Home News in Odia ରାଜଧାନୀରେ ଗାଡି ରହିବ କେଉଁଠି ?

ରାଜଧାନୀରେ ଗାଡି ରହିବ କେଉଁଠି ?

ଭୁବନେଶ୍ୱର : ରାଜଧାନୀର ରାସ୍ତାଘାଟରେ ଏବେ ସଞ୍ଜ ନଇଁଲେ ଭିଡ ଜମୁଛି । ସହରର ରାସ୍ତାକୁ ଯେତେ ଚଉଡା କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଯେଉଁଠାରେ ରାସ୍ତା ସମ୍ପ୍ରସାରଣ ହେଉଛି ସେଠାରେ ଲୋକେ ଗାଡିମୋଟର ରଖି ଦେଉଛନ୍ତି । ଏହାକୁ ପୁଲିସ୍‍ ଉଠାଇଲା ବେଳକୁ ଲୋକଙ୍କର ସେହି ଗୋଟିଏ ପ୍ରଶ୍ନ, ଗାଡି ରହିବ କେଉଁଠି ?

ସହରରେ ଏବେ ଯାନ ବାହାନ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ଅବସ୍ଥା ଏଭଳି ହେଲାଣି ଯେ ଜନସଂଖ୍ୟା ତୁଳନାରେ ଗାଡିମୋଟର ସଂଖ୍ୟା ଦୁଇଗୁଣ ହୋଇଗଲାଣି । ଏହାଛଡା ରାଜ୍ୟ ରାଜଧାନୀ ହୋଇଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶତାଧିକ ଗାଡିମୋଟର ସହର ଭିତରକୁ ପ୍ରବେଶ କରିବାରେ ଲାଗିଛି ।

ତେବେ ସହର ଭିତରେ ଏତେ ସଂଖ୍ୟାରେ ଗାଡିମୋଟର ରହିବ କେଉଁଠି ? ସ୍ମାର୍ଟସିଟି କର୍ତ୍ତୃପକ୍ଷ ମାତ୍ର ଦୁଇଟି ବହୁତଳୀୟ ପାର୍କିଂସ୍ଥଳ ନିର୍ମାଣ କରିଥିବାବେଳେ ସେଠାରେ ଲୋକେ ଗାଡିମୋଟର ରଖିବାକୁ ନାରାଜ । ଗୋଟିଏ ପାର୍କିଂସ୍ଥଳ ବ୍ୟବସାୟିକ କେନ୍ଦ୍ରଠାରୁ ଦୂରେ ହୋଇଥିବାବେଳେ ଆଉ ଗୋଟିକରେ ଅଧିକ ଦର ଦେେଇ ଲୋକେ ଗାଡିମୋଟର ରଖିବାକୁ ନାରାଜ । ଫଳରେ ରାସ୍ତାଘାଟ, ଗଳି କନ୍ଦି ଯିଏ ଯେଉଁଠି ପାରୁଛି ଗାଡିମୋଟର ରଖିଦେଇ ନିଜ ନିଜ କାମରେ ଯାଉଛି ।

ରାସ୍ତାଉପରେ ଗାଡି ଟିଏ ରହିଲେ ତାହାକୁ କମିଶନରେଟ ପୁଲିସ୍‍ ତୁରନ୍ତ ଉଠାଇ ନେଉଛି । ୧୨ଶହ ଟଙ୍କା ତଣ୍ଡ ଗଣିଲେ ଚାରିଚକିଆ ଯାନଟି ମୁକୁଳୁଛି । ହେଲେ ଏହି ଅର୍ଥରୁ ୭୦୦ ଟଙ୍କା ଗାଡି ଟାଣିବାକୁ ନିଯୁକ୍ତ ହୋଇଥିବା ଘରୋଇ ସଂସ୍ଥା ପକେଟକୁ ଯାଉଛି । ତେବେ ତଣ୍ଡ ଗଣୁଥିବା ଲୋକେ ପ୍ରଶ୍ନ କରୁଛନ୍ତି ଆମେମାନେ ଗାଡିମୋଟର ରଖିବକୁ କେଉଁଠି ? ସହରରେ ସେଭଳି କୌଣସି ପାର୍କିଂସ୍ଥଳ ଚିହ୍ନଟ ହୋଇନାହିଁ । ଯେଉଁଠାରେ ବି ଦେୟଯୁକ୍ତ ପାର୍କିଂ ସ୍ଥଳ ରହିଛି ସେଠାରେ ଅଳ୍ପ ସମୟ ମଧ୍ୟରେ ଗାଡିମୋଟର ଭର୍ତ୍ତିହୋଇ ଯାଉଛି ।

ସହରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ହେଉଛି ଜନପଥ । ଏହି ରାସ୍ତାର ଉଭୟ ପାଶ୍ୱର୍ରେ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ବିଶେଷକରି ବାଣୀବିହାର ଠାରୁ ଶିଶୁଭବନ ପର୍ଯ୍ୟନ୍ତ ଗୋଟିଏ ପାଶ୍ୱର୍ରେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବାବେଳେ ଗାଡିମୋଟର ରଖିବାକୁ ସ୍ଥାନ ନାହିଁ । ରାସ୍ତା କଡରେ ଯେତିକି ସ୍ଥାନ ରହିଛି ବ୍ୟବସାୟିକ ପ୍ରତିଷ୍ଠାନର କର୍ମଚାରୀମାନେ ସେଠାରେ ଗାଡି ରଖି ପଳାଉଛନ୍ତି । ଗ୍ରାହକଟିଏ ସାମଗ୍ରୀ କିଣିବାକୁ କେଉଁଠାରେ ଗାଡିମୋଟର ରଖିକରି ଯିବ ତାହା ଜାଣିପାରୁନାହିଁ ।

ବିଏମସି କର୍ତ୍ତୃପକ୍ଷ ପାର୍କିଂସ୍ଥଳ ପାଇଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ କହିବା ବଦଳରେ ଏବେ ସାଧାରଣ ଲୋକଙ୍କ ଉପରେ ଦାଉ ସାଧିବାରେ ଲାଗିଛନ୍ତି । ରାସ୍ତାକଡରୁ ଗାର ଟାଣି ପାର୍କିଂ ଫି ଆଦାୟ କରୁଥିବାବେଳେ ପୁଲିସ୍‍ ଲଗାଇ ଗାଡି ବି ଉଠାଇ ନେଉଛନ୍ତି । ସହରରେ ପାର୍କିଂ ସୁବିଧା କରିବାର କାମ ହେଉଛି ମହାନଗର ନିଗମର । ହେଲେ ପାର୍କିଂ ସୁବିଧା କରିବା ବଦଳରେ ସହରବାସୀଙ୍କ ଅସୁବିଧାରୁ ଭରପୂର ଫାଇଦା ଉଠାଇବାରେ ଲାଗିଛି । କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ସହରରେ ଏବେ ପ୍ରମୁଖ ଛକ ଓ ବଜାର ଅଞ୍ଚଳରେ ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ବଢି ଚାଲିଥିବାବେଳେ ପାର୍କିଂ ସ୍ଥଳ କିନ୍ତୁ କମିବାରେ ଲାଗିଛି । ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ସହରରେ କେବଳ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ, ପାର୍କିଂକୁ ନେଇ ଲୋକେ ହାତାହାତି ହେବା ସହିତ ବ୍ୟବସାୟ ପ୍ରତିଷ୍ଠାନରେ ବି ତାଲା ଝୁଲିବାର ସମ୍ଭାବନା ସୃଷ୍ଟି ହେଲାଣି । (ତଥ୍ୟ)