାହାର କିଛି ଅଭିଯୋଗ କରିବାର ନାହିଁ । ବଜାର ଦରରେ ଏହା ରେଳଗାଡିରେ ବିକ୍ରି ହେଉଥିବାରୁ ଦର ନେଇ ମଧ୍ୟ କାହାର କିଛି ଆପତ୍ତି ରହୁନାହିଁ । ତେଣୁ କମ୍ପାନୀ ପକ୍ଷରୁ ଖୋଲାଖୋଲି ଭାବେ ଏହା ବିକ୍ରି ଚାଲିଛି । ପିଲାମାନେ ଏହାକୁ ଦେଖିଲାମାତ୍ରେ ଖାଇବା ପାଇଁ କାନ୍ଦ ବୋବାଳି ଛାଡୁଛନ୍ତି । ଯେଉଁ ବାପ ମା’ମାନେ ପିଲାଙ୍କୁ ଜଙ୍କ୍ଫୁଡ୍ ନଖାଇବାପାଇଁ ବୁଝାଉଥିଲେ ସେମାନେ କିଣି ଦେବାକୁ ବାଧ୍ୟ ହେଉଛନ୍ତି ।
ରେଳଗାଡିରେ ଏହିସବୁ ଜଙ୍କ୍ଫୁଡ୍ ଖାଇଲାପରେ ଜରିଗୁଡିକୁ ଲୋକେ ଗାଡି ଭିତରେ ଏଣେ ତେଣେ ପକାଇବାରେ ଲାଗୁଛନ୍ତି । କେତେକ ଯାତ୍ରୀ ଏହାକୁ ସିଟ୍ରେ ଥିବା ଜାଲିରେ ଖୋସି ଦେଉଥିବାବେଳେ ଆଉ କେତେକ ଯାତ୍ରୀ ଏହି ଜରିକୁ ଝରକାବାଟେ ବାହାକୁ ପକାଇ ଦେଉଛନ୍ତି । ରେଳଲାଇନ୍ କଡେ କଡେ ଏହି ରଙ୍ଗ ବେରଙ୍ଗର ଜରିସବୁ ପଡିଥିବାର ଦେଖିବାକୁ ମିଳୁଛି । ରେଳଡବାରୁ ଏହିସବୁ ଜରି ସଂଗ୍ରହ କରୁଥିବା କର୍ମଚାରୀମାନେ ବି ଏହାକୁ ରାସ୍ତା ମଝିରେ ବାହାକୁ ଫିଙ୍ଗି ଦେଉଥିବା ଲକ୍ଷ୍ୟ କରାଯାଉଛି । ତେଣୁ ଏହିସବୁ ଜଙ୍କ୍ଫୁଡ୍ କେବଳ ପିଲାଙ୍କ ହାତରେ ସହଜରେ ପଡୁନାହିଁ, ବିକ୍ରି ହେଉଥିବା ମାଳ ମାଳ ଜରି ମଧ୍ୟ ପରିବେଶର କ୍ଷତି କରିବାରେ ଲାଗିଛି ।
ଉଲ୍ଲେଖନୀୟ ଯେ ପିଲାମାନେ ମୋଟା ହୋଇଯାଉଥିବା ଓ ଏହାର ପ୍ରମୁଖ କାରଣ ଜଙ୍କ୍ଫୁଡ୍ ହୋଇଥିବାରୁ ପିଲାମାନଙ୍କୁ ଏହାଠାରୁ ଦୂରେଇ ରଖିବାପାଇଁ ସବୁ ସ୍ତରରେ ପରାମର୍ଶ ଦିଆଯାଉଛି । ହେଲେ ରେଳବାଇ କର୍ତ୍ତୃପକ୍ଷ କିନ୍ତୁ ଏଥିପ୍ରତି ଦୃଷ୍ଟି ନଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାସ୍ତବରେ ରେଳଗାଡିରେ ଖାଦ୍ୟ ଯୋଗାଇ ଦେଉଥିବା କର୍ମଚାରୀମାନେ ନିଜ ନିଜର ବ୍ୟବସାୟ ପାଇଁ ଏହାକୁ ବିକ୍ରି କରୁଛନ୍ତି ନା ରେଳବାଇର ଏଭଳି ଖାଦ୍ୟ ବିକ୍ରି ପାଇଁ ଅନୁମତି ରହିଛି ତାହା ଏବେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିବାରେ ଲାଗିଛି । (ତଥ୍ୟ)

