ଭୁବନେଶ୍ୱର : ଓଡ଼ିଶାରେ ଶିଶୁ ଜନ୍ମ ହାର ଯେଉଁଭଳି ଭାବେ ହ୍ରାସ ପାଉଛି ଏବଂ ଜନ୍ମିତ ଶିଶୁଙ୍କ ଭିତରେ ପୁଅଙ୍କ ଅପେକ୍ଷା ଝିଅଙ୍କ ସଂଖ୍ୟା କମ୍ ରହୁଛି ତାହା ଆଗାମୀ ଦିନରେ ବଡ଼ ଧରଣର ସାମାଜିକ ଅସନ୍ତୁଳନ ସୃଷ୍ଟି କରିପାରେ ବୋଲି ସମାଜବିଜ୍ଞାନୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
ସଦ୍ୟ ପ୍ରକାଶିତ କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୬ ରିପୋର୍ଟରେ ଓଡ଼ିଶାରେ ଶିଶୁ ଜନ୍ମ ହାର କମୁଥିବା ସ୍ୱୀକାର କରାଯାଇଛି । ପ୍ରତି ମହିଳାଙ୍କ ପିଛା ସନ୍ତାନ ଜନ୍ମ ହାର ଏବେ କମିକମି ୧.୭ରେ ପହଞ୍ôଚଲାଣି । ଅର୍ଥାତ୍ ୧୦ ଜଣ ମହିଳା ସେମାନଙ୍କ ଜୀବନକାଳ ମଧ୍ୟରେ ହାରାହାରି ୧୭ଜଣ ଶିଶୁ ଜନ୍ମ କରୁଛନ୍ତି । ରାଜ୍ୟର ସହରାଞ୍ଚଳରେ ଏହି ହାର ୧.୫ ରହିଛି । ଯେଉଁଭଳି ଭାବେ ୭୦ ଦଶକରୁ ଓଡ଼ିଶାରେ ଶିଶୁ ଜନ୍ମ ହାର କମୁଛି ତାହା ଅବ୍ୟାହତ ରହିଲେ ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ବେଳକୁ ଅବସ୍ଥା ଆହୁରି ଗମ୍ଭୀର ହୋଇପାରେ ବୋଲି କୁହାଯାଉଛି । ତେବେ ମୋଟାମୋଟି ଭାବେ ରାଜ୍ୟର ଜନସଂଖ୍ୟା ମନ୍ଥର ଗତିରେ ବୃଦ୍ଧି ପାଉଥିବାରୁ କିଛିଟା ଆଶ୍ୱାସନା ମିଳୁଛି । ଓଡ଼ିଶାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଓ ଅନ୍ୟାନ୍ୟ କାରଣ ଯୋଗୁ ଜନ୍ମ ହେଉଥିବା ଶିଶୁଙ୍କ ଭିତରେ ପୁଅ-ଝିଅଙ୍କ ଅନୁପାତ ୧୦୦୦:୮୯୪ ରହୁଛି । ଏହି ବ୍ୟବଧାନ ଆଗାମୀ ଦିନରେ ଅଧିକ ବଢ଼ିବା ଆଶଙ୍କା କରାଯାଉଛି ।
ଓଡ଼ିଶାରେ ଶିଶୁଜନ୍ମ ହାର କମିବା ଫଳରେ ଭବିଷ୍ୟତରେ ରାଜନୈତିକ ସଂକଟ ଉପୁଜିପାରେ ଏବଂ ଜାତୀୟ ସ୍ତରରେ ଓଡ଼ିଶାର ଆନୁପାତିକ ପ୍ରତିନିଧିତ୍ୱ ମଧ୍ୟ କମ୍ ରହିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ଜନସଂଖ୍ୟା ଅଭିବୃଦ୍ଧି ହାର ଅଧିକ ରହୁଥିବାରୁ ନିର୍ବାଚନ ମଣ୍ଡଳୀ ପୁନଃ ନିର୍ଦ୍ଧାରଣରେ ଓଡ଼ିଶା ଓ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ତୁଳନାରେ ଉତ୍ତର ଭାରତରେ ଥିବା ରାଜ୍ୟଗୁଡ଼ିକ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାରେ ଆସନ ସଂଖ୍ୟା ଆନୁପାତିକ ଭାବେ ଢେର ଅଧିକ ବଢ଼ିପାରେ ।
