Home Administration ବଦଳି ସୁପାରିସକୁ ନେତାଙ୍କ ଡର

ବଦଳି ସୁପାରିସକୁ ନେତାଙ୍କ ଡର

ଭୁବନେଶ୍ୱର : ବିଧାୟକ ଓ ସାଂସଦମାନଙ୍କ ସୁପାରିସରେ କରାଯାଉଥିବା ଶିକ୍ଷକ ବଦଳିକୁ ହାଇକୋର୍ଟ ବେଆଇନ୍‍ ଘୋଷଣା କରିସାରିଥିବା ପରିପ୍ରେକ୍ଷୀରେ ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ବଦଳି ଲାଗି ସୁପାରିସ କରିବା ପାଇଁ କେତେକ ବିଧାୟକ ରୋକଠୋକ୍‍ ଭାବେ ମନା କରିଦେଇଛନ୍ତି । ଶିକ୍ଷକ ବଦଳି ପ୍ରସଂଗରେ ହାଇକୋର୍ଟ ଯେଭଳି ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି ତାହାକୁ ଆଖି ଆଗରେ ରଖି ଅନ୍ୟ କୌଣସି କର୍ମଚାରୀଙ୍କ ବଦଳି ପାଇଁ ସୁପାରିସ କରିବା ପୂର୍ବରୁ ରାଜନୈତିକ ନେତାମାନଙ୍କୁ ଶତାଧିକ ବାର ଚିନ୍ତା କରିବାକୁ ପଡୁଛି । ଏଭଳି ସୁପାରିସ ଆଧାରରେ ବଦଳି ହୋଇଥିଲେ ସଂପୃକ୍ତ ରାଜନେତାଙ୍କ ପ୍ରତି ଆଇନ୍‍ ଅଦାଲତ କ’ଣ ମନ୍ତବ୍ୟ ଦେବେ କି ନଦେବେ ତାହା ଏବେ ଚର୍ଚ୍ଚାର ବିଷୟ ।

ଏଠାରେ ଉଲ୍ଳେଖନୀୟ ଯେ ରାଜନୈତିକ ନେତାମାନେ ସରକାରୀ କର୍ମଚାରୀଙ୍କ ବଦଳି କ୍ଷେତ୍ରରେ ହସ୍ତକ୍ଷେପ କରିବା ଦଶନ୍ଧି ଦଶନ୍ଧି ଧରି ଏକ ଅଘୋଷିତ ପରମ୍ପରାରେ ପଡ଼ିଆସିଛି । ସମାଲୋଚକମାନେ ଏହାକୁ ନେତାଙ୍କ ବଦଳି ଶିଳ୍ପ ବୋଲି କହିଥାନ୍ତି । ଅତୀତରେ ମଧ୍ୟ ରାଜନେତାଙ୍କ ସୁପାରିସରେ ହୋଇଥିବା ବଦଳି ସଂକ୍ରାନ୍ତରେ ବଦଳିକୁ କେତେକ କ୍ଷେତ୍ରରେ ଅଦାଲତ ବାତିଲ କରିଥିବାର ନଜର ରହିଛି ।

୨୦୨୫ ମଇ ୧୩ ତାରିଖରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରି ଏଥିରେ ସାଂସଦ ଓ ବିଧାୟକ ସେମାନଙ୍କ ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି କ୍ଷେତ୍ରରେ ହସ୍ତକ୍ଷେପ କରିପାରିବେ । ତେବେ ଏହି ବିଜ୍ଞପ୍ତିରେ ଜଣେ ଜଣେ ଲୋକ ପ୍ରତିନିଧି ୧୫ଜଣ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ଲାଗି କ୍ଷମତା ପାଇଥିଲେ । ଏହି ବିଜ୍ଞପ୍ତି ଆଧାରରେ ବି ବହୁ ସ୍ଥାନରେ ସାଂସଦ, ବିଧାୟକମାନଙ୍କ ସୁପାରିସ କ୍ରମେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଏଭଳି ବିଜ୍ଞପ୍ତିର ବୈଧତା ଉପରେ ପ୍ରଶ୍ନବାଚୀ ଉଠାଇ କେତେକ ଶିକ୍ଷକ ହାଇକୋର୍ଟରେ ରିଟ୍‍ ଆବେଦନ କରିଥିଲେ । ଇତିମଧ୍ୟରେ ହାଇକୋର୍ଟ ଉକ୍ତ ବିଜ୍ଞପ୍ତିକୁ ରଦ୍ଦ କରିବା ସହ ସରକାରଙ୍କୁ କଟୁ ଭର୍ତ୍ସନା କରିଥିଲେ । ଶିକ୍ଷାଦାନ କ୍ଷେତ୍ରରେ ସ୍ୱଚ୍ଛତା ରହିବା ଆବଶ୍ୟକ ଏବଂ ଏ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ ମନ୍ତବ୍ୟ ରଖିଥିଲେ ।

ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ନିକଟକୁ ଦିଆଯାଇଥିବା ନିର୍ଦ୍ଦେଶନାମାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାଂସଦ ଓ ବିଧାୟକ ଆଦିଙ୍କ ସୁପାରିସ କ୍ରମେ ବଦଳି ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି ସେମାନେ ଚଳିତ ଶିକ୍ଷା ବର୍ଷ ଶେଷ ହେବାର ଏକ ସପ୍ତାହ ମଧ୍ୟରେ ସେମାନଙ୍କ ପୂର୍ବ ସ୍ଥାନକୁ ଯେପରି ଫେରିଆସନ୍ତୁ ସେଥିଘେନି ଉଚ୍ଚ କର୍ତ୍ତୃପକ୍ଷ ତାଗିଦ କରିଛନ୍ତି ।

ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିସ କରି ଏକ ପ୍ରକାର ରାଜନେତାମାନେ ଅପଦସ୍ତ ହୋଇଛନ୍ତି । ସାଧାରଣତଃ ଜୁନ୍‍ ସୁଦ୍ଧା ଖରାଦିନେ ସରକାରୀ ଅଧିକାରୀମାନଙ୍କ ବାର୍ଷିକ ବଦଳି ହୋଇଥାଏ । ତେଣୁ ଛାତ୍ରଛାତ୍ରୀମାନଙ୍କ ଗ୍ରୀଷ୍ମବକାଶ ସମୟକୁ ସରକାରୀ କର୍ମଚାରୀମାନଙ୍କ ବଦଳି ଋତୁ ଭାବେ ବିବେଚନା କରାଯାଇଥାଏ । ଯେଉଁ କର୍ମଚାରୀ ଓ ଅଧିକାରୀଙ୍କ ପ୍ରତି ରାଜନେତାମାନେ କ୍ଷୁବ୍ଧ ଥାନ୍ତି କିମ୍ବା ଆଉ ଯେଉଁମାନଙ୍କୁ ମନ ପସନ୍ଦର ସ୍ଥାନକୁ ବଦଳାଇନେବାକୁ ଚାହାନ୍ତି ସେମାନଙ୍କ ସପକ୍ଷରେ ବର୍ଷବର୍ଷ ଧରି ନିର୍ବାଚିତ ଲୋକ ପ୍ରତିନିଧିମାନେ ସୁପାରିସ ପତ୍ର ଲେଖିଆସୁଥିଲେ । କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି କ୍ଷେତ୍ରରେ ଲାଗିଥିôବା ଅଦାଲତୀ ଝଟକା ପରିପ୍ରେକ୍ଷୀରେ ଏବର୍ଷ ଲିଖିତ ଆକାରରେ ବଦଳି ସୁପାରିସ କରିବାକୁ ଅନେକ ରାଜନେତା କୁଣ୍ଠା ପ୍ରକାଶ କରୁଛନ୍ତି । ତେବେ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ କହିପୋଛି ବଦଳି କରାଯାଇପାରିଲେ ସେମାନଙ୍କ ନାଁ ବଦଳି ନଥିରେ ରହିବ ନାହିଁ ଏବଂ ସେମାନେ ସମ୍ଭାବ୍ୟ ପ୍ରତିକୂଳ ମନ୍ତବ୍ୟରୁ ବର୍ତ୍ତିଯାଇପାରନ୍ତି । (ତଥ୍ୟ)