Home General ରାଜଧାନୀରେ ନିର୍ମାଣ ହେବ ଆମ୍ବେଦକର ଭବନ

ରାଜଧାନୀରେ ନିର୍ମାଣ ହେବ ଆମ୍ବେଦକର ଭବନ

ଭୁବନେଶ୍ୱର : ଆମ୍ବେଦକର କେବଳ ଏକ ନାମ ନୁହେଁ, ଏହାଏକ ବିଚାରଧାରା, ଯାହା ସମାନତାର ପଥ ପ୍ରଦର୍ଶନ କରେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି ଯେ ଭୁବନେଶ୍ୱର ଖାରବେଳ ନଗର ଠାରେ ଆମ୍ବେଦକର ଭବନ ନିର୍ମାଣ ହେବ ଏବଂ ସାଧାରଣ ପ୍ରଶାସନ ବିଭାଗକୁ ଏହାର ଡିପିଆର ପ୍ରସ୍ତୁତ କରିବାକୁ ମଧ୍ଯ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମତା ଓ ନ୍ୟାୟ ଭିତ୍ତିକ ସମାଜ ଗଠନ ହିଁ ବାବା ସାହେବଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଅଭିଭାଷଣରେ ଆମ୍ବେଦକରଙ୍କ ଜୀବନ ସଂଘର୍ଷ ଓ ଶିକ୍ଷା ପ୍ରତି ତାଙ୍କର ନିଷ୍ଠାକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ବାବା ସାହେବ ସମାଜରେ ସମାନତା ଆଣିବା ପାଇଁ ଜୀବନଭରି ଲଢ଼େଇ କରିଥିଲେ। ଭାରତୀୟ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଓ ନ୍ୟାୟ ଦେଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ଆଜି ଡଃ ଆମ୍ବେଦକରଙ୍କ ପାଇଁ ସମ୍ଭବ ହୋଇଛି । ସମାଜର ସବୁଠାରୁ ପଛୁଆ ଲୋକଙ୍କ ଉନ୍ନତି ବିନା ସମୃଦ୍ଧ ଓଡିଶା ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ଓଡିଶାରେ ଆମ ସରକାର ଆସିବା ପରେ ଅଧିକାଂଶ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ଦଳିତ ଓ ନିଷ୍ପେଷିତଙ୍କ ଅଧିକାରକୁ ସୁନିଶ୍ଚିତ କରାଯାଉଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ଉନ୍ନୟନ ପାଇଁ ଚଳିତ ୨୦୨୬-୨୭ ବଜେଟରେ ୬ ହଜାର ୬୪୯ କୋଟିରୁ ଅଧିକ ଟଙ୍କା ପ୍ରାବଧାନ କରାଯାଇଛି । ଏଥି ସହିତ ପିଜିଟିଭି ବର୍ଗଙ୍କ ବିକାଶକୁ ମଧ୍ୟ ଆମେ ସ୍ୱତନ୍ତ୍ର ଧ୍ଯାନ ଦେଉଛୁ ।

ସେ ଆହୁରି କହିଛନ୍ତି ଯେ ୨୦୨୬-୨୭ ବଜେଟରେ ଏସ୍‌ସି ଓ ଏସ୍‌ଟି ବର୍ଗ ପାଇଁ ବଡ଼ ଆର୍ଥିକ ପ୍ରାବଧାନ ରହିଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକାକୁ ଗୁରୁତ୍ୱ ଦିଆଯାଉଛି। ଇଞ୍ଜିନିୟରିଂ ଓ ମେଡିକାଲ୍ କ୍ଷେତ୍ରରେ ନୂତନ ସଂରକ୍ଷଣ ବ୍ୟବସ୍ଥାକୁ ସେ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରି କହିଛନ୍ତି, ଯେ ପ୍ରତିଭା କୌଣସି ଜାତି ବା ଧର୍ମରେ ସୀମିତ ନୁହେଁ, ସୁଯୋଗ ମିଳିଲେ ସବୁଠୁ ଆଗକୁ ବଢ଼ିପାରିବେ।

ଖାଦ୍ୟ ସୁରକ୍ଷାକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ସମାଜିକ ନ୍ୟାୟର ମୂଳ ଆଧାର ଏବଂ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା’ ଯୋଜନା ମାଧ୍ୟମରେ କୋଟିକୋଟି ଲୋକ ଲାଭାନ୍ବିତ ହେଉଛନ୍ତି। ଏଥିସହିତ ସେ ଆହ୍ୱାନ କରିଛନ୍ତି ଯେ ସମତା ଭିତ୍ତିକ ସମାଜ ଗଠନ ପାଇଁ ସମସ୍ତେ ଏକତ୍ରିତ ହେବା ଆବଶ୍ୟକ।

୧୯୯୦ରେ  ଡକ୍ଟର ଆମ୍ବେଦକରଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଇଥିଲା, ଯେତେବେଳେ ସେ ସମୟର ସରକାରକୁ ଭାରତୀୟ ଜନତା ପାର୍ଟି ସମର୍ଥନ ଦେଇଥିଲା । ସମ୍ବିଧାନର ନିର୍ମାତା ଏବଂ ଦେଶର ଅଖଣ୍ଡତାର ନାୟକଙ୍କୁ ସେମାନେ ଭୁଲି ନ ଥିଲେ, ଜାଣିଶୁଣି ତାଙ୍କୁ ଅବହେଳିତ ଏବଂ ଅନାଦାର କରାଯାଇଥିଲା ।  ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ୱ ନେବା ପରେ ଆମ୍ବେଦକରଙ୍କ କୀର୍ତ୍ତି ଓ ସମ୍ମାନକୁ ପୁନଃପ୍ରତିଷ୍ଠା କରାଯାଇଛି । ମୋଦୀଜୀ ଡ. ବାବା ସହେବଙ୍କ ଜୀବନୀ ସହିତ ଜଡିତ ୫ଟି ସ୍ଥାନକୁ ବିକଶିତ କରି ପଞ୍ଚତୀର୍ଥ ଭାବେ ନାମକରଣ କରିଛନ୍ତି ।  ମୋଦୀ ସରକାରଙ୍କ ଅନେକ ଯୋଜନା ଆମ୍ବେଦକରଙ୍କ ସ୍ୱପ୍ନର ଭାରତର ପରିକଳ୍ପନାକୁ ସାର୍ଥକ କରିଛି ବୋଲି ସେ କହିଥିଲେ ।

ଏହି ଅବସରରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ, ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ, ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।