ଜାତୀୟ ସ୍ତରରେ ଶିଶୁ ଜନ୍ମ ହାର ପ୍ରତି ମହିଳାଙ୍କ ପିଛା ହାରାହାରି ୧.୯ ଥିବାବେଳେ ଓଡ଼ିଶାରେ ତାହା ୧.୭ ରହିବା ଜାତୀୟ ହାରଠାରୁ ଢେର କମ୍ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବି ଏ କ୍ଷେତ୍ରରେ ଅସନ୍ତୁଳନ ଦେଖାଦେଉଛି । ଝାରସୁଗୁଡ଼ା ଭଳି ଶିଳ୍ପ ଉନ୍ନତ ଓ ଖଣି ଖାଦାନ ଭରା ଜିଲ୍ଲାରେ ମହିଳାଙ୍କ ସନ୍ତାନ ଜନ୍ମହାର କମିକମି ୧.୩ରେ ପହଞ୍ôଚଥିବାବେଳେ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ କିନ୍ତୁ ଏହି ହାର ୨.୬ ରହୁଛି ।
୧୯୭୫ରୁ ୨୦୨୦ ମଧ୍ୟରେ ଓଡ଼ିଶାରେ ମଣିଷର ହାରାହାରି ପରମାୟୁ ୪୮ ବର୍ଷରୁ ବଢ଼ିବଢ଼ି ୭୩ରେ ପହଞ୍ôଚଛି । ଏଥିସହ ତାଳ ଦେଇ ଓଡ଼ିଶାରେ ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ିବଢ଼ି ଚାଲୁଛି । ପାରିବାରିକ ଜୀବନରେ ଅସନ୍ତୁଳନ ଯୋଗୁ ଅନେକ କ୍ଷେତ୍ରରେ ବାର୍ଦ୍ଧ୍ୟକରେ ପହଞ୍ôଚଥିବା ବହୁ ବରିଷ୍ଠ ନାଗରିକ ମାନସିକ ଓ ଶାରୀରିକପ ପୀଡ଼ା ମଧ୍ୟରେ ରହିବାକୁ ବାଧ୍ୟ ହେଉଛନ୍ତି । ସବୁଠାରୁ ଉଦ୍ବେଗଜନକ କଥା ହେଉଛି ରାଜ୍ୟର ବିଭିନ୍ନ ବୟସର ଲୋକେ କାମଧନ୍ଦା ଅନ୍ୱେଷଣରେ ବାହାରକୁ ପଳାଇବା ।
ଗୋଟିଏ ପଟେ ଓଡ଼ିଶାରେ ଜନ୍ମ ହାର କମୁଥିବାବେଳେ ଅନ୍ୟପଟେ ଓଡ଼ିଆ ଭାଷାରେ ପାଠ ପଢ଼ିବା ପାଇଁ ଆଗ୍ରହ କମିବା ଏବଂ ଦାଦନ ଭଳି ବିଭିନ୍ନ ସମସ୍ୟା ଯୋଗୁ ହଜାର ହଜାର ସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡ଼ିରେ ପର୍ଯ୍ୟାପ୍ତ ସଂଖ୍ୟକ ପିଲା ହେଉନଥିବାରୁ ସେଗୁଡ଼ିକୁ ବନ୍ଦ କରିଦିଆଯାଉଛି । ଏ ପରିପ୍ରେକ୍ଷୀରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ପାଖାପାଖି ସାଢ଼େ ୫ ହଜାର ସ୍କୁଲ ବନ୍ଦ ହୋଇ ଏବେ ଭୂତକୋଠି ଭଳି ପଡ଼ିଛି । ଏ ପରିପ୍ରେକ୍ଷୀରେ ସନ୍ତାନ ଜନ୍ମ ହାର ଠିକ୍ ରଖିବା ସହିତ ଲିଙ୍ଗଗତ ପ୍ରଭେଦ ଦୂର କରିବା ଏବଂ ଯୁବକ-ଯୁବତୀମାନଙ୍କୁ କାମଧନ୍ଦା ଯୋଗାଇ ଦେବା ସହ ବରିଷ୍ଠ ନାଗରିକମାନଙ୍କ ନିରାପତ୍ତାକୁ ଆଖି ଆଗରେ ରଖି ସରକାର ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଲାଗି ସିୱାଇଏସ୍ଡିଠାରେ ଅନୁଷ୍ଠିତ ଏକ ଚିନ୍ତନ ବୈଠକରେ ମତ ପ୍ରକାଶ ପାଇଛି ।(ତଥ୍ୟ)